କାହା ସହ ସେମିଫାଇନାଲ୍ ଖେଳିବ ଭାରତ? ନ୍ୟୁଜିଲାଣ୍ଡ୍‌, ପାକିସ୍ତାନ ନା ଆଫଗାନିସ୍ତାନ

ଭୁବନେଶ୍ବର: ଭାରତ କାହା ସହ ସେମିଫାଇନାଲ୍‌ ଖେଳିବ ଏବେ ଏହି‌ ଗୋଟିଏ ପ୍ରଶ୍ନକୁ ନେଇ ଚାରିଆଡେ ଚର୍ଚ୍ଚା ଓ ଆଲୋଚନା। ମଙ୍ଗଳବାର ରାତିରେ ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ଧୂଆଁଧାର ଦ୍ବିଶତକ (୨୦୧*, ୧୨୮ ବଲ୍‌) ଅଷ୍ଟ୍ରେଲିଆର ସେମିଫାଇନାଲ ସ୍ଥାନ ପକ୍କା କରିଦେବା ପରେ ଆଲୋଚନା ଏବେ ଗୋଟିଏ ଦିଶାରେ ରହିଛି। ରୋହିତ ସେନା ପଏଣ୍ଟ ଟେବୁଲ୍‌ର ଶୀର୍ଷସ୍ଥାନକୁ ଦଖଲ କରି ସାରିଥିବାରୁ ଏଥି ପ୍ରତି ଆଉ କୌଣସି ବିପଦ ନାହିଁ। ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟ ପରବର୍ତୀ ଦୁଇ ସ୍ଥାନରେ ରହିବା ନିଶ୍ଚିତ ହୋଇସାରିଥିବାରୁ ଉଭୟ ପରସ୍ପର ସହ ସେମିଫାଇନାଲ୍ ଖେଳିବା ସ୍ପଷ୍ଟ ହୋଇଯାଇଛି। କେବଳ ଗୋଟିଏ ପ୍ରଶ୍ନ ହେଉଛି ଭାରତ କାହା ସହ ସେମିଫାଇନାଲ୍ ଖେଳିବ। ଅର୍ଥାତ୍ ପ୍ରଥମ ୩ ସ୍ଥାନ ସିଲ୍ ହୋଇଯାଇଥିବାରୁ ଚତୁର୍ଥ ସ୍ଥାନ ପାଇଁ ଏବେ ଦୌଡ଼ରେ ରହିଛନ୍ତି ତିନୋଟି ଦଳ-ନ୍ୟୁଜିଲାଣ୍ଡ୍‌, ପାକିସ୍ତାନ ଓ ଆଫଗାନିସ୍ତାନ। ଏହି ୩ ଦଳ ୮ ପଏଣ୍ଟ ଲେଖାଏଁ ପାଇଥିବାବେଳେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବା ବାକି ରହିଛି। ଏହ‌ି ତିନି ଦଳ ମଧ୍ୟ ସେମାନଙ୍କ ଶେଷ ଲିଗ୍ ମ୍ୟାଚ୍‌ ଅଲଗା ଅଲଗା ପ୍ରତିଦ୍ବନ୍ଦ୍ବୀଙ୍କ ସହ ଖେଳିବାକୁ ଯାଉଥିବାରୁ ସୁଯୋଗ ମୁକୁଳା ରହିଛି। ଆସନ୍ତୁ ସମ୍ଭାବ୍ୟ ୪ ଦୃଶ୍ୟପଟ୍ଟ ଉପରେ ନଜର ପକାଇନେବା।

ଦୃଶ୍ୟପଟ୍ଟ-୧
ନ୍ୟୁଜିଲାଣ୍ଡ୍‌ ଗୁରୁବାର ଶ୍ରୀଲଙ୍କା ସହ ଖେଳିବ। ନ୍ୟୁଜିଲାଣ୍ଡ୍‌ ଉନ୍ନତ ଏନ୍‌ଆର୍‌ଆର୍‌ (+୦.୩୯୮) ରଖିଥିବାରୁ ଏକପ୍ରକାର ସୁବିଧା ସ୍ଥିତିରେ ରହିଛି। ଶ୍ରୀଲଙ୍କା ବିଦାୟ ନେଇ ସାରିଛି, କିନ୍ତୁ ନ୍ୟୁଜିଲାଣ୍ଡ୍‌କୁ ଏହି ମ୍ୟାଚ୍‌ ପ୍ରଥମେ ଜିତିବା ମଧ୍ୟ ଜରୁରୀ ରହିଛି। ଶୁକ୍ରବାର ଆଫଗାନିସ୍ତାନ ‌ଖେଳିବ ଦକ୍ଷିଣ ଆଫ୍ରିକା ସହିତ। ଦକ୍ଷିଣ ଆଫ୍ରିକା ଯୋଗ୍ୟତା ଅର୍ଜନ କରି ସାରିଥିବାରୁ ନିଜ ବିଯୁକ୍ତାତ୍ମକ ଏନ୍‌ଆରଆର୍‌କୁ ସୁଧାରିବାକୁ ଚାହିଁବ ଏବଂ ‌ସେମିଫାଇନାଲ୍ ପୂର୍ବରୁ ବିଜୟ ଲୟରେ ରହିବାକୁ ପସନ୍ଦ କରିବ। ଗୁରୁବାର ଯଦି ନ୍ୟୁଜିଲାଣ୍ଡ୍‌ ଜିତିଯାଇଥିବ ତେବେ ପ୍ରାୟତଃ ଆଫଗାନିସ୍ତାନର ଅଭିଯାନ ମ୍ୟାଚ୍‌ ପୂର୍ବରୁ ଶେଷ ହୋଇଯିବ। କାରଣ ଦଳର ଖରାପ ଏନ୍‌ଆର୍‌ଆର୍‌ (-୦.୩୩୮) ଚଳିତ ବିଶ୍ବକପ୍‌ରେ ସର୍ବବୃହତ ବିଜୟ ଆବଶ୍ୟକତା ରଖିବ। ସେହିଭଳି ପାକିସ୍ତାନ ଶନିବାର ଖେଳିବ ଇଂଲଣ୍ଡ ସହିତ। ପୂର୍ବ ଦୁଇଦିନଠାରୁ ନ୍ୟୁଜିଲାଣ୍ଡ୍‌ ଓ ଆଫଗାନିସ୍ତାନ ଖେଳିସାରିଥିବାରୁ ପାକିସ୍ତାନ ନିଜ ମ୍ୟାଚ୍‌ ପୂର୍ବରୁ ନିଜ ସମ୍ଭାବନା ଓ ସ‌ୁଯୋଗ ସମ୍ପର୍କରେ ଚିତ୍ର ପାଇଯିବ। କେତେ ବ୍ୟବଧାନରେ ଜିତିବାକୁ ହେବ ନିଶ୍ଚିତ ଦଳକୁ ଏକ ଲକ୍ଷ୍ୟ ମିଳିଯିବ। ଗୁରୁବାର ନ୍ୟୁଜିଲାଣ୍ଡ୍‌ ଜିତିଥିଲେ ପାକିସ୍ତାନକୁ ବଡ଼ ବ୍ୟବଧାନ ବିଜୟ ଆବଶ୍ୟକ ପଡ଼ିବ, ଯାହାକି ଏହି ପୂର୍ବ ବିଜେତା ଦଳ ପାଇଁ କାଠିକର ପାଠ ହୋଇପାରେ। ସେହିଭଳି ଶ୍ରୀଲଙ୍କା ବିପକ୍ଷରେ ଯଦି ନ୍ୟୁଜିଲାଣ୍ଡ୍‌ ବଡ଼ ବ୍ୟବଧାନରେ ଜିତିଥିବ ତେବେ ପାକିସ୍ତାନ ପାଇଁ ବାଟ ଏକପ୍ରକାର ଶନିବାର ମ୍ୟାଚ୍‌ ପୂର୍ବରୁ ଶେଷ‌ ହୋଇଯିବ।

ଦୃଶ୍ୟପଟ୍ଟ-୨
ଗୁରୁବାର ଯଦି ଶ୍ରୀଲଙ୍କାଠାରୁ ନ୍ୟୁଜିଲାଣ୍ଡ ହାରିଥିବ ଏବଂ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଫଗାନିସ୍ତାନ ଜିତିଯିବ ତେବେ ପାକିସ୍ତାନ ଏଭଳି କ୍ଷେତ୍ରରେ ଇଂଲଣ୍ଡକୁ ହରାଇ ସେମିଫାଇନାଲ୍ ଉଠି ପାରିବ। ଏଭଳି କ୍ଷେତ୍ରରେ ନ୍ୟୁଜିଲାଣ୍ଡ୍‌ର ୮ ପଏଣ୍ଟରେ ସୀମିତ ରହି ବିଦାୟ ନେବ ଏବଂ ପାକିସ୍ତାନ ଓ ଆଫଗାନିସ୍ତାନ ୧୦ ପଏଣ୍ଟରେ ଟାଇ ହେଉଥିବାରୁ ଉନ୍ନତ ଏନ୍‌ଆର୍‌ଆର୍‌ ନିର୍ଣ୍ଣାୟକ ହେବ। ପାକିସ୍ତାନ (+୦.୦୩୬) ଏ କ୍ଷେତ୍ରରେ ଆଫଗାନିସ୍ତାନ (-୦.୩୩୮)ଠାରୁ ଆଗରେ ରହିଛି। ଏହି ଫଳାଫଳ ମିଳିଲେ ଭାରତ-ପାକିସ୍ତାନ ସେମିଫାଇନାଲ୍‌ ନଭେମ୍ବର ୧୬ ତାରିଖରେ କୋଲକାତାରେ ଖେଳାଯିବ।

ଦୃଶ୍ୟପଟ୍ଟ-୩
ଯଦି ତିନି ଆଶାୟୀ ନ୍ୟୁଜିଲାଣ୍ଡ୍‌, ପାକିସ୍ତାନ ଓ ଆଫଗାନିସ୍ତାନ ସେମାନଙ୍କ ଶେଷ ଲିଗ୍ ମ୍ୟାଚ୍ ହ‌ାରିଯାଉଛନ୍ତି ତେବେ ସଭିଏଁ ୮ ପଏଣ୍ଟରେ ସୀମିତ ରହିବେ। ଏଭଳି କ୍ଷେତ୍ରରେ ମଧ୍ୟ ଉନ୍ନତ ଏନ୍ଆର୍‌ଆର୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ। ପାକିସ୍ତାନ ଓ ଆଫଗାନିସ୍ତାନଠାରୁ ଆଗରେ ଥିବାରୁ କେନ୍‌ ୱିଲିୟମ୍‌ସନଙ୍କ ଦଳ ଫାଇଦାରେ ରହିବ।

ଦୃଶ୍ୟପଟ୍ଟ-୪
ଗୁରୁବାରର ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ ଉପରେ ବର୍ଷାର ପୂର୍ବାନୁମାନ ଥିବାରୁ ଏହା ଯଦି ସମ୍ପୂର୍ଣ୍ଣ ଧୋଇଯିବ ତେବେ ପାକିସ୍ତାନକୁ ସାଧାରଣ ବିଜୟ ବି ଆଗକୁ ନେଇଯିବ। ତଥାପି ଘାଇଲା ଇଂଲଣ୍ଡକୁ ବାବର ଆଜମଙ୍କ ଦଳକୁ ହରାଇବାକୁ ପଡ଼ିବ। ଆଫଗାନିସ୍ତାନ ଜିତିଥିଲେ ମଧ୍ୟ ପାକିସ୍ତାନ ସହ ପୁଣି ୧୦ ପଏଣ୍ଟ ଟାଇ ସ୍ଥିତି ଉପୁଜିବ। ଆଶାୟୀ ୩ ଦଳର ସମସ୍ତ ଲିଗ୍ ମ୍ୟାଚ୍‌ ବର୍ଷା ଧୋଇନେଲେ ନ୍ୟୁଜିଲାଣ୍ଡ୍‌ ମଧ୍ୟ ଫାଇଦାରେ ରହିବ। ମୋଟାମୋଟି ଭାବେ ଗୁରୁବାରର ନ୍ୟୁଜିଲାଣ୍ଡ୍‌-ଶ୍ରୀଲଙ୍କା ମ୍ୟାଚ୍‌ ଫଳାଫଳାରୁ ଭାରତ ସହ କିଏ ସେମିଫାଇନାଲ୍ ଖେଳିବ ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

Spread the love