ସବୁ ଧାନ କିଣିବେ ସରକାର? ବିଜେପିର ପ୍ରଶ୍ନ, କେଉଁଠି ରଖିବ ଧାନ?
ରାଜ୍ୟ କ୍ୟାବିନେଟରେ ଗତକାଲି ୧୯ଟି, ପ୍ରସ୍ତାବ ଉପରେ ମୋହର ବାଜିଥିଲା । ଆଉ ରାଜ୍ୟ ସରକାର ସୁନେଲୀ ସ୍ୱପ୍ନ ଦେଖାଇଥିଲେ । ଗାଁରୁ ସହରକୁ ବସ ଚଳାଚଳ ପାଇଁ ଲକ୍ଷ୍ମୀ ଯୋଜନା ଉପରେ ମୋହର ମାରିବା ସହ ଚଳିତ ବର୍ଷ ୭୯ଲକ୍ଷ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ରାଜ୍ୟ କ୍ୟାବିନେଟରେ ଯେଉଁ ସବୁ ପ୍ରସ୍ତାବ ଉପରେ ମୋହର ମାରିଛି, ତାକୁ ନେଇ ଆଜି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।
ଶୁକ୍ରବାର ବସିଥିବା କ୍ୟାବିନେଟରେ ଚାଷୀଙ୍କଠାରୁ ସବୁ ଧାନ କିଣିବାକୁ ରାଜ୍ୟ ସରକାର ନିଷ୍ପତି ନେବା ପରେ ତେଜିଛି ରାଜନୀତି । ପ୍ରତିବର୍ଷ ବହୁ ସଂଖ୍ୟାରେ ଚାଷୀ ଧାନ ବିକ୍ରି ନକରିପାରି, ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ, ଚାଷୀଙ୍କ ସବୁ ଧାନ କିଣିବାକୁ କ୍ୟାବିନେଟ୍ ମୋହର ମାରିବା, ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ବିରୋଧୀ ଦଳର ନେତା । ବିଜେପି ନେତା ପ୍ରଦୀପ ପୁରୋହିତ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ଗତ ଥର ୨ଲକ୍ଷ ଚାଷୀ ଟୋକନ ଲାପ୍ସ କରିବାରୁ ଧାନ ବିକ୍ରି କରିପାରିନଥିଲେ । ପ୍ରତିବର୍ଷ ଏଭଳି ଲକ୍ଷାଧିକ ଚାଷୀ ପଞ୍ଜିକରଣ କରି ଧାନ ବିକ୍ରି କରିପାରୁନାହାନ୍ତି । ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ହଠାତ୍ ନିଷ୍ପତି ବଦଳାଇ ଦେଇଛନ୍ତି ସରକାର । ଏଥିସହ ପ୍ରଶ୍ନ କରି ପଚାରିଛନ୍ତି, ଧାନ ରଖିବା ପାଇଁ ୨୪ବର୍ଷ ଭିତରେ କେତେ ଗୋଦାମ କରିଛନ୍ତି ସରକାର? ଯଦି ସବୁ ଧାନ କିଣିବେ କେଉଁଠି ରଖିବେ । କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମଧ୍ୟ କ୍ୟାବିନେଟ ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ଗାଁରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ନିରବଛିନ୍ନ ପରିବହନ ସେବା ଯୋଗାଇବାର ଲକ୍ଷ୍ୟ ନେଇ ଲକ୍ଷ୍ମୀ ଯୋଜନା ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ଏହାଦ୍ୱାରା ସମସ୍ତ ଗ୍ରାମପଂଚାୟତ, ବ୍ଲକ ମୁଖ୍ୟାଳୟ, ଜିଲ୍ଲା ମୁଖ୍ୟାଳୟ, ରାଜ୍ୟର ପ୍ରମୁଖ ସହର ଏବଂ ଅର୍ଥନୈତିକ ପେଣ୍ଠସ୍ଥଳ ସହ ସଂଯୋଗ କରିବାକୁ ଲକ୍ଷ୍ୟ ରହିଛି । କିନ୍ତୁ ଏଭଳି ଯୋଜନା ପଛରେ ନିର୍ବାଚନୀର ଗନ୍ଧ ବାରିଛନ୍ତି ବିରୋଧୀ । ବିଜେପି କହିଛି, କେବଳ ପୁଳାଏ ଯୋଜନା କରି ଲୋକଙ୍କ ଆଖିରେ କଳାପଟି ବାନ୍ଧୁଛନ୍ତି ସରକାର । କିନ୍ତୁ ଯୋଜନା ଗୁଡିକ କାର୍ଯ୍ୟକ୍ଷମ ହେଉନାହିଁ । ଏମିତି ଯୋଜନା କରି ନିର୍ବାଚନୀ ଚାଲ ଖେଳୁଛନ୍ତି ରାଜ୍ୟ ସରକାର । ତେବେ ବିଜେଡି କହିଛି ଲୋକଙ୍କ ସ୍ୱାର୍ଥ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ।
ଗତ କିଛି ଦିନ ହେଲା ରାଜ୍ୟ ସରକାର ଯୋଜନା ପରେ ଯୋଜନା ଘୋଷଣା କରି ଚାଲିଛନ୍ତିି । ହେଲେ ସେହି ଯୋଜନା ଗୁଡିକ କାର୍ଯ୍ୟକାରୀ ହେଉଛି ନା ପିଠା, ବିଜୁ ଯୁବ ବାହିନୀ ଯୋଜନା ଭଳି ଉଭେଇ ଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।