ଓଜନ କମାଇଲେ ପୁରସ୍କାର ଦେବେ ସରକାର

ନୂଆଦିଲ୍ଲୀ : ଦୁନିଆରେ ଅନେକ ଲୋକଙ୍କ ଶାରୀରିକ ସମସ୍ୟାର ମୂଳ କାରଣ ମୋଟାପଣ। ଖାଦ୍ୟପେୟ, ଜୀବନଶୈଳୀ ଓ ଶାରୀରିକ ନିଷ୍କ୍ରିୟତା ଏହାର ସବୁଠାରୁ ମୁଖ୍ୟ କାରଣ। ସେଥିପାଇଁ ବ୍ରିଟେନ ସରକାର ବ୍ରିଟିଶର୍ସଙ୍କୁ ଫିଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାର ପୁରସ୍କାର, ବୋନସ ଓ ଟଙ୍କାର ପ୍ରଲୋଭନ ଦେଉଛନ୍ତି।

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ନିଜେ ମଧ୍ୟ ଏହି ଅଭିଯାନରେ ସାମିଲ ହେଉଛନ୍ତି। ଆଗାମୀ ବର୍ଷ ଆରମ୍ଭରେ ସରକାର ଏନେଇ ଏକ ଆପ୍ଲିକେସନ ମଧ୍ୟ ଲଞ୍ଚ କରିବେ। ବ୍ରିଟିଶ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଉତ୍ସାହିତ କରିବାକୁ ନିଜେ ମଧ୍ୟ ଓଜନ କମ କରିବାକୁ ଶପଥ ନେଇଛନ୍ତି। ୟୁରୋପର ପଶ୍ଚିମାଞ୍ଚଳରେ ମୋଟାପଣ ବା ମେଦବହୁଳତା ଏକ ବଡ ସମସ୍ୟା ପାଲଟିଛି। ବିଶେଷକରି ବୟସ୍କଙ୍କଠାରେ ଅଧିକ ଓଜନ ହେବାର ସମସ୍ୟା ଦେଖାଯାଉଛି। ରିପୋର୍ଟରେ କୁହାଯାଇଛି ଯେ ପ୍ରାଥମିକ ବିଦ୍ୟାଳୟ ଛାଡିବା ବେଳକୁ ଅଧିକାଂଶ ପିଲା ମୋଟାପଣର ଶିକାର ହେଉଛନ୍ତି।

ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ବ୍ରିଟିଶ ପରିବାର ତରଫରୁ ସୁପର ମାର୍କେଟରେ କରାଯାଉଥିବା ଖର୍ଚ୍ଚ ଉପରେ ନଜର ରଖାଯିବ। ଯେଉଁମାନେ ନିଜର କ୍ୟାଲୋରୀ ଇନଟେକ ହ୍ରାସ କରିବେ ସେମାନଙ୍କୁ ପୁରସ୍କାର ଦିଆଯିବ। ଯେଉଁମାନେ ଅଧିକ ଫଳ ଏବଂ ପନିପରିବା କିଣିବେ ଏବଂ କମ୍ ଅସ୍ୱାସ୍ଥ୍ୟକର ଖାଦ୍ୟ କିଣିବେ ସେମାନଙ୍କୁ ମଧ୍ୟ ମାଗଣା ଟିକେଟ୍ ଦିଆଯିବ। ଯେଉଁମାନେ ବ୍ୟାୟାମ ପାଇଁ ଆୟୋଜିତ ଇଭେଣ୍ଟରେ ଅଂଶଗ୍ରହଣ କରିବେ କିମ୍ବା ଚାଲି ଚାଲି ସ୍କୁଲ ଯିବେ ସେମାନେ ମଧ୍ୟ ଏହି ଆପରେ ଅତିରିକ୍ତ ପଏଣ୍ଟ ପାଇବେ। ଏହି ପଏଣ୍ଟଗୁଡିକୁ ଇନସେନଟିଭ, ମାଗଣା ଟିକେଟ୍ ଏବଂ ରିହାତିରେ କ୍ୟାସ କରାଯାଇପାରିବ। ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ନିଜେ ନିଜର ଓଜନ ବୃଦ୍ଧି ଯୋଗୁଁ କରୋନାରେ ଅଧିକ ଅସୁସ୍ଥ ହେବାର କାରଣ ବୋଲି କହିଥିଲେ।

ବ୍ରିଟିଶ ପ୍ରଧାନମନ୍ତ୍ରୀ ଏହି ଅଭିଯାନର ନେତୃତ୍ୱ ନିଜେ କରିବାକୁ ମନସ୍ଥ କରିଛନ୍ତି। ଏହି ଅଭିଯାନକୁ ଅଧିକ ପ୍ରଭାବଶାଳୀ କରିବାକୁ ଦୁନିଆର ଅନେକ ସଫଳ ଅଭିଯାନରୁ ପ୍ରେରଣା ସଂଗ୍ରହ କରାଯିବ। ଏଥିପାଇଁ ସିଙ୍ଗାପୁରରେ ସ୍ଟେପ ଚ୍ୟାଲେଞ୍ଜ ଖୁବ ଲୋକପ୍ରିୟ ହୋଇଥିଲା। ବ୍ରିଟେନରେ ଫ୍ରି ଫ୍ୟାଟ ଫାଇଟିଂ କ୍ଲାସ ଆରମ୍ଭ କରାଯିବ ଯେଉଁଥିରେ ୭ ଲକ୍ଷ ବ୍ରିଟିଶ ନାଗରିକଙ୍କୁ ସାମିଲ କରାଯିବ। ଏଥିପାଇଁ ସରକାରଙ୍କ ତରଫରୁ ୧୦୦ ମିଲିୟନ ପାଉଣ୍ଡ ପ୍ୟାକେଜ ଜାରି କରାଯାଇଛି। ଜୁଲାଇରେ ଇଂଲଣ୍ଡର ୧୧ ଟି ଅଞ୍ଚଳକୁ ଏହି ଅଭିଯାନ ସହ ସଂଯୋଗ କରାଯିବ ଯେଉଁଠାରେ ମେଦବହୁଳତା ଗମ୍ଭୀର ସମସ୍ୟା | ମେଦବହୁଳତା ଯୋଗୁଁ ବ୍ରିଟେନରେ ଲୋକଙ୍କ ବୟସ ହ୍ରାସ ପାଉଛି ଏବଂ ଟାଇପ ୨ ଡାଏବେଟିସ, କ୍ୟାନ୍ସର, ମାନସିକ ଅସୁସ୍ଥତା ଭଳି ସମସ୍ୟା ବୃଦ୍ଧି ପାଉଛି।

Spread the love