ପଶ୍ଚିମ ଓଡିଶାର ପ୍ରବାସୀ ଦାଦନ ଶ୍ରମିକମାନଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରାଯାଉ : ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ରାଜ୍ୟର ପଶ୍ଚିମାଂଚଳ ଜିଲ୍ଲା ବିଶେଷ କରି କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର ଏବଂ ବରଗଡ ଜିଲ୍ଲା ଅନ୍ତର୍ଗତ ପଦମ୍‌ପୁର ସବଡିଭିଜନ ଅଂଚଳରୁ ବହୁ ଦାଦନ ଶ୍ରମିକ ଦକ୍ଷିଣ ଭାରତବର୍ଷର ବିଭିନ୍ନ ସ୍ଥାନକୁ ଯାଇ ଇଟାଭାଟି ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଯଦିଓ ରାଜ୍ୟ ସରକାର ଏହି ଶ୍ରମିକମାନଙ୍କୁ ଦାଦନ ଖଟିବାକୁ ଯିବା ପାଇଁ ରୋକୁଛନ୍ତି ଏବଂ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଇ ଦେଉଛନ୍ତି, ମାତ୍ର ଅନିୟମିତତା କାରଣରୁ ଏହି ଶ୍ରମିକମାନେ ସଠିକ୍ ପାଉଣା ନପାଇ ବାଧ୍ୟ ହୋଇ ବାହାର ରାଜ୍ୟକୁ ପଳାୟନ କରୁଛନ୍ତି । ଲକ୍‌ଡାଉନ୍ କାରଣରୁ ବର୍ତମାନ ଏହି ଅଂଚଳରୁ ପାଖାପାଖି ସାଢେ ୪ ଲକ୍ଷ ପ୍ରବାସୀ ଶ୍ରମିକ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ।

ଓଡିଶା ସରକାରଙ୍କ ନିର୍ଦ୍ଦେଶ ନଥିବା କାରଣରୁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଗୁଜୁରାଟ, କର୍ଣ୍ଣାଟକ ଆଦି ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆ ଶ୍ରମିକମାନ ନିଜ ନିଜ ଗ୍ରାମକୁ ପ୍ରତ୍ୟାବର୍ତନ କରି ପାରୁ ନାହାନ୍ତି । ଏପରିକି ମହାରାଷ୍ଟ୍ର, ଗୁଜୁରାଟ ରାଜ୍ୟରୁ ନିଜ ନିଜ ବ୍ୟବସ୍ଥାରେ ଫେରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ ଅନୁମତି ପ୍ରଦାନ କରାଯାଉନାହିଁ । ନିଜ ନିଜ- ବ୍ୟବସ୍ଥାରେ ଫେରିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକମାନଙ୍କୁ ତୁରନ୍ତ ଅନୁମତି ପ୍ରଦାନ କରାଇବାର ବ୍ୟବସ୍ଥା ସହ ଅନ୍ୟମାନଙ୍କୁ ରାଜ୍ୟ ସରକାର ମାଗଣାରେ ଫେରାଇ ଆଣିବାକୁ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଶ୍ରୀ ନାଏକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କରୋନା ଭୂତାଣୁଜନିତ ଲକ୍‌ଡାଉନ୍ କାରଣରୁ ବହୁ ସଂଖ୍ୟାରେ ଓଡିଆ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ତୀର୍ଥଯାତ୍ରୀ ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ସେମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ତମାନ ସୁଦ୍ଧା ୫୪ ଟି ଟ୍ରେନ ଯୋଗେ ଗଂଜାମ, ଭଦ୍ରକ, ବାଲେଶ୍ୱର ଜିଲ୍ଲାର ପ୍ରବାସୀମାନଙ୍କୁ ରାଜ୍ୟକୁ ପ୍ରତ୍ୟାବର୍ତନ କରିସାରିଲେଣି । କେବଳ ଗଂଜାମ ଜିଲ୍ଲାକୁ ୩୦ଟି ଟ୍ରେନ ଆସିଥିବାବେଳେ ଅନ୍ୟ ପଟେ ରାଜ୍ୟର ପଶ୍ଚିମାଂଚଳ ପ୍ରବାସୀମାନଙ୍କ ପାଇଁ ମାତ୍ର ୨ଟି ଟ୍ରେନ ବଲାଙ୍ଗୀରକୁ ପ୍ରଚଳନ ହୋଇଛି ।

ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ପଶ୍ଚିମାଂଚଳର ଦାଦନ ତଥା ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟାକୁ ଗୁରୁତର ଭାବେ ଗ୍ରହଣ କରି ସମସ୍ତଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ଶ୍ରୀ ନାଏକ ପତ୍ର ଲେଖି ଅନୁରୋଧ କରିଛନ୍ତି ।

Spread the love