ବିଜୁବାବୁଙ୍କ ସ୍ଥାପିତ ପାଇକ ଏକାଡେମୀ ବନ୍ଦ ହେଲା କାହିଁକି : ଅପରାଜିତା ଷଡ଼ଙ୍ଗୀ

ଖୋର୍ଦ୍ଧା: ତତ୍‌କାଳନୀ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପାଇକ ସଂସ୍କୃତି ଓ କଳାର ସୁରକ୍ଷା ନିମନ୍ତେ ଓ ଏହାର ପ୍ରଚାରପ୍ରସାର ପାଇଁ ପାଇକ ଏକାଡେମୀ ସ୍ଥାପନ କରିଥିଲେ। କେଉଁ ପରିସ୍ଥିତିରେ ଓ କେଉଁଭଳି ଏହି ଏକାଡେମୀ ବନ୍ଦ ହେଲା ସେନେଇ ବିଜୁ ଜନତା ଦଳ ସ୍ପଷ୍ଟୀକରଣ ରଖୁ ବୋଲି ଶନିବାର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିକ୍ରିୟା ରଖିଛନ୍ତି।

ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ଶୁକ୍ରବାର ପାଇକ ଏକାଡେମୀ ଗଠନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଠାକାର ସାଂସଦ ଭାବେ ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ  ହେଲି। ବିଜୁ ପଟ୍ଟନାୟକ ଏକ ସଂଗ୍ରହାଳୟ ଓ ପାଇକ ଏକାଡେମୀ କରିଥିଲେ। ଏହା କେଉଁ ପରିପ୍ରେକ୍ଷୀରେ ବନ୍ଦ ହୋଇଗଲା ​ଓ ବର୍ତ୍ତମାନ କାହିଁକି ପୁଣି ଥରେ ପାଇକ ଏକାଡେମୀର ଘୋଷଣା କରାଗଲା ବୁଝି ହେଉନାହିଁ। ସେ କହିଛନ୍ତି ଯେ ପାଇକ ସ୍ମାରକୀ ପାଇଁ ତତ୍‌କାଳୀନ ରାଷ୍ଟ୍ରପତି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାର ଶହେକୋଟି ଟଙ୍କା ଅନୁଦାନ ମଧ୍ୟ ଘୋଷଣା କରିଥିଲେ। ପାଇକ ସ୍ମାରକୀ ନିର୍ମାଣ କରିବାକୁ ୫୦ଏକର ଜମି ମାଗିଥିଲେ, କିନ୍ତୁ ରାଜ୍ୟ ସରକାର ଏହା ନଦେଇ, ସ୍ମାରକୀ କାର୍ଯ୍ୟ କିଭଳି ଭଲରେ ସମ୍ପୂର୍ଣ୍ଣ ହେବ ସେନେଇ ପଦକ୍ଷେପ ନନେଇ ବର୍ତ୍ତମାନ ପାଇକ ଏକାଡେମୀ ଘୋଷଣା କରିଛନ୍ତି। ଏହା ଏକ କେନ୍ଦ୍ର ସରକାର ସହ ପ୍ରତିସ୍ପର୍ଦ୍ଧାର ରାଜନୀତି ଭଳି ମନେହେଉଛି। ଯଦି ପାଇକ ଏକାଡେମୀ କଥା ଚିନ୍ତା କରୁଥିଲେ ତେବେ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ସ୍ଥାପିତ ହୋଇଥିବା ପାଇକ ଏକାଡେମୀ ଓ ସଂଗ୍ରହାଳୟକୁ ପୁଣି ଆରମ୍ଭ କରିଥାନ୍ତେ। ଏହା ନକରି ଆମେ କେନ୍ଦ୍ର ସରକରାଙ୍କ ଠାରୁ ଆଗରେ ବୋଲି ଦେଖାଇହେବାକୁ ଏଭଳି ଘୋଷଣା କରିଛନ୍ତି ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲ୍ଲାରେ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି କହିବା ସହିତ ଏହାକୁ ଅନୁମୋଦନ କରିଛନ୍ତି। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୁରୁ କେଳୁଚରଣ ମହାପାତ୍ର  ଓଡିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ପ୍ରତିଷ୍ଠା ହେବ। ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଦେଶ ବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

Spread the love