ଆଜିଠୁ ହଟିବ ମେଘୁଆ ପାଗ, ବଢିବ ତାତି

ରବିବାରଠୁ ବଦଳିବ ପାଗ । ମେଘୁଆ ପାଗ ହଟିବା ସହ କାଳବୈଶାଖୀ ସମ୍ଭାବନା ମଧ୍ୟ କମ୍‌ ରହିଛି। ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବଢ଼ିବ। ବର୍ତ୍ତମାନ ତୁଳନାରେ ଆସନ୍ତା କିଛିଦିନ ଭିତରେ ପାରଦ ୩-୪ ଡିଗ୍ରୀ ବଢ଼ିପାରେ । କିନ୍ତୁ ଅଚାନକ କୌଣସି ସ୍ଥାନରେ ତାପମାତ୍ରା ଦ୍ରୁତ ଗତିରେ ବଢ଼ିବ ନାହିଁ । ଏବେ ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ମଧ୍ୟ କମ୍‌ । ପାଣିପାଗ ବିଭାଗ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଏବେ ତାତି ସାମାନ୍ୟ ବଢ଼ିବ। ବିଶେଷ ବଢ଼ିନପାରେ । ଉପକୂଳ ତୁଳନାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ବଢ଼ିବ । ଉପକୂଳ ଓଡ଼ିଶାରେ ସାମୁଦ୍ରିକ ପବନ ପ୍ରବାହ ଯୋଗୁ ତାତି ବିଶେଷ ବଢ଼ିବ ନାହିଁ । ଭୁବନେଶ୍ୱରରେ ଆସନ୍ତା ୩-୪ ଦିନ ଭିତରେ ପାରଦ ୩୭-୩୮ ଡିଗ୍ରୀ ଛୁଇଁପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ୪୦ ଡିଗ୍ରୀ ସେଲସିୟସ୍‌ ପାଖାପାଖି ପହଞ୍ଚିଯିବ ।

ସୂଚନାଯୋଗ୍ୟ, ଶନିବାର କେବଳ ମାଲକାନଗିରି ତାପମାତ୍ରା ୩୮ ଡିଗ୍ରୀ ଥିଲା । ବାକି ସବୁଠି ପାରଦ ୩୭ ଡିଗ୍ରୀରୁ କମ୍‌ ଥିଲା । ସୁନ୍ଦରଗଡ଼ ୩୬, ବଲାଙ୍ଗିର ୩୬.୮, ଟିଟିଲାଗଡ଼ ୩୬, ଫୁଲବାଣୀ ୩୬ ଓ ଭୁବନେଶ୍ୱର ତାପମାତ୍ରା ୩୫.୨ ଡିଗ୍ରୀ ଥିଲା । ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ବୌଦ୍ଧରେ ଆଜି କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି ।

Spread the love