୨୦୨୨ ‘ଜି୨୦’ ଡିନର୍‌ରେ ହାତ ମିଳାଇ କେଉଁ ବିଷୟରେ କଥା ହୋଇଥିଲେ ମୋଦୀ ଓ ଜିନ୍‌ପିଙ୍ଗ୍‌

ନୂଆଦିଲ୍ଲୀ: ଗତବର୍ଷ ବାଲିରେ ଆୟୋଜିତ ‘ଜି୨୦’ ଶିଖର ସମ୍ମିଳନୀ ଡିନର୍‌ରେ କରମର୍ଦ୍ଦନ କରି ପ୍ରଧାନମନ୍ତ୍ରୀ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଭଲମନ୍ଦ ପଚାରିବା ସହିତ ଦ୍ବିପାକ୍ଷିକ ସମ୍ପର୍କରେ ସ୍ଥିରତା ଆଣିବା ବିଷୟରେ କଥାବାର୍ତ୍ତା କରିଥିଲେ ବୋଲି ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।୨ ଦିନ ତଳେ ଜେହନେସ୍‌ବର୍ଗରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଓ ବିଶିଷ୍ଟ ଚୀନା କୂଟନୀତିଜ୍ଞ ୱାଙ୍ଗ୍‌ ୟିଙ୍କ ସାକ୍ଷାତ ପରେ ଚୀନର ବୈଦେଶିକ ମନ୍ତ୍ରାଳୟ ଘୋଷଣା କରିଥିଲା ଯେ, ଗତ ନଭେମ୍ବର ମାସରେ ‘ଜି୨୦’ ଶିଖର ସମ୍ମିଳନୀ ଅବସରରେ ସି ଓ ପ୍ରଧାନମନ୍ତ୍ରୀ ମୋଦୀ ଦ୍ବିପାକ୍ଷିକ ସମ୍ପର୍କରେ ସ୍ଥିରତା ଆଣିବା ଲାଗି ସମ୍ମତ ହୋଇଥିଲେ।

ଏ ପ୍ରସଙ୍ଗରେ ପଚରା ଯିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି, ଗତବର୍ଷ ବାଲିରେ ଅନୁଷ୍ଠିତ ‘ଜି୨୦’ ଶିଖର ସମ୍ମିଳନୀରେ ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କଦ୍ବାରା ଆୟୋଜିତ ରାତ୍ରଭୋଜିରେ ପ୍ରଧାନମନ୍ତ୍ରୀ ମ‌ୋଦୀ ଓ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ପରସ୍ପରର କୁଶଳ ପୁଚ୍ଛିବା ସହିତ ଦ୍ବିପାକ୍ଷିକ ସମ୍ପର୍କରେ ସ୍ଥିରତା ଆସିବା ଆବଶ୍ୟକ ବୋଲି ସମ୍ମତ ହୋଇଥିଲେ। ସେହି ଆଧାରରେ ଆମେ ଭାରତ-ଚୀନ୍‌ ସୀମାନ୍ତର ପଶ୍ଚିମ ସେକ୍ଟର୍‌ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖାରେ ଉପୁଜିଥିବା ସମସ୍ୟାର ସମାଧାନ କରି ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବାକୁ ଚେଷ୍ଟା କରୁଛୁ। ଉଲ୍ଲେଖଯୋଗ୍ୟ, ଜୁଲାଇ ୨୪ ତାରିଖରେ ଜୋହନସ୍‌ବର୍ଗରେ ଆୟୋଜିତ ‘ବକ୍ସ୍‌ ଏନ୍‌ଏସ୍‌ଏ’ର ବୈଠକ ଅବସରରେ ଡୋଭାଲ୍‌ ୱାଙ୍ଗ୍‌ଙ୍କୁ ଭେଟିଥିଲେ।

Spread the love