ପ୍ରଭାବିତ ଅନୁସୂଚିତ ଜନଜାତି ଓ ବନବାସୀଙ୍କ ଅଧିକାର ସୁନିଶ୍ଚିତ କରିବାକୁ କଣ ରହିଛି କେନ୍ଦ୍ରର ଯୋଜନା? ସଂସଦରେ ପ୍ରଶ୍ନ ଉଠାଇଲେ ଡ. ଅଚ୍ୟୁତ ସାମନ୍ତ
ଆଦିବାସୀଙ୍କ ଜୀବନଜୀବିକା ଓ ବିକାଶ ପାଇଁ ଲୋକସଭାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଅଣତାରକା ପ୍ରଶ୍ନ। ସାଂସଦ ଡ. ସାମନ୍ତଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ୨୦୦୬ର ଧାରା ଅନୁଯାୟୀ ବ୍ୟବସାୟ ଓ ଶିଳ୍ପ ବିକାଶରେ ପ୍ରଭାବିତ ହେଉଥିବା ଅନୁସୂଚିତ ଜନଜାତି ଓ ବନବାସୀଙ୍କୁ ଅଧିକାର ସୁନିଶ୍ଚିତ କରିବାକୁ ସରକାର କୌଣସି ଯୋଜନା କରିଛନ୍ତି କି? ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଟୁଡୁ କହିଛନ୍ତି, ବନବାସୀଙ୍କ ବିସ୍ଥାପନ ପ୍ରସଙ୍ଗର ସମାଧାନ ପାଇଁ ଜନଜାତିଙ୍କ ଭୂମି ଅଧିକାରର ରକ୍ଷା ପାଇଁ ସାମ୍ବିଧାନିକ ଓ ଆଇନଗତ ପ୍ରାବଧାନ ପୂର୍ବରୁ ରହିଛି। ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କ ଅଧିକାରକୁ ଧାରା ୨୦୦୬ର ସେକ୍ସନ ୪ (୫)ରେ ଉଲ୍ଲେଖିତ ରହିଛି ଯେ, ଯେ ପର୍ଯ୍ୟନ୍ତ ମାନ୍ୟତା ଓ ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇନାହିଁ ସେ ପର୍ଯ୍ୟନ୍ତ ଜଙ୍ଗଲରେ ବାସ କରୁଥିବା କୌଣସି ବନବାସୀ କିମ୍ବା ଅନ୍ୟ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମିରୁ କେହି ବେଦଖଲ କରିପାରିବେ ନାହିଁ।
ପଞ୍ଚାୟତ ଅଧିନିୟମ ୧୯୯୬ର ଧାରା ୪ (୧)ରେ ଅନୁସୂଚିତ କ୍ଷେତ୍ରରେ ବିସ୍ଥାପନ କିମ୍ବା ବିକାଶ ପରିଯୋଜନା ପାଇଁ ଏବଂ ପ୍ରଭାବିତଙ୍କ ପୁନଃବିସ୍ଥାପନ ପାଇଁ ଉପଯୁକ୍ତ ସ୍ତରରେ ଗ୍ରାମସଭା କିମ୍ବା ପଞ୍ଚାୟତର ପରାମର୍ଶ ନିଆଯିବ। ଅନୁସୂଚିତ କ୍ଷେତ୍ରରେ ପରିଯୋଜନାକୁ ବାସ୍ତବିକ ଯୋଜନା ଓ ତାର କ୍ରିୟାନ୍ଵୟନକୁ ରାଜ୍ୟସ୍ତରରେ ସମନ୍ଵୟ କରାଯିବ। ଯେଉଁ ରାଜ୍ୟରେ ସ୍ୱତନ୍ତ୍ର ପେସା ନିୟମ ଲାଗୁ ହୋଇଛି, ସେଠାରେ ପ୍ରଭାବିତଙ୍କୁ ଅଧିକାର ପ୍ରଦାନ କରିବାକୁ ଉତ୍ତମ ସ୍ଥିତି ରହିଛି। ସାମ୍ବିଧାନିକ ବ୍ୟବସ୍ଥାର ଅନୁଚ୍ଛେଦ ୫ ବିସ୍ଥାପନ ଆଦି କାରଣରୁ ପ୍ରଭାବିତ ଜନଜାତିସମୁହଙ୍କୁ ସୁରକ୍ଷା ପ୍ରଦାନ କରିଥାଏ। ଅନୁସୂଚିତ କ୍ଷେତ୍ର ରାଜ୍ୟମାନଙ୍କର ରାଜ୍ୟପାଳଙ୍କୁ ଜନଜାତିଙ୍କ ଠାରୁ ଭୂମି ହସ୍ତାନ୍ତରଣକୁ ରୋକିବାକୁ ଅଧିକାର ରହିଛି। ସମ୍ବିଧାନର ନବମ ଅନୁଚ୍ଛେଦ ଜମି ଅଧିନିୟମ ଏବଂ ନିୟନ୍ତ୍ରଣ କରିବାକୁ ସଂରକ୍ଷଣ ପ୍ରଦାନ କରିଥାଏ।
ସାଂସଦ ଡ. ଅଚ୍ୟୁତ ସାମନ୍ତ ପୁଣି ପ୍ରଶ୍ନ କରିଥିଲେ, ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ପୂର୍ବରୁ କୌଣସି ସାମାଜିକ ପ୍ରଭାବ ମୂଲ୍ୟାୟନ ନିଆଯାଇଥାଏ କି? ଏହାର ଉତ୍ତରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ କହିଥିଲେ, ଜମି ଓ ଏହାର ପରିଚାଳନା ଭାରତର ସମ୍ବିଧାନର ଅନୁଚ୍ଛେଦ ୭ର ସୂଚୀ ୨ର ରାଜ୍ୟସୂଚୀ ପ୍ରବିଷ୍ଟ ସଂଖ୍ୟା ୧୮ ଅନୁଯାୟୀ ବିଭିନ୍ନ ରାଜ୍ୟର କାର୍ଯ୍ୟପାଳିକା ଓ ପ୍ରଶାସନିକ ଅଧିନରେ ଆସିଥାଏ। ଯେତେବେଳେ ଜମିକୁ କୌଣସି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଅଧିଗ୍ରହଣ କରାଯାଏ, ସେତେବେଳେ ସେଠାରେ RFCTLARR ଅଧିନିୟମ ୨୦୧୩ର ଅନୁପାଳନ କରିବା ସୁନିଶ୍ଚିତ କରିବାକୁ ପଡ଼ିଥାଏ। RFCTLARR ନିୟମ ପାଇଁ ଭିତ୍ତିଭୂମି ପ୍ରକଳ୍ପ ଅଧିଗ୍ରହଣ ପୂର୍ବରୁ ସ୍ଥାନୀୟ ପ୍ରଶାସନ ଏବଂ ଗ୍ରାମସଭାର ପରାମର୍ଶ ଗ୍ରହଣ କରିବାକୁ ପଡ଼ିଥାଏ। ଏକ ମାନବୀୟ, ସହଭାଗୀ, ସୂଚିତ ଏବଂ ସ୍ୱଚ୍ଛ ପ୍ରକ୍ରିୟାରେ ଜମି ମାଲିକ ଏବଂ ଅନ୍ୟ ପ୍ରଭାବିତ ପରିବାରଙ୍କୁ ଯେଭଳି କମ୍ ହଇରାଣ ସହ ସହରୀକରଣ ବ୍ୟବସ୍ଥାରେ ଯୋଡ଼ିବାକୁ ପଡିଥାଏ। ଏହା ସହ ପ୍ରଭାବିତ ପରିବାରଙ୍କୁ ନ୍ୟାୟୋଚିତ ଏବଂ ସମୁଦାୟ କ୍ଷତିପୂରଣ ପ୍ରଦାନ କରିବା ସହ ପ୍ରଭାବିତଙ୍କ ପୁନର୍ବାସ ଓ ଥଇଥାନ କରିବାକୁ ପଡ଼ିଥାଏ।
ସାଂସଦ ଡ. ଅଚ୍ୟୁତ ସାମନ୍ତ ପୁଣି ପ୍ରଶ୍ନ କରିଥିଲେ, ଏଭଳି ପ୍ରଭାବିତ କ୍ଷେତ୍ରରେ ନ୍ୟାୟ ପ୍ରଦାନ କରିବାକୁ ସ୍ଥାନୀୟ ପ୍ରଶାସନିକ ଅନୁଷ୍ଠାନ ଅଧିନରେ କୌଣସି ଗ୍ରାମୀଣ ସ୍ତରୀୟ ପରିଷଦ ଗଠନ କରିବାକୁ ସରକାର ଯୋଜନା ରଖିଛନ୍ତି କି? ଏହାର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଉପଯୁକ୍ତ କ୍ଷତିପୂରଣ ଅଧିକାର ଏବଂ ଜମି ଅଧିଗ୍ରହଣ ଓ ଥଇଥାନାରେ ପାରଦର୍ଶିତା ପାଇଁ ଥିବା RFCTLARR ଅଧିନିୟମ ୨୦୧୩ରେ ସାମାଜିକ ପ୍ରଭାବର ମୂଲ୍ୟାୟନ, ପୁନର୍ବାସ ଓ ଥଇଥାନ ପ୍ରକ୍ରିୟା ରହିଛି। RFCTLARR ଅଧିନିୟମର ପ୍ରଥମ ଅନୁଚ୍ଛେଦ ଜମି ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ କରିଥାଏ। ଦ୍ୱିତୀୟ ଅନୁଚ୍ଛେଦରେ ସମସ୍ତ ପ୍ରଭାବିତଙ୍କୁ ପୁନର୍ବାସ ଓ ଥଇଥାନ କରିଥାଏ। ତୃତୀୟ ଅନୁଚ୍ଛେଦରେ ପୁନର୍ବାସ କ୍ଷେତ୍ରରେ ରହିବା ଯୋଗ୍ୟ ଏବଂ ଆବଶ୍ୟକ ବନ୍ଦୋବସ୍ତ ପାଇଁ ଢାଞ୍ଚାଗତ ସୁବିଧାର ପ୍ରାବଧାନ ରହିଛି।