ମୃତ ଲୋକଙ୍କ ଆଧାର ତଥ୍ୟକୁ କ’ଣ କରାଯାଏ ? ସଂସଦରେ ଏପରି ଉତ୍ତର ଦେଲେ ସରକାର

ନୂଆଦିଲ୍ଲୀ: ଫେବ୍ରୁଆରି ପ୍ରଥମ ସପ୍ତାହ ସୁଦ୍ଧା ଦେଶରେ ପ୍ରାୟ ୧୩୬ କୋଟି ଲୋକଙ୍କ ଆଧାର କାର୍ଡ ତିଆରି ହୋଇଛି। କିନ୍ତୁ ପ୍ରଶ୍ନ ଉଠୁଛି ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ଆଧାର କାର୍ଡର କ’ଣ ହେଲା। ଏଭଳି ଲୋକଙ୍କ ଆଧାର କାର୍ଡ କୁ ନେଇ ସରକାର କିମ୍ବା ୟୁଆଇଡିଏଆଇ କ’ଣ କରନ୍ତି ? କିମ୍ବା ମୃତ୍ୟୁବରଣ କରୁଥିବା ଲୋକଙ୍କ ଆଧାର କାର୍ଡ ସମ୍ବନ୍ଧୀୟ ତଥ୍ୟ ରେ କ’ଣ କରାଯାଇଛି ? ଏ ନେଇ ସଂସଦରେ ସରକାରଙ୍କୁ ପ୍ରଶ୍ନ କରିଥିଲେ ସାଂସଦ ଅଦୂର ପ୍ରକାଶ। ସରକାରଙ୍କ ତରଫରୁ ଏହି ପ୍ରଶ୍ନର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ।

ସାଂସଦ ଅଦୂର ପ୍ରକାଶ ସଂସଦରେ ଏକ ପ୍ରଶ୍ନ ପଚାରିଥିଲେ ଯେ ମୃତ ବ୍ୟକ୍ତିଙ୍କ ଆଧାରକୁ ନିଷ୍କ୍ରିୟ କରିବାର କୌଣସି ବ୍ୟବସ୍ଥା ଅଛି କି? ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଯେ ମୃତ ବ୍ୟକ୍ତିଙ୍କ ଆଧାରକୁ ନିଷ୍କ୍ରିୟ କରିବାର କୌଣସି ବ୍ୟବସ୍ଥା ନାହିଁ । ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ରେଜିଷ୍ଟ୍ରାରଙ୍କଠାରୁ (ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ, ୧୯୬୯ର ବ୍ୟବସ୍ଥା ଅନୁଯାୟୀ) ଆଧାର ନିଷ୍କ୍ରିୟ କରିବା ପାଇଁ ମୃତ ବ୍ୟକ୍ତିଙ୍କ ଆଧାର ନମ୍ବର ହାସଲ କରିବାର କୌଣସି ବ୍ୟବସ୍ଥା ନାହିଁ।

ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଏଆଇ) ଭାରତର ସମସ୍ତ ବାସିନ୍ଦାଙ୍କ ପାଇଁ ଡିଜିଟାଲ ପରିଚୟ (ଆଧାର) ଏବଂ ଡିଜିଟାଲ ପ୍ରମାଣୀକରଣ ସେବା ପ୍ରଦାନ କରନ୍ତି । ଏହି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ୨୮ ଫେବ୍ରୁଆର ସୁଦ୍ଧା ୧୩୬ କୋଟିରୁ ଅଧିକ ଆଧାର ନମ୍ବର ଜାରି କରାଯାଇଛି ଏବଂ ଆନୁମାନିକ ମୃତ୍ୟୁ ସଂଖ୍ୟାକୁ ବାଦ ଦେବା ପରେ ଜୀବିତ ଆଧାର ନମ୍ବର ଧାରକଙ୍କ ଆନୁମାନିକ ସଂଖ୍ୟା ୧୩୦.୨ କୋଟି, ଯାହା କି ୨୦୨୨ ପାଇଁ ମୋଟ ଆନୁମାନିକ ଜନସଂଖ୍ୟାର ୯୪% ଠାରୁ ଅଧିକ ।

Spread the love