ନିଲାମ ହେଲା ବିଶ୍ବର ସବୁଠୁ ବଡ ଧଳା ହୀରା, ଏତିକି ଦାମ୍ରେ ହେଲା ବିକ୍ରି
ଜେନେଭା ୧୩।୫: ହୀରାକୁ ନେଇ ଲୋକଙ୍କ ମଧ୍ୟରେ ଅଲଗା ଅଲଗା କ୍ରେଜ୍ ରହିଛି । ଏହି କାରଣରୁ ହୀରା ଗହଣାର ଚାହିଦା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ଲୋକମାନେ ଗହଣା ବ୍ୟତୀତ ଖାଲି ହୀରା କିଣିବାକୁ ମଧ୍ୟ ଚାହୁଁଛନ୍ତି । ତେବେ ବିଶ୍ବର ସବୁଠୁ ବଡ ଧଳା ହୀରା ‘ଦି ରକ୍’କୁ ୧ ଅରବ ୬୯ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଏଥିରୁ ଅନୁମାନ କରିପାରୁଥିବେ ଯେ ଲୋକମାନେ ହୀରା କିଣିବାକୁ କେତେ ଉତ୍ସାହିତ ଅଛନ୍ତି ।
ମିଡିଆ ରିପୋର୍ଟ ଅନୁସାରେ, ଏହି ହୀରାର ଓଜନ ୨୨୮.୩୧ କ୍ୟାରେଟ୍ । ତେବେ ହୀରା କିଏ କିଣିଛି ସେ ସମ୍ପର୍କରେ ଆୟୋଜକଙ୍କ ତରଫରୁ ସୂଚନା ଦିଆଯାଇନାହିଁ । ନିଲାମରେ ୫ ଜଣ ଲୋକ ଅଂଶଗ୍ରହଣ କରିଥିଲେ ବୋଲି କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩ଜଣ ଆମେରିକାର ଥିବାବେଳେ ୨ଜଣ ମଧ୍ୟ ମିଡିଲ ଇଷ୍ଟର ଥିଲେ । ସୁରକ୍ଷା ଦୃଷ୍ଟିରୁ ଏମାନଙ୍କ ପରିଚୟ ପ୍ରଦାନ କରାଯାଇନାହିଁ ।
ସୂଚନାଯୋଗ୍ୟ ଯେ, ଏହି ହୀରା ୨୦୦୦ ଦଶକ ଆରମ୍ଭରୁ ଖନନ ବେଳେ ବାହାରିଥିଲା । ଏହାକୁ ପ୍ରଥମେ ଜଣେ ଅଳଙ୍କାର ସଂଗ୍ରହକାରୀ କିଣିଥିଲେ । ପରେ ସେ ଏହାକୁ ହାର ତିଆରିରେ ବ୍ୟବହାର କରିଥିଲେ । ଏବେ ୮ ବର୍ଷ ପରେ ସେ ଏହାକୁ ବିକ୍ରି କରିଛନ୍ତି । କୁହାଯାଉଛି ଯେ, ଏହି ହୀରା ଦୁର୍ଲଭ । ଏଥିପାଇଁ ଏହାର ବହୁତ ଚାହିଦା ରହିଛି । ଏହି ହୀରା ପ୍ରଥମେ ନ୍ୟୁୟର୍କରେ ପ୍ରଦର୍ଶିତ ହୋଇଥିଲା । ଏହା ପରେ ଏହାକୁ ପ୍ରଦର୍ଶନ ପାଇଁ ଦୁବାଇ ନିଆଯାଇଥିଲା । ତାଇପେଇରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ତାପରେ ଏହାକୁ ମେ’ ୧୧ରେ ଜେନେଭାରେ ବିକ୍ରି କରାଯାଇଥିଲା ।