ମହିଳା କୃଷି ଶ୍ରମିକଙ୍କ ପାଇଁ କଣ ଯୋଜନା ରହିଛି ? ଲୋକସଭାରେ ପ୍ରଶ୍ନ କଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

ଆଜି ଲୋକସଭାରେ ପ୍ରଶ୍ନୋତ୍ତର କାଳରେ କୃଷି ଶ୍ରମିକଙ୍କ ଜୀବନ ଧାରଣ ମାନର ଉନ୍ନତି ଓ ସେମାନଙ୍କ କଲ୍ୟାଣ ସମ୍ପର୍କିତ ପ୍ରଶ୍ନର ଆଲୋଚନା ସମୟରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଏନେଇ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ । ମହିଳା କୃଷି ଶ୍ରମିକ ବିଶେଷ କରି ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ଓ ସେମାନଙ୍କ ପିଲାମାନଙ୍କ ଶିକ୍ଷା ନିମନ୍ତେ ସରକାର ଯେଉଁସବୁ କଲ୍ୟାଣକାରୀ ଯୋଜନା ରହିଛି ତାର ସବିଶେଷ ତଥ୍ୟ ନେଇ ଡ. ସାମନ୍ତ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କହିଥିଲେ, କେବଳ ମହିଳା ନୁହେଁ ଶ୍ରମିକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।

ଇଟାଭାଟିରେ କାର୍ଯ୍ୟ କରୁଥିବା ମହିଳା ଶ୍ରମିକଙ୍କ ପାଇଁ ସରକାର ନୂତନ ଯୋଜନା କାର୍ଯ୍ୟକାରୀ ପାଇଁ ଚିନ୍ତା କରୁଛନ୍ତି । ପରେ ଲୋକସଭାରେ ଏସ୍‌ଟି ସଂଶୋଧନ ବିଲ୍‌ ଆଲୋଚନାରେ ଅଂଶଗ୍ରହଣ କରି ଡ. ସାମନ୍ତ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ସରକାରଙ୍କ ଦ୍ୱାରା ତଫସିଲଭୁକ୍ତ ଜନଜାତିଙ୍କ ନିମନ୍ତେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାର ସବିଶେଷ ତଥ୍ୟ ରଖିଥିଲେ । ଏହି ଅବସରରେ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁସବୁ ସମ୍ପ୍ରଦାୟକୁ ତଫସିଲ୍‌ଭୁକ୍ତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି ତାହାକୁ ଗ୍ରହଣ କରି ନେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ।

ଦେଶର ବରିଷ୍ଠ କଳାକାରମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ନେଇ ସରକାର ପଦକ୍ଷେପ ନେଇଛନ୍ତି କି, ଯଦି ନେଇଛନ୍ତି, ତେବେ ଗତ ୩ ବର୍ଷ ମଧ୍ୟରେ ଓଡ଼ିଶାର କେତେ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡି କହିଥିଲେ, କେନ୍ଦ୍ର ସରକାରଙ୍କ ବରିଷ୍ଠ କଳାକାରଙ୍କ ଆର୍ଥିକ ସହାୟତା ଯୋଜନାରେ ୩ବର୍ଷ ମଧ୍ୟରେ ଓଡ଼ିଶାର ମୋଟ ୧୪୨୧ କଳାକାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

Spread the love