ସର୍ବପୁରାତନ ମାଲକାନଗିରି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା କେବେ?
ମାଲକାନଗିରି: ରାଜ୍ୟରେ ସରକାର ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ଆଦିବାସୀ ଇଲାକା ମାଲକାନଗିରି ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଅନ୍ୟ ଜିଲ୍ଲା ତୁଳନାରେ ଆଗେଇ ପାରୁନାହିଁ। ଉଚ୍ଚ ଶିକ୍ଷା ପାଇଁ ଅର୍ଥର ଆବଶ୍ୟତକା ପଡୁଥିବା ବେଳେ ସମସ୍ତ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ସମ୍ଭବ ହୋଇପାରୁ ନାହିଁ। ଜିଲ୍ଲାରେ ଥିବା ସର୍ବପୁରାନ ମହାବିଦ୍ୟାଳୟକୁ ଆଜି ବି ଅଣଦେଖା ହୋଇ ରହିଛି। ଚଳିତମାସରେ ମାଲକାନଗିରି ମହାବିଦ୍ୟାଳୟକୁ ୪୪ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ତାହାକୁ ସରକାରୀ ମାନ୍ୟତା ମିଳିପାରୁନାହିଁ। ଫଳରେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନେ ଅଧିକ ଫି ଟଙ୍କା ଦେଇ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ମାଲକାନଗିରି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା କେବେ ମିଳିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।
ମାଲକାନଗିରି ଜିଲ୍ଲାରେ ପିଲାମାନେ ଉଚ୍ଚ ଶିକ୍ଷା କରିବା ପାଇଁ ୧୯୭୯ ମସିହା ଜୁଲାଇ ୯ ତାରିଖରେ ମାଲକାନଗିରି ମହାବିଦ୍ୟାଳୟ ଆରମ୍ଭ ହୋଇଥିଲା। ଏଥିରେ ଅଧିକାଂଶ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ପଢ଼ିବାର ସୁଯୋଗ ପାଇପାରିଥିଲେ। କାଳକ୍ରମେ ଗୋଟିଏ ପରେ ଗୋଟିଏ ବିଭାଗ ଖୋଲିବାରେ ଲାଗିଥିଲା ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା। ଏହି ମହାବିଦ୍ୟାଳୟରେ ବର୍ତ୍ତମାନ ଯୁକ୍ତ ତିନି ଓ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗ ରହିଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଏହି ମହାବିଦ୍ୟାଳୟରେ ଯୁକ୍ତ ତିନି କଳାର ଓଡିଆ ବିଭାଗରେ ୮୦ ଟି ସିଟ୍ ରହିଥିବା ବେଳେ ଇଂରାଜୀରେ ୩୨, ଅର୍ଥଶାସ୍ତ୍ରରେ ୩୨, ଇତିହାସରେ ୫୬, ଶିକ୍ଷାରେ ୬୪ ଓ ରାଜନୀତି ବିଜ୍ଞାନରେ ୫୬ ସ୍ନାତକ ସମ୍ମାନ ସିଟ୍ ରହିଛି।
ବାଣିଜ୍ୟ ବିଭାଗରେ ଆକାଉଣ୍ଟିଙ୍ଗ୍ ୧୨୮ଟି ସ୍ନାତକ ସମ୍ମାନ ସିଟ୍ ରହିଛି। ବିଗତବର୍ଷର ତଥ୍ୟରୁ ଜଣାପଡିଛି ଯେ, କଳା ଓ ବାଣିଜ୍ୟ ବିଭାଗରେ ଯୁକ୍ତ ତିନି ପ୍ରଥମ ବର୍ଷରେ ୨୪୩ ଜଣ, ଦ୍ବିତୀୟ ବର୍ଷରେ ୩୧୬ ଜଣ ଓ ତୃତୀୟ ବର୍ଷରେ ୩୬୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ତିନି ବର୍ଷରେ ୯୨୭ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ଏସ୍ସି ୨୩୧ ଜଣ ଓ ୪୮୪ ଜଣ ଏସିଟି ଛାତ୍ରଛାତ୍ରୀ ରହିଛନ୍ତି। ସେହିଭଳି ଯୁକ୍ତ ଦୁଇ କଳା ବିଭାଗରେ ୩୨୦ଟି ସିଟ୍ ରହିଥିବା ବେଳେ ବାଣିଜ୍ୟ ବିଭାଗରେ ୧୨୮ଟି ସିଟ୍ ରହିଛି। ସେହିପରି କଳା ଓ ବାଣିଜ୍ୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ୩୯୫ ଜଣ ଓ ଦ୍ବିତୀୟ ବର୍ଷରେ ୪୪୭ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ମୋଟ ୮୪୨ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ଏସ୍ସି ୧୮୩ ଜଣ ଏବଂ ଏସଟି ୪୮୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଆଜି ପର୍ଯ୍ୟନ୍ତ ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଖୋଲିପାରି ନାହିଁ। ମାଲକାନଗିରି ଜିଲ୍ଲାର ଅଧିକାଂଶ ଅନୁସୂଚିତ ଜନଜାତି ଓ ଜାତିର ଛାତ୍ରଛାତ୍ରୀ ଏହି ମହାବିଦ୍ୟାଳୟରେ ନାମ ଲେଖାଉଥିବା ବେଳେ ଫିସ୍ ମଧ୍ୟ ଅଧିକା ଦେବାକୁ ପଡୁଛି।
ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ନାମ ଲେଖାପାଇଁ ୧୦୭୨ ଟଙ୍କାରୁ ୧୨୧୫ ଟଙ୍କା ରହିଥିବା ବେଳେ ଏହି ମହାବିଦ୍ୟାଳୟରେ ଯୁକ୍ତ ତିନି ନାମଲେଖା ପାଇଁ ଫିସ୍ ୪୫୦୦ ଟଙ୍କା ଓ ଯୁକ୍ତ ଦୁଇ ପାଇଁ ୩୫୨୯ ଟଙ୍କା ରହିଛି। ଏଥିସହ ହଷ୍ଟେଲରେ ରହିବା ଫିସ୍ ପାଇଁ ବାର୍ଷିକ ୧୨୦୦ ଟଙ୍କା ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡୁଛି। ମହାବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ୩ଟି ଛାତ୍ରାବାସ ରହିଛି। ସେଥିରୁ ଛାତ୍ରଙ୍କ ପାଇଁ ୨ଟି ଓ ଗୋଟିଏ ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଏଥିସହ ମହାବିଦ୍ୟାଳୟରେ ଏନସିସି, ଏନଏସଏସ ଓ ଯୁବ ରେଡକ୍ରସ ରହିଛି। ନାକ୍ ଟିମ୍ ପକ୍ଷରୁ ମହାବିଦ୍ୟାଳୟକୁ ‘ସି’ ଗ୍ରେଡ ମିଳିଛି। ଏଠାରେ ଆକ୍ୟୁଏସି ସେଲ ରହିଥିବା ବେଳେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ, ବିଶ୍ବବ୍ୟାଙ୍କ ଓ ୟୁଜିସି ପକ୍ଷରୁ ଅନୁଦାନ ମିଳିଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ କହିବାନୁଯାୟୀ, ଶିକ୍ଷା ଗ୍ରହଣ ପାଇଁ ୨୨ଟି ଶ୍ରେଣୀଗୃହ, ସ୍ମାର୍ଟ କ୍ଲାସରୁମ୍ ଓ କମ୍ପ୍ୟୁଟର ଲ୍ୟାବ ରହିଛି। ଲାଇବ୍ରେରୀରେ ପାଖାପାଖି ୨୮ ହଜାରରୁ ଅଧିକ ବହି ରହିଛି। ଲାଇବ୍ରେରୀ ଘର ଭାଙ୍ଗିବାକୁ ବସିଥିବା ବେଳେ ନୂତନ କୋଠା ଅଧପନ୍ତରିଆ ଭାବେ ପଡିରିହିଛି। ମହାବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନିକ ସେବାରେ ନିଯୁକ୍ତି ପାଇଛନ୍ତି। ମହାବିଦ୍ୟାଳୟ ଉନ୍ନତି ପାଇଁ ୨୦୧୯ ମସିହାରେ ରାଜ୍ୟ ସରକାର ଦେଢ଼ କୋଟି ଦେବା ପାଇଁ ଘୋଷଣା କରିଥିଲେ କିନ୍ତୁ ତାହା ମିଳିପାରି ନାହିଁ। ଏଥିସହ ବିଗତ କିଛି ମାସ ପୂର୍ବରୁ ୫ଟି ଅଧିନରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଅତିରିକ୍ତ ଶ୍ରେଣୀଗୃହ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଛି। ମହାବିଦ୍ୟାଳୟଟି ଏବେ ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ହୋଇ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇପାରି ନାହିଁ। ସରକାରୀ ମାନ୍ୟତା ପାଇଲେ ଏହି ଅଞ୍ଚଳର ପିଲାମାନେ ଫି କମ ହେବ ଓ ଅଧିକ ନୂତନ ବିଭାଗ ଖୋଲିବା ସହ ଶିକ୍ଷାର ଉନ୍ନତି ଘଟିବ।