ବଢ଼ୁଛି ଥଣ୍ଡା, ୧୦ଡିଗ୍ରୀ ତଳେ ୧୧ ଜିଲ୍ଲା

ଉତ୍ତରଭାରତରୁ ପ୍ରବାହିତ ହେଉଥିବା ଶୀତ ଲହରୀ ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲା ଏବେ ଅତ୍ୟଧିକ ଥଣ୍ଡାର ଶିକାର ହୋଇଛି । ପ୍ରବଳ ତୁଷାରପାତ ଯୋଗୁଁ ବିଭିନ୍ନ ଜିଲ୍ଲାରେ ଘାସ ଉପରେ ପତଳା ବରଫ ଆସ୍ଥରଣ ସୃଷ୍ଟି ହେଉଛି । ୧୧ଜିଲ୍ଲାରେ ତାପମାତ୍ରା ୧୦ଡିଗ୍ରୀ ତଳକୁ ଖସି ଆସିଥିବାବେଳେ ଆଗକୁ ଏହାର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରିଛି । ପ୍ରବଳ ଥଣ୍ଡାର ମୁକାବିଲା ପାଇଁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ଗୁଡ଼ିକୁ ଶନିବାର ଦିନ ସତର୍କତା ଜାରି କରାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ଏହି ଥଣ୍ଡା ପ୍ରକୋପ ଲାଗି ରହିବ । ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ତୁଷାରପାତ ସହ ତାପମାତ୍ରା ନିମ୍ନଭାଗକୁ ଖସି ଆସିବ । ଏହିସବୁ ଜିଲ୍ଲା ପାଇଁ ସ୍ପେଶାଲ କୋଲ୍ଡ ୱେବ ଜାରି କରାଯାଇଛି । ୧୦ଡିଗ୍ରୀ ତଳେ ତାପମାତ୍ରା ରହିଥିବା ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡା, ଦେବଗଡ଼, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କନ୍ଧମାଳ, ରାୟଗଡ଼ା, ଗଜପତି, ବଲାଙ୍ଗିର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ସର୍ବାଧିକ ଶୀତ ଅନୁଭୂତ ହୋଇଛି । ଏହିସବୁ ଜିଲ୍ଲାରେ ଦିନ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରକୁ ଆସି ହେଉନାହିଁ । ସେହିଭଳି ସନ୍ଧ୍ୟାହେଲେ ଘରୁ ବାହାରିବା ମୁସ୍କିଲ ହେଉଛି ।
ଆସନ୍ତା ୩ଦିନ ମଧ୍ୟରେ ଏହିସବୁ ଜିଲ୍ଲାଗୁଡ଼ିକରେ ଅଧିକ ଥଣ୍ଡା ଅନୁଭୂତ ହେବ । କେତେକ ସ୍ଥାନରେ ଘଡଘଡ଼ି ସହ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଶୁକ୍ରବାର ରାତିରେ କେନ୍ଦୁଝରର କାଞ୍ଜିପାଣି, ଫୁଲବାଣୀର ଦାରିଙ୍ଗବାଡ଼ିଠାରେ ବରଫପାତ ଦେଖିବାକୁ ମିଳିଛି । ଉପକୂଳ ଜିଲ୍ଲା ଗୁଡ଼ିକରେ ଏହିସମୟ ମଧ୍ୟରେ ତାପମାତ୍ରା ହ୍ରାସ ପାଇବା ଜଣାପଡ଼ିଛି । ଆଭ୍ୟନ୍ତରିତ ନୟାଗଡ଼, ବୌଦ୍ଧ, ସୋନପୁର, ଢେଙ୍କାନାଳ, ବରଗଡ଼, ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ ଲୋକେ ଘରୁ ବାହାରିପାରୁ ନାହାନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ଶୀତ ପ୍ରକୋପର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ସତର୍କ କରାଯାଇଛି ।

Spread the love