ବ୍ରହ୍ମପୁର ଲୋକସଭା ଆସନରେ ବିଜେପିର ସ୍ଥିତି: ଭୃଗୁଙ୍କ ପରେ ଦ୍ବିତୀୟ ମୁହଁ କିଏ?

ବ୍ରହ୍ମପୁର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜର ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବାରେ ଲାଗି ପଡ଼ିଛନ୍ତି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ଆଗଧାଡ଼ିର ନେତା ଓ କର୍ମୀଙ୍କୁ ନେଇ ସମାବେଶ କରିବା ସହ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ବ୍ରହ୍ମପୁର ଲୋକସଭା ଆସନକୁ ବିଚାରକୁ ନେଲେ ଏହି ତିନି ଦଳ ଏବେ ସମ୍ଭାବ୍ୟ ପ୍ରାର୍ଥୀ ଯୋଗାଡ଼ରେ ଲାଗିଥିବା ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି। ନେତାଙ୍କ ଅଭିଜ୍ଞତା ଓ ଲୋକପ୍ରିୟତା ସହ କାହାକୁ ପ୍ରାର୍ଥୀ କରାଗଲେ ବିଜୟ ସମ୍ଭାବନା ରହିବ ଏହାକୁ ପ୍ରାଥମିକତା ଦିଆଯାଉଛି। ବିଜେଡିକୁ ଟକ୍କର୍‌ ଦେବା ଭଳି ଜଣେ ନେତାଙ୍କୁ ବିଜେପି ପ୍ରାର୍ଥୀ କରିବା ସହ ଏହି ଲୋକସଭା ଆସନ ହାତେଇବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି। ସେଥିପାଇଁ ବିଜେପିର କେନ୍ଦ୍ରୀୟ ନେତା ବିଭିନ୍ନ ସମୟରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି। ବିଜେପିରୁ ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ ଭାବେ ବର୍ତ୍ତମାନ ଭୃଗୁ ବକ୍ସିପାତ୍ରଙ୍କ ନାମ ହିଁ ଚର୍ଚ୍ଚାରେ ରହିଛି। ଯଦି କୌଣସି ନା କୌଣସି କାରଣରୁ ଦଳ ତାଙ୍କୁ ଟିକଟ ନଦେଉଛି ତେବେ ଦ୍ବିତୀୟ ମୁହଁ କିଏ ? ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ବକ୍ସିପାତ୍ର ବିଜେପିରୁ ବ୍ରହ୍ମପୁର ଲୋକସଭା ଆସନରେ ଲଢ଼ିଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ଦଳ ପୁଣିଥରେ ତାଙ୍କ ଉପରେ ଭରସା କରୁଛି ନା ନୂଆ ଚେହେରାକୁ ପ୍ରାର୍ଥୀ କରିବ ତାହା ଆଗାମୀ ଦିନରେ ସ୍ପଷ୍ଟ ଜଣାପଡ଼ିବ।

ଗଞ୍ଜାମ ଜିଲ୍ଲାରେ ବିଜେଡି ସୁଦୃଢ଼ ସ୍ଥିତିରେ ରହିଛି। ବିଜେଡିକୁ ଚେକ୍‌ ଦେବା ପାଇଁ ବିଜେପିର କେନ୍ଦ୍ରୀୟ ନେତା ଗୁରୁମନ୍ତ୍ର ଦେବା ସହ ନୂଆ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। ବିଗତ ଦିନରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଦର୍ଶନା ଜର୍ଦୋସ ଆଗାମୀ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ଗୁଜରାଟ ମଡେଲ୍‌ ପ୍ରୟୋଗ କରାଯିବ ବୋଲି ସୂଚନା ଦେଇଥିଲେ। ଏହି ଫର୍ମୁଲା କେନ୍ଦ୍ରମନ୍ତ୍ରୀଙ୍କ ନିଜସ୍ବ ବୟାନ ହୋଇ ନପାରେ, ଏହା ପଛରେ ଦଳର କେନ୍ଦ୍ରୀୟ କମାଣ୍ଡଙ୍କ ସ୍ପଷ୍ଟ ଇଙ୍ଗିତ ନିଶ୍ଚୟ ରହିଛି। ଏଣୁ କେନ୍ଦ୍ରମନ୍ତ୍ରୀଙ୍କ ଗୁଜରାଟ ମଡ଼େଲ୍‌ ବୟାନ ଉପରେ ଏବେ ରାଜେନୖତିକ ବିଶେଷଜ୍ଞଙ୍କ ନଜର ରହିଛି। କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ତା’ର ସ୍ଥିତି ଜାହିର ପାଇଁ ପ୍ରୟାସ ଜାରି ରଖିଛି। ତିନି ପ୍ରମୁଖ ରାଜନୈତିକ ଦଳର ଫୋକସ୍‌ ଏବେ ୨୦୨୪ ନିର୍ବାଚନ ଉପରେ। ୨୦୧୯ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରେ ବିଜେଡିରୁ ଚନ୍ଦ୍ରଶେଖର ସାହୁ ପ୍ରାର୍ଥୀ ହୋଇଥିବା ବେଳେ ଶ୍ରୀ ବକ୍ସିପାତ୍ର ବିଜେପି ପ୍ରାର୍ଥୀ ହୋଇଥିଲେ। ଭି. ଚନ୍ଦ୍ରଶେଖର ନାଇଡ଼ୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ିଥିଲେ। ବିଜେଡି ପ୍ରାର୍ଥୀ ଶ୍ରୀ ସାହୁ ୪ଲକ୍ଷ ୪୩ହଜାର ୮୪୩ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ଶ୍ରୀ ବକ୍ସିପାତ୍ର ୩ଲକ୍ଷ ୪୮ହଜାର ୯୯୯ ଭୋଟ୍‌ ପାଇଥିଲେ। ୯୪,୮୪୪ ଖଣ୍ଡ ଭୋଟରେ ଶ୍ରୀ ସାହୁ ବିଜୟୀ ହୋଇଥିଲେ। ୨୦୨୪ ନିର୍ବାଚନରେ ବିଜେଡିରୁ ପୁଣି ଶ୍ରୀ ସାହୁଙ୍କୁ ଟିକଟ ମିଳିବା ଏକ ପ୍ରକାର ନିଶ୍ଚିତ। ସେଭଳି ବିଜେପିରେ ଶ୍ରୀ ବକ୍ସିପାତ୍ରଙ୍କୁ ବାଦ୍‌ ଦେଇ ଅନ୍ୟ କୌଣସି ବିକଳ୍ପ ଚେହେରା ବର୍ତ୍ତମାନ ସୁଦ୍ଧା ଦେଖାଯାଉ ନାହାନ୍ତି। ସେ ଜଣେ ରାଜ୍ୟସ୍ତରୀୟ ଅଭିଜ୍ଞ ନେତା। ବର୍ତ୍ତମାନ ସ୍ଥିତିରେ ତାଙ୍କୁ ବାଦ୍‌ ଦେଲେ ବ୍ରହ୍ମପୁର ଲୋକସଭା ଆସନରେ ବିଜେପିର ପ୍ରାର୍ଥୀ କିଏ ହେବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ସେପଟେ ଶ୍ରୀ ବକ୍ସିପାତ୍ର ଆଗାମୀ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ପୁଣିଥରେ ନିର୍ବାଚନ ଲଢ଼ି ନିଶ୍ଚିତ ବିଜୟୀ ହେବା ନେଇ ପୂର୍ବରୁ ସୂଚନା ଦେଇ ସାରିଛନ୍ତି।

ବ୍ରହ୍ମପୁର ଓ ଆସିକା ଲୋକସଭା ଆସନ ପାଇଁ ପ୍ରବାସୀ ଭୋଟ୍‌ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଏଣୁ ବିଜେପି ସୁରତରେ ରହୁଥିବା ଓଡ଼ିଆ ପ୍ରବାସୀଙ୍କ ଭୋଟ୍‌ ଉପରେ ଯେ ଏଥର ନଜର ପକାଇଛି, ତାହା କେନ୍ଦ୍ରମନ୍ତ୍ରୀଙ୍କ ବୟାନରୁ ବାରି ହେଉଛି। ଏଥିପାଇଁ ସୁରତର ସାଂସଦ ତଥା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋସଙ୍କୁ ବ୍ରହ୍ମପୁର ଓ ଆସିକା ଲୋକସଭାର ପ୍ରଭାରୀ ଦାୟିତ୍ବ ଦିଆଯାଇଛି। ତାଙ୍କ ମାର୍ଗଦର୍ଶନରେ ପୂର୍ବତନ ରାଜ୍ୟ ବିଜେପି ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ସୁରତରେ ପ୍ରବାସୀ ଓଡ଼ିଆଙ୍କ ମୋର୍ଚ୍ଚା ସମ୍ଭାଳିଛନ୍ତି। ସୁରତ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ସହରରେ ଶ୍ରୀ ପାଢ଼ୀଙ୍କ ନେତୃତ୍ବରେ ପ୍ରବାସୀ ଓଡ଼ିଆଙ୍କ ବୈଠକ କରି ରଣନୀତି ପ୍ରସ୍ତୁତ କରାଯାଉଛି। ଶ୍ରୀ ପାଢ଼ୀ ପ୍ରବାସୀ ସଙ୍ଗଠନକୁ ମଜବୁତ କରି ଆଗାମୀ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଇଚ୍ଛୁକ ଥିବା ନେଇ ସଂକେତ ଦେଇ ସାରିଲେଣି। କିନ୍ତୁ ବ୍ରହ୍ମପୁର ବିଜେପି ଲୋକସଭା ଆସନର ଭାଗ୍ୟ କେନ୍ଦ୍ରୀୟ କାର୍ଯ୍ୟକର୍ତ୍ତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି।

Spread the love