୭ରେ ଲଘୁଚାପ, ୮ରେ ନେବ ବାତ୍ୟା ରୂପ

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୪୮ ଘଣ୍ଟା ଅର୍ଥାତ ଶନିବା‌ର ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ଅର୍ଥାତ ୭ ତାରିଖ ଆଡ଼କୁ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଧୀରେ ଧୀରେ ଏହା ଅଧିକ ଘନୀଭୂତ ହୋଇ ୮ ତାରିଖ ସୋମବାର ସୁଦ୍ଧା ଅବପାତର ରୂପ ‌ନେବ। ଏହାପରେ ଅବପାତଟି ଆହୁରି ଘନୀଭୂତ ହେବ ଓ ବାତ୍ୟା ରୂପରେ ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ। ତେବେ ବାତ୍ୟା‌ଟି କେତେ ଘନୀଭୂତ ହେବ, ଏହାର ଗତିପଥ ‌କିଭଳି ରହିବ ଓ ତୀବ୍ରତା କେ‌ତେ ରହିବ; ତାହା ଲଘୁଚାପ ସୃଷ୍ଟି ପରେ ଅଧିକ ସ୍ପଷ୍ଟ କହିହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଏବେ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ ବର୍ଷା ମଧ୍ୟ ହେଉଛି। ଶୁକ୍ରବାର ଦିନ ରାଜ୍ୟର ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ମୟୂରଭଞ୍ଜ, କନ୍ଧମାଳ, କେନ୍ଦୁଝର ଓ ନବରଙ୍ଗପୁର ଆଦି ଜିଲ୍ଲାର କିଛି ସ୍ଥାନ‌ରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ହେତୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତାକାଲି ପରେ ରାଜ୍ୟରେ କାଳବୈଶାଖୀର ପ୍ରଭାବ କମିବ। ଧୀରେଧୀରେ ଖରାର ମାତ୍ରା ବଢ଼ିବ ଓ ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରି ଯାଏ ବୃଦ୍ଧି ପାଇବ। ଆଜି (ଶୁକ୍ରବାର) ରାଜଧାନୀ ଭୁବନେଶ୍ବର ଓ ଏହାର ସଂଲଗ୍ନ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ସାମାନ୍ୟ ବର୍ଷା ବି ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ରହିବ।

Spread the love