ଆଜି ଅନନ୍ତ ବ୍ରତ, ଜାଣନ୍ତୁ କଣ ରହିଛି ବିଧି ଏବଂ କାହିଁକି କରାଯାଏ ପାଳନ

ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ହେଉଛି ଅନନ୍ତ ଦେବଙ୍କ ବ୍ରତ ତିଥି । ସୁଖ ସମୃଦ୍ଧି କାମନା କରି ଅନନ୍ତ ଚତୁର୍ଦ୍ଦଶୀ ତିଥିରେ ଉଭୟ ପୁରୁଷ ଓ ମହିଳାମାନେ ଏହି ଅନନ୍ତବ୍ରତ ପାଳନ କରନ୍ତି । ଥରେ ଆରମ୍ଭ କଲେ ୧୪ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ନିଷ୍ଠାର ସହିତ ଏହି ବ୍ରତ ପାଳନ କରାଯାଏ ବୋଲି ବ୍ରତ ପାଳନକାରୀମାନେ ମତ ଦିଅନ୍ତି । ଏହି ଦିନ ଗଣେଶ ବିସର୍ଜନ ମଧ୍ୟ କରାଯାଏ ଯାହା ଫଳରେ ଏହାର ମାନ୍ୟତା ଆହୁରି ବଢିଯାଏ । ପୌରାଣିକ ମାନ୍ୟତା ଅନୁସାରେ ମହାଭାରତ କାଳରେ ଅନନ୍ତ ଚତୁଃଦର୍ଶୀ ବ୍ରତର ଆରମ୍ଭ ବୋଲି କୁହାଯାଏ। ଅନନ୍ତ ଚତୁଃଦର୍ଶୀରେ ଭଗବାନ ବିଷ୍ଣୁଙ୍କ ଏହି ଅନନ୍ତ ସ୍ୱରୂପକୁ ପ୍ରସନ୍ନ କରିବା ଏବଂ ଅନନ୍ତ ଫଳ ପାଇବା ଇଛାରେ ଏହି ବ୍ରତ ରଖାଯାଏ । ଏହି ଦିନ ବ୍ରତ ରଖିବା ସହିତ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରାଯାଇଥାଏ।

ଏହିଦିନ ପ୍ରତ୍ୟୁଷରୁ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରି ଶାଳଗ୍ରାମ ଶିଳା ବା ଧାତୁ ନିର୍ମିତ ଅନନ୍ତ ଅର୍ଥାତ୍ ଭଗବାନ ବିଷ୍ଣୁଙ୍କୁ ପ୍ରତିମାକୁ ସ୍ଥାପନା କରନ୍ତୁ । ତାଙ୍କର ଶରୀର ଓ ବସ୍ତ୍ର ଶୁକ୍ଳବର୍ଣ୍ଣ । ‘‘ଓଁ ଅନନ୍ତାୟ ନମଃ’’ ଏହି ମନ୍ତ୍ରଟିକୁ ଜପ କରି ଭଗବାନ ବିଷ୍ଣୁ ଏବଂ ଅନନ୍ତ ସୂତ୍ରକୁ ପୂଜା କରନ୍ତୁ । ପୂଜା ପରେ ଏହି ସୂତ୍ରକୁ ପୁରୁଷମାନେ ଡାହାଣ ହାତରେ ଏବଂ ମହିଳାମାନେ ବାମ ହାତର ଧାରଣା କରନ୍ତୁ । ଅନନ୍ତ ଚତୁର୍ଦ୍ଦଶୀ ବ୍ରତର ଗାଥା ଶୁଣନ୍ତୁ ଏବଂ ଅନ୍ୟକୁ ମଧ୍ୟ ଶୁଣାନ୍ତୁ । ସନ୍ଧ୍ୟା ସମୟରେ ଭଗବାନ ବିଷ୍ଣୁଙ୍କୁ ପୁଣି ଥରେ ପୂଜା କରନ୍ତୁ । ଏହାପରେ ବିନା ଲୁଣରେ ମିଠା ଖାଦ୍ୟ ସେବନ କରିବ ।ଏହି ସମୟରେ ଅଷ୍ଟକୁଳା ନାଗଙ୍କୁ ମଧ୍ୟ ପୂଜା କରାଯାଇଥାଏ ।

କଣ ରହିଛି ଇତିହାସ

ଏହି ବ୍ରତ ଅତିବ ପୁଣ୍ୟପ୍ରଦ ଅଟେ । ପାପାଚରଣ ନକରି ଧାର୍ମିକ ଜୀବନ ଚର୍ଯ୍ୟା ପାଇଁ ମଧ୍ୟ ଏହି ଅନନ୍ତବ୍ରତରୁ ଉପଦେଶ ମିଳେ । ଭବିଷ୍ୟ ପୁରାଣରେ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର ସମ୍ବାଦରେ ଏହି ବ୍ରତର ମାହାତ୍ମ୍ୟ ବିଶେଷ ଭାବେ ବର୍ଣ୍ଣନା କରାଯାଇଛି । ଚତୁବର୍ଗ ଫଳ ଲାଭ ପାଇଁ କି କି ବ୍ରତ ପାଳନୀୟ ବୋଲି ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ଏହି ଅନନ୍ତବ୍ରତ ପାଳିବାକୁ ତାଙ୍କୁ ଉପଦେଶ ଦେଇଥିଲେ ।

ବ୍ରତ ଅନୁଯାୟୀ ସତ୍ୟଯୁଗରେ ସୁମନ୍ତ ନାମରେ ଜଣେ ବ୍ରାହ୍ମଣ ଥିଲେ । ତାଙ୍କର ପତ୍ନୀ ଥିଲେ ଭୃଗୁ କନ୍ୟା ଦୀକ୍ଷା । ଉଭୟଙ୍କ ମିଳନରୁ ସୁଶୀଳା ନାମରେ ଏକ କନ୍ୟା ଜନ୍ମିଥିଲା । ଦିନାନ୍ତରେ ଜ୍ଜର ରୋଗରେ ପଡ଼ି ଦୀକ୍ଷା ଦେହତ୍ୟାଗ କରିବାରୁ ସୁମନ୍ତ ବ୍ରାହ୍ମଣ ଧର୍ମପୁତ୍ରଙ୍କ କନ୍ୟା କର୍କଶାଙ୍କୁ ଦ୍ୱିତୀୟ ବିବାହ କଲେ । ସ୍ୱଭାବରେ ମୁଖରା ଓ କଳିହୁଡି କର୍କଶା ସୁଶିଳା କନ୍ୟାକୁ ମୋଟେ ସହ୍ୟ କରିପାରୁନଥିଲେ । ବୟଃପ୍ରାପ୍ତ ହେବାରୁ ସୁଶୀଳାର ବିବାହ କୌଣ୍ଡିନ୍ୟ ନାମକ ଜଣେ ବ୍ରାହ୍ମଣ ଯୁବକ ସହିତ ସମ୍ପନ୍ନ ହେଲା ।

କିନ୍ତୁ ଜ୍ୱାଇଁଙ୍କୁ ଯୌତୁକ ନଦେବାକୁ ସ୍ଥିର କରି କର୍କଶା ଘରେ ଥିବା ସବୁ ସାମଗ୍ରୀ ନେଇ ପିତ୍ରାଳୟକୁ ପଳାଇଲେ । ମାତ୍ର ଚାଉଳ ଗଣ୍ଡେ ଯୌତୁକ ଦେଇ ସୁମନ୍ତ ଝିଅ ଜ୍ୱାଇଁଙ୍କୁ ବିଦାୟ ଦେଲେ । ବାଟରେ ଯାଉ ଯାଉ ଏକ ନଦୀତଟରେ ମହିଳାମାନେ ନାଲି ଲୁଗା ପିନ୍ଧି ଏହି ବ୍ରତ ପାଳନ କରୁଥିବା ଦେଖିଲେ । ସୁଶୀଳା ସେମାନଙ୍କଠାରୁ ଶିଖି ନିଜେ ବ୍ରତ କଲେ । ଫଳରେ କୌଣ୍ଡିନ୍ୟଙ୍କ ଘର ଧନରତ୍ନ ଓ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇପଡ଼ିଲା ।

ଦିନେ କୌଣ୍ଡିନ୍ୟ କର୍କଶାଙ୍କ ହାତରେ ଥିବା ସମ୍ପତ୍ତି ନଷ୍ଟ ଭ୍ରଷ୍ଟ ହୋଇଗଲା । କୌଣ୍ଡିନ୍ୟ ପୁଣି ଅନନ୍ତ ବ୍ରତ ପାଳନ କରି ନିଜର ହୃତ ବିଭବ ଫେରି ପାଇଥିଲେ । ଏପରିକି ବିଦ୍ୟାଦାନ କରିନଥିବା ବିଦ୍ୟାପତି , ଧେନୁ, କର୍ମଚୋର ବୃଷଭ, ହସ୍ତୀ, ଗଦର୍ଭ ଓ ପୁଷ୍କରିଣୀମାନେ ମଧ୍ୟ ଅନନ୍ତ ବ୍ରତ ପାଳନ କରି ଅଭିଶାପରୁ ମୁକ୍ତ ହୋଇଥିବା ଏହି ଆଖ୍ୟାୟିକାରେ ବର୍ଣ୍ଣନା କରାଯାଇଛି । ତେଣୁ ଶ୍ରଦ୍ଧାଳୁମାନେ ନିଷ୍ଠାର ସହ ଏହି ବ୍ରତ ପାଳନ କରନ୍ତି । ଭାରତରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଅନନ୍ତଙ୍କ ପୂଜା କରାଯାଉଥିବା ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନରୁ ଜନାପଡେ । ଭୁବନେଶ୍ୱରର ବିନ୍ଦୁସାଗର କୂଳରେ ଅନନ୍ତ ବାସୁଦେବଙ୍କ ମନ୍ଦିର ଥିବାବେଳେ ଶ୍ରୀମନ୍ଦିରରେ ମଧ୍ୟ ଅନନ୍ତ ପୂଜା ପାଆନ୍ତି । ଅନନ୍ତ ଚତୁର୍ଦ୍ଦଶୀରେ ଏଠାରେ ସ୍ୱତନ୍ତ୍ର ନୀତି ଭୋଗ ବନ୍ଦାପନା ଆଦି କରାଯାଇଥାଏ ।

Spread the love