୨୪ରୁ ୨୬ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର ୧୮।୧୦ : ବାତ୍ୟା ଆଶଙ୍କା ବଢ଼ିବାରେ ଲାଗିଛି । ଅଧିକାଂଶ ଆନ୍ତର୍ଜାତିକ ପାଣିପାଗ ମଡେଲ୍‌ ବାତ୍ୟା ସମ୍ଭାବନା ନେଇ ଆକଳନ କରୁଛନ୍ତି । ଯଦିଓ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏଯାଏଁ ବାତ୍ୟା ସମ୍ଭାବନା ନେଇ କୌଣସି ଆକଳନ କରିନାହିଁ । ତଥାପି ବାତ୍ୟା ଆଶଙ୍କା ଥିବା ଅଧିକାଂଶ ମଡେଲ୍‌ ଓ ବହୁ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଏପରିକି ଆନ୍ଧ୍ରରୁ ପଶ୍ଚିମବଙ୍ଗ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା (ଲ୍ୟାଣ୍ଡଫଲ୍‌) ସମ୍ଭାବନା ଥିବା ଆକଳନ କରାଯାଉଛି । ତେଣୁ ଓଡ଼ିଶା ପ୍ରତି ମଧ୍ୟ ବିପଦ ରହିଛି । ଏହା ଓଡ଼ିଶା ଉପକୂଳ ମୁହାଁଇବା ସମ୍ଭାବନାକୁ ଏଡ଼ାଇ ହେବନି । ଏହା ପ୍ରଭାବରେ ଆସନ୍ତା ୨୩ରୁ ପାଗ ବଦଳିବା ସହ ବର୍ଷା ଆରମ୍ଭ ହେବ । ୨୪ରୁ ୨୬ ଯାଏଁ ପ୍ରବଳ ବର୍ଷା ହୋଇପାରେ ଉପକୂଳ ଓଡ଼ିଶାରେ, ଯାହାକି ଦୀପାବଳି ଉତ୍ସବକୁ ଭିଜାଇ ଦେବ । ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ତଥା ସୋଆ ଜଳବାୟୁ ପରିବର୍ତ୍ତନ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଅଧିକାଂଶ ପାଣିପାଗ ମଡେଲ୍‌ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛନ୍ତି । ବାତ୍ୟା ହେବା ନେଇ ବର୍ତ୍ତମାନ ପାଣିପାଗ ମଧ୍ୟ ଅନୁକୂଳ ରହିଛି । ବିଭିନ୍ନ ମଡେଲ୍‌ର ତଥ୍ୟ ମୁତାବକ, ଆସନ୍ତା ୨୫ ତାରିଖରେ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁପାରେ । ଉପକୂଳ ଛୁଇଁବାବେଳକୁ ଏହା ବାତ୍ୟା ଅବସ୍ଥାରେ ରହିବା ସମ୍ଭାବନା ଅଛି । ଆନ୍ଧ୍ରର ଶ୍ରୀକାକୁଲମରୁ ପଶ୍ଚିମବଙ୍ଗର ସୁନ୍ଦରବନ ମଧ୍ୟରେ ଯେ କୌଣସି ସ୍ଥାନରେ ବାତ୍ୟା ଉପକୂଳ ଛୁଇଁବା ସମ୍ଭାବନା ଅଛି ।

୨୪ରୁ ୨୬ ତାରିଖ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ୨୧ ତାରିଖରେ ହିଁ ସମୁଦ୍ର ଭିତରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଆସନ୍ତା ୨୩ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇପାରେ । ୨୪ ଓ ୨୫ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ବର୍ଷା ହେବ । ଯଦି ବାତ୍ୟା ୨୪ରେ ସ୍ଥଳଭାଗ ଛୁଇଁବ, ତେବେ ୨୬ବେଳକୁ ବର୍ଷା କମିଯିବ । ଯଦି ବାତ୍ୟା ୨୫ରେ ସ୍ଥଳଭାଗକୁ ପ୍ରବେଶ କରେ, ତାହା ହେଲେ ୨୬ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ। କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ବିଭିନ୍ନ ମଡେଲ୍‌ର ତଥ୍ୟକୁ ବିଶ୍ଲେଷଣ ଓ ସମାହାର କରି ପୂର୍ବାନୁମାନ କରିଛନ୍ତି, ସମ୍ଭାବ୍ୟ ଲଘୁଚାପ ଆଗକୁ ବାତ୍ୟା ରୂପ ନେବ । ୨୦ରେ ଲଘୁଚାପ, ୨୨ରେ ଅବପାତ ଓ ୨୪ ତାରିଖବେଳକୁ ସମୁଦ୍ରରେ (ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର)ରେ ଆନ୍ଧ୍ର ଉପକୂଳଠାରୁ ଦୂରରେ ବାତ୍ୟାରେ ପରିଣତ ହେବ । ବାତ୍ୟା ପାଇଁ ପାଗ ଅନୁକୂଳ ରହିବା ସମ୍ଭାବନା ଅଛି । ଯଦି ସାମାନ୍ୟ ଅନୁକୂଳ ରହେ, ଏହା ଉତ୍ତର ଆନ୍ଧ୍ର ଉପକୂଳରେ ୨୪ରେ ଉପକୂଳ ଛୁଇଁବ । ଯଦି ପାଗ ଅଧିକ ଅନୁକୂଳ ହେବ, ତେବେ ପଶ୍ଚିମବଙ୍ଗ କିମ୍ବା ସାଗରଦୀପକୁ ପ୍ରବେଶ କରିପାରେ ୨୬ ତାରିଖକୁ । ଯଦି ବାତ୍ୟା ନେଇ ପାଗ ମଧ୍ୟମ ଧରଣର ଅନୁକୂଳ ରହିବ, ତାହା ଓଡ଼ିଶା ମୁହାଁ ହୋଇପାରେ । ୨୫ରେ ଓଡ଼ିଶା କିମ୍ବା ସଂଲଗ୍ନ ଅଞ୍ଚଳକୁ ଛୁଇଁପାରେ ।

  ବାତ୍ୟାର ତୀବ୍ରତା ଓ ଗତିପଥ ନେଇ ଏବେ ସ୍ପଷ୍ଟ ଆକଳନ କରିବା ସହଜ ନୁହେଁ । ପ୍ରାକ୍‌ ଆକଳନ ଅନୁସାରେ ସମୁଦ୍ରରେ ବାତ୍ୟା ପ୍ରଭାବରେ ଘଣ୍ଟା ପ୍ରତି ୭୦ରୁ ୯୦ କିମି ବେଗରେ ପବନ ବହିପାରେ । କିନ୍ତୁ, ସ୍ଥଳଭାଗକୁ ଆସିଲାବେଳକୁ ପବନ କୋପ କମିପାରେ । ବାତ୍ୟା ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁଲେ ଓଡ଼ିଶାରେ ୪୦-୬୦ କିମି ବେଗରେ ପବନ ହୋଇପାରେ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ବି ଅଧିକ ପବନ ହୋଇପାରେ । ମାତ୍ର ଯଦି ବାତ୍ୟା ଓଡ଼ିଶା ଉପକୂଳକୁ ଘଷି ହୋଇ ପଶ୍ଚିମବଙ୍ଗ ଯିବ, ତେବେ ୫୦ରୁ ୭୦ କିମି ପର୍ଯ୍ୟନ୍ତ ପବନ ହୋଇପାରେ । ଓଡ଼ିଶା ଉପକୂଳ ଛୁଇଁଲେ ୬୦ କିମିରୁ ଅଧିକ ବେଗରେ ପବନ ଆଶଙ୍କା ରହିଛି । ସମ୍ଭାବ୍ୟ ବାତ୍ୟାରେ ପବନର ଝଟକା (ଗଷ୍ଟିଙ୍ଗ) ଆଉ ୧୫ କିମି ଅଧିକ ରହିପାରେ ।  ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ୨୪ ଓ ୨୫ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ବାତ୍ୟା ଆନ୍ଧ୍ରକୁ ପଶିଲେ, ଦକ୍ଷିଣ ଓଡ଼ିଶାରେ ଏହି ଦୁଇଦିନରେ ହାରାହାରି ୯୦ରୁ ୧୦୦ ମିଲିମିଟର ବର୍ଷା ଢାଳିପାରେ । ଉପକୂଳ ଅଞ୍ଚଳରେ ୬୦ରୁ ୮୦ ମିମି ବର୍ଷା ହୋଇପାରେ । ଓଡ଼ିଶାକୁ ବାତ୍ୟା ଆସିଲେ ଉପକୂଳ ଅଞ୍ଚଳରେ ଦୁଇଦିନରେ ହାରାହାରି ୧୨୦ ମିମି ବର୍ଷା ଆଶଙ୍କା ଅଛି । ଯଦି ବାତ୍ୟା ପଶ୍ଚିମବଙ୍ଗକୁ ଯିବ, ତେବେ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇପାରେ । ପ୍ରଫେସର ପଶୁପାଳକ କହିଛନ୍ତି, ଏସବୁ କେବଳ ପ୍ରାକ୍‌ ଆକଳନ । ପବନ ଓ ଗତିପଥ ଆଗକୁ ପରିବର୍ତ୍ତନ ବି ହୋଇପାରେ । ଲଘୁଚାପ ହେବା ପରେ ସ୍ଥିତି ଅଧିକ ସ୍ପଷ୍ଟ ହେବ ।

ପାଣିପାଗ ବିଭାଗ କହିଛି, ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହା ୨୦ ତାରିଖବେଳକୁ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି । ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରକୁ ଯିବ । ୨୨ ତାରିଖବେଳକୁ ଅଧିକ ଘନୀଭୂତ ହୋଇପାରେ । ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାରୁ ଆସନ୍ତା ୪୮ ଘଣ୍ଟା ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି ।

Spread the love