ସୁବ୍ରତ ରାୟଙ୍କ ପରଲୋକ ପରେ ନିବେଶକ ଟଙ୍କା ଫେରିପାରିବେ ତ ?

ନୂଆଦିଲ୍ଲୀ : ସାହାରା ଗ୍ରୁପ୍ ମୁଖ୍ୟ ସୁବ୍ରତ ରାୟ ସାହାରା (ସୁବ୍ରତ ରାୟ ସାହାରା)ଙ୍କ ଦେହାନ୍ତ ହୋଇଛି। ‘ସାହାରାଶ୍ରୀ’ ନାମରେ ପରିଚିତ ସୁବ୍ରତ ରାୟ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ତାଙ୍କୁ ୭୫ ବର୍ଷ ହୋଇଥିଲା। ସୁବ୍ରତ ରାୟଙ୍କ ମୃତ୍ୟୁ ପରେ ସେବି ପାଖରେ ଥିବା ତାଙ୍କର ୨୫ ହଜାର କୋଟି ରୁ ଅଧିକ ଟଙ୍କାର କ’ଣ ହେବ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। ୨୦୧୧ମସିହାରେ ପୁଞ୍ଜି ବଜାର ନିୟାମକ ସେବି ସାହାରା ଗ୍ରୁପ୍ ର ଦୁଇଟି କମ୍ପାନି ସାହାରା ଇଣ୍ଡିଆ ରିଅଲ୍ ଇଷ୍ଟେଟ୍ କର୍ପୋରେସନ୍ ଲିମିଟେଡ୍ (ଏସ୍ଆଇଆରଏଲ୍) ଏବଂ ସାହାରା ହାଉସିଂ ଇନଭେଷ୍ଟମେଣ୍ଟ କର୍ପୋରେସନ୍ ଲିମିଟେଡ୍ (ଏସ୍ ଆଇସିଏଲ୍)କୁ ଫୁଲ୍ କନଭର୍ଟିବଲ୍ ବଣ୍ଡ୍ (ଓଏଫ୍ ସିଡି) ନାମରେ ପରିଚିତ କେତେକ ବଣ୍ଡ୍ ଜରିଆରେ ପ୍ରାୟ ୩ କୋଟି ନିବେଶକଙ୍କଠାରୁ ସଂଗ୍ରହ ହୋଇଥିବା ପାଣ୍ଠି ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା। ସେତେବେଳେ ସେବି କହିଥିଲା ଯେ ଏହି ଦୁଇ ସାହାରା ଗ୍ରୁପ୍ କମ୍ପାନି ଏହାର ନିୟମକୁ ଉଲ୍ଲଂଘନ କରି ପାଣ୍ଠି ସଂଗ୍ରହ କରିଛନ୍ତି।

ପରେ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। ଅଗଷ୍ଟ ୩୧, ୨୦୧୨ରେ ସର୍ବୋଚ୍ଚ ନ୍ୟାୟାଳୟ ସେବିର ନିର୍ଦ୍ଦେଶକୁ ବଜାୟ ରଖି ନିବେଶକଙ୍କଠାରୁ ଆଦାୟ ହୋଇଥିବା ଅର୍ଥକୁ ୧୫ ପ୍ରତିଶତ ସୁଧ ସହିତ ଫେରସ୍ତ କରିବାକୁ ଦୁଇ କମ୍ପାନୀକୁ କହିଥିଲେ। ଏହାପରେ ନିବେଶକମାନଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ସାହାରାକୁ ସେବି ନିକଟରେ ଆନୁମାନିକ ୨୪,୦୦୦ କୋଟି ଟଙ୍କା ଜମା କରିବାକୁ କୁହାଯାଇଥିଲା। ଗତ ମାର୍ଚ୍ଚ ମାସରେ ସେବି ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ସେବି ନିକଟରେ ସାହାରାର ମୋଟ ୨୫ ହଜାର ୧୬୩ କୋଟି ଟଙ୍କା ରହିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ସୁବ୍ରତ ରାୟଙ୍କ ମୃତ୍ୟୁ ପରେ ନିବେଶକଙ୍କୁ ଟଙ୍କା ମିଳିବ ତ ?

ସାହାରାର ନିବେଶକମାନଙ୍କୁ ସେମାନଙ୍କ ଟଙ୍କା ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର କିଛି ଦିନ ତଳେ ଏକ ପୋର୍ଟାଲ (https://mocrefund.crcs.gov.in/) ଆରମ୍ଭ କରିଥିଲେ। ବିଶେଷଜ୍ଞଙ୍କ ମତରେ ଏହି ପୋର୍ଟାଲ ଜରିଆରେ ସାହାରା ନିବେଶକମାନେ ପ୍ରକ୍ରିୟା ଅନୁଯାୟୀ ସେମାନଙ୍କ ଟଙ୍କା ପାଇବେ। ସୁବ୍ରତ ରାୟ ସାହାରାଙ୍କ ମୃତ୍ୟୁ ଏହାର ପ୍ରଭାବ ପକାଇବ ନାହିଁ।

Spread the love