ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ-୨ର ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ ଆୟୋଜିତ

ଭୁବନେଶ୍ୱର, ନଭେମ୍ବର୧୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (କ୍ୟାମ୍ପସ-୨) ଫୁଲନଖରାରେ ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା ନୂତନ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ବୁଧବାର ହ୍ୱାଇଟ୍ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି । ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ-୨ର ଦ୍ୱିତୀୟ ବର୍ଷରେ ଏମ୍‌ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ହ୍ୱାଇଟ୍ କୋଟ ଉତ୍ସବରେ ୨୫୦ ଜଣ ଛାତ୍ରଛାତ୍ରୀ ମହର୍ଷି ଚରକଙ୍କ ଶପଥ ନେବା ସହ ମୂଲ୍ୟବୋଧ ଭିତିକ ଚିକିତ୍ସା କରିବା ନିମନ୍ତେ ପ୍ରତିବଦ୍ଧତା ପକାଶ କରିଥିଲେ ।
ଏଥିରେ ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଏମ୍‌ବିବିଏସ୍ଛା ତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏହି ଅବସରରେ ଶ୍ରୀମତି ଦାସ କହିଥିଲେ ଯେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଡାକ୍ତରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଉତ୍କର୍ଷତାର କେନ୍ଦ୍ର ଭାବେ ଉଭା ହୋଇଛି । ଯେଉଁମାନେ ଡାକ୍ତରଙ୍କ ଠାରୁ ଯତ୍ନ ଓ ସେବାର ଆକାଂକ୍ଷା ରଖିଥାନ୍ତି ସେମାନଙ୍କ ପ୍ରତି ଉପଯୁକ୍ତ ଦାୟିତ୍ୱ, ଉଚିତ ଆଚରଣ ଏବଂ ସମ୍ମାନ ପ୍ରଦର୍ଶନ କରିବାର ନିଦର୍ଶନ ହେଉଛି ଏହି ହ୍ୱାଇଟ କୋଟ ବୋଲି ଶ୍ରୀମତି ଦାସ କହିଥିଲେ ।
ପ୍ରତି ଛାତ୍ରଛାତ୍ରୀଙ୍କ ଭିତରେ ନିଃସ୍ୱାର୍ଥପର ସେବା, କରୁଣା ଓ ସମର୍ପଣ ମନୋଭାବ ରହିବା ଉଚିତ୍ ବୋଲି ମତ ରଖି ସେ କହିଥିଲେ ଯେ ଏହି ହ୍ୱାଇଟ କୋଟ୍ ଉତ୍ସବ ସେମାନଙ୍କ ଏହି ଯାତ୍ରାର ଆରମ୍ଭ ନୁହେଁ ମାତ୍ର ଏହା ମନୁଷ୍ୟ ସମାଜର ସେବା କରିବା ନିମନ୍ତେ ଏକ ପ୍ରତିବଦ୍ଧତା । ଏହି କୋଟ ପରିଧାନ କରିବା ପରେ ସେମାନଙ୍କ ଦାୟିତ୍ୱ ଓ କର୍ତବ୍ୟ କ’ଣ ରହିଛି ସେ ବିଷୟରେ ପ୍ରଥମେ ଅବଗତ ହେବା ଜରୁରୀ ବୋଲି ସୋଆ ଉପସଭାପତି କହିଥିଲେ । କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୂତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନଆଇଆରଏଫ୍‌) ର‌୍ୟାଙ୍କିଙ୍ଗସ ୨୦୨୫ରେ ସୋଆ ଦେଶର ଶ୍ରେଷ୍ଠ ୧୫ତମ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ହାସଲ କରିଥିବା ବେଳେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ମଧ୍ୟ ଦେଶର ୧୫ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସ୍ଥାନୀତ ହୋଇଛି । ଏଭଳି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବା ନିମନ୍ତେ ଚୟନ କରିଥିବାରୁ ସେ ଉଭୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଡାକ୍ତରୀ ଶିକ୍ଷାକୁ ଏକ ମହାନ ବୃତି ଭାବେ ବର୍ଣ୍ଣନା କରି ସେ ଛାତ୍ରଛାତ୍ରୀମାନଙ୍କୁ ଉତମ ଶିକ୍ଷା ଲାଭ କରିବା ସହିତ ସମାଜ ଓ ରୋଗୀଙ୍କ ପ୍ରତି ଦୟାଳୁ ମନୋଭାବ ସହ ଉତମ ଡାକ୍ତର ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୋଆର ପୂର୍ବତନ ଉପକୁଳପତି ତଥା ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡାକ୍ତରୀ ବୃତିକୁ କେବଳ ପେସା ଭାବେ ଗ୍ରହଣ ନ କରି ଛାତ୍ରଛାତ୍ରୀମାନେ ସେବା ମନୋଭାବ ରଖି ଏହା ଅଧ୍ୟୟନ କରିବା ଉଚିତ୍ ବୋଲି କହିଥିଲେ । କଠିନ ପରିଶ୍ରମ, ସମୟାନୁବର୍ତିତା ଓ ସକାରାତ୍ମକ ଚିନ୍ତାଧାରା ଆଦି ଗୁଣ ସବୁ ଛାତ୍ରଛାତ୍ରୀଙ୍କ ଠାରେ ରହିବା ଉଚିତ୍ ବୋଲି ପ୍ରଫେସର ସାହୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜିତ ମହାନ୍ତି, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ସର୍ବଦା ସେବା ମନୋଭାବ ନେଇ ରୋଗୀଙ୍କ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୨ ଫୁଲନଖରାର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ମହର୍ଷି ଚରକଙ୍କ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌-୨ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ହସ୍ପିଟାଲର ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ତାପସୀ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ବିଭାଗୀୟ ମୁଖ୍ୟ, ସିନିୟର ଫ୍ୟାକଲ୍ଟି, ଆଡିସ୍‌ନାଲ୍ ଡିନ୍‌, ଡାକ୍ତର, ନର୍ସ ଛାତ୍ରଛାତ୍ରୀଙ୍କର ଅଭିଭାବକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love