କେବଳ ୧୦ ଦିନ ପାଇଁ କାହିଁକି ଆସନ୍ତି ଗଣପତି, ଜାଣନ୍ତୁ ଏହା ପଛରେ ଥିବା ପୌରାଣିକ ମାନ୍ୟତା

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ଭଗବାନ ଶ୍ରୀ ଗଣେଶ ଘରକୁ ବିରାଜମାନ କରନ୍ତି। ଏହାର ଠିକ୍‌ ୧୦ ଦିନ ପରେ ଅର୍ଥାତ୍‌ ଅନନ୍ତ ଚତୁର୍ଦ୍ଦଶୀ ଦିନ ଭଗବାନଙ୍କୁ ବିସର୍ଜନ କରାଯାଏ। ଅନେକ ସ୍ଥାନରେ ଦେଢ ଦିନ, ୫ ଦିନ ପରେ ମଧ୍ୟ ଗଣେଶଙ୍କୁ ବିସର୍ଜନ କରାଯାଏ। ଦେଶର ବିଭିନ୍ନ ସ୍ଥାନରେ ଗଣେଶ ପୂଜାକୁ ମହାଆଡମ୍ବରରେ ପାଳନ କରାଯାଏ।

ହିନ୍ଦୁ ଧର୍ମରେ ଶ୍ରୀଗଣେଶ ହେଉଛନ୍ତି ଅଗ୍ର ପୂଜ୍ୟ । କୌଣସି ବି ପୂଜା ହେଲେ ଶ୍ରୀ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ । ଭଗବାନ ଗଣେଶଙ୍କୁ ବିଘ୍ନହର୍ତା କୁହାଯାଏ । ସର୍ବ ବିଘ୍ନ ବିନାଶକ ସେ.. ମନୁଷ୍ୟର ସମସ୍ତ ବିଘ୍ନ ନାଶ କରିଥାନ୍ତି । ମାନ୍ୟତା ରହିଛି ଶ୍ରୀ ଗଣେଶଙ୍କ କୃପା ଦୃଷ୍ଟି ରହିଲେ ସବୁ କଷ୍ଟ ଦୂର ହୋଇଥାଏ । ତେବେ ଗଣେଶ କ’ଣ ପାଇଁ ୧୦ ଦିନ ବିରାଜମାନ କରନ୍ତି। ୧୦ ଦିନ ପରେ ଗଣେଶଙ୍କୁ ବିସର୍ଜନ କରିବା ପଛର କାରଣ କ’ଣ ରହିଛି ଜାଣିଛନ୍ତି କି ? ଏହାର ସମ୍ବନ୍ଧ ମହାଭାରତ ସହିତ ଜଡିତ ରହିଛି।

ମାନ୍ୟତା ଅନୁସାରେ ଭାଦ୍ରବ ମାସ ଶୁକ୍ଲପକ୍ଷ ଗଣେଶ ଚତୁର୍ଥୀ ଦିନ ପ୍ରଭୁ ଶ୍ରୀ ଗଣେଶଙ୍କର ଜନ୍ମ ହୋଇଥିଲା। ପୌରାଣିକ କଥା ଅନୁଯାୟୀ, ଗଣେଶ ଚତୁର୍ଥୀ ଦିନ ହିଁ ମହାଭାରତ ଲେଖାଯାଇଥିଲା। ମହର୍ଷି ବେଦବ୍ୟାସ ମହାଭାରତର ରଚନା ପାଇଁ ଗଣେଶଙ୍କୁ ଲେଖିବା ପାଇଁ ପ୍ରାର୍ଥନା କରିଥିଲେ। ଆଉ ଶ୍ରୀ ଗଣେଶ କହିଥିଲେ, ଯଦି ସେ ଲେଖିବେ, ତେବେ ଆଉ କଲମ ବନ୍ଦ କରିବେ ନାହିଁ। ମହାଭାରତ ଲେଖିବା ପାଇଁ ୧୦ ଦିନ ସମୟ ଲାଗିଥିଲା।

ଅନନ୍ତ ଚତୁର୍ଦ୍ଦଶୀ ଦିନ ମହାଭାରତ ଲେଖିବା କାମ ସମାପ୍ତ ହୋଇଥିଲା। ଗଣେଶଙ୍କ ଶରୀର ସ୍ଥାଣୁ ହୋଇଯାଇଥିଲା। ବିଲକୁଲ ନ ହଲିବା କରଣରୁ ଶରୀରରେ ଧୂଳିମଳି ଜମି ଯାଇଥିଲା। ସେତେବେଳେ ଗଣେଶ ସରସ୍ୱତୀ ନଦୀରେ ସ୍ନାନ କରି ନିଜ ଶରୀରର ମଇଳାକୁ ସଫା କରିଥିଲେ। ଖାସ୍‌ ଏଥିପାଇଁ ଗଣପତିଙ୍କ ସ୍ଥାପନା ୧୦ ଦିନ ପାଇଁ କରାଯାଏ ଏବଂ ପରେ ବିସର୍ଜନ କରାଯାଏ।

ଗଣେଶ ଉତ୍ସବକୁ ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖିବାକୁ ଗଲେ, ମନରେ ହୋଇଥିବା ଦ୍ୱେଷକୁ ଦୂର କରିବା ପାଇଁ ୧୦ ଦିନ ସମୟ ମଣିଷକୁ ଲାଗିଥାଏ। ଏହି ସମୟରେ ବ୍ୟକ୍ତି ନିଜର ସଂପୂର୍ଣ୍ଣ ଧ୍ୟାନ ଗଣେଶଙ୍କ ଭକ୍ତିରେ ଲଗାଇବା ଜରୁରୀ ହୋଇଥାଏ। ଆପଣ ବି ଏଥର ଘରକୁ ଗଜାନନ ଙ୍କୁ ଆଣି ତାଙ୍କ ପୂଜା କରନ୍ତୁ.. ଆଉ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ କିଛି ଭୁଲ କରିଥିଲେ କ୍ଷମା ମାଗନ୍ତୁ..ସମସ୍ୟା ଥିଲେ ପ୍ରଭୁ ନିହାତି ଆପଣଙ୍କ ଦୁଃଖ ଦୂର କରିବେ ..

Spread the love