ଆମେରିକାରେ ତୁଷାର ଝଡ଼ : ଚେତାବନୀ ଦେଲା ବିଭାଗ
ନ୍ୟୁୟର୍କ : ଆମେରିକାରେ ଶୀତକାଳୀନ ତୁଷାର ଝଡ଼ ଡେଭିନ ନାହିଁ ନଥିବା ସ୍ଥିତି ସୃଷ୍ଟିକରିଛି । ଫଳରେ ଖ୍ରୀଷ୍ଟମାସ ଓ ନୂଆବର୍ଷର ଛୁଟିଦିନର ଯାତ୍ରାକୁ ଏହି ଝଡ଼ ସାଂଘାତିକ ଭାବେ ବାଧାପ୍ରାପ୍ତ କରିଛି । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ଆୱେର ଅନୁସାରେ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ୧,୮୦୨ ବିମାନ ବାତିଲ କରାଯାଇଥିଲା ଓ ୨୨,୩୪୯ଟି ବିମାନ ବିଳିମ୍ବିତ ହୋଇଥିଲା । କେବଳ ନ୍ୟୁୟର୍କ ବିମାନ ବନ୍ଦରରେ ୭୮୫ ବିମାନ ବାତିଲ ହୋଇଛି । ଏହି ସମୟ ହେଉଛି ଛୁଟିଦିନର ସବୁଠାରୁ ବଡ଼ ଋତୁ । ପାର୍ବଣର ଏହି ଋତୁରେ ରେକର୍ଡ ସଂଖ୍ୟକ ଆମେରିକୀୟ ଘରକୁ ଓ ବିଦେଶ ମଧ୍ୟ ଯାତ୍ରା କରିଥାନ୍ତି । ଏଥିପାଇଁ ଏକାଧିକ ଏୟାର ଲାଇନ୍ସ ପ୍ରଭାବିତ ଯାତ୍ରୀଙ୍କ ପାଇଁ ପରିବର୍ତ୍ତନ ଶୁଳ୍କ ଛାଡ଼ କରିଛନ୍ତି ଓ ପୁନଃ ବୁକିଂ ସହାୟତା ପ୍ରଦାନ କରୁଛନ୍ତି । ଯାତ୍ରୀମାନଙ୍କୁ ବିମାନ ସ୍ଥିତି ଯାଞ୍ଚ୍ କରିବାକୁ ଓ ଅତିରିକ୍ତ ସମୟ ଦେବାକୁ କୁହାଯାଇଛି । ଏହି ଝଡ଼ ଡେଭିନ ଯୋଗୁ ରାସ୍ତା ଓ ସଡ଼କ ଯାତ୍ରା ବିପଦପୂର୍ଣ୍ଣ ହୋଇଛି । ଅନେକ ଅଞ୍ଚଳରେ ବାଣିଜ୍ୟିକ ଓ ଯାନବାହାନ ଉପରେ କଟକଣା ଲାଗୁ କରାଯାଇଛି । ଝଡ଼ ଆହୁରି ତୀବ୍ର ହେବା ଆଶାଙ୍କା କରାଯାଉଛି । ଜାତୀୟ ପାଣିପାଗ ସେବା ଶୀତକାଳୀନ ଝଡ଼ ଡେଭିନ ନେଇ ଚେତାବନୀ ଜାରି କରି କହିଛି । ଆଗକୁ ଗ୍ରେଟ ହ୍ରଦ, ଉତ୍ତର- ମଧ୍ୟ ଆଟଲାଣ୍ଟିକ ଓ ଦକ୍ଷିଣ ନ୍ୟୁ ଇଂଲଣ୍ଡରେ ଯାତ୍ରା ବିପଦପୂର୍ଣ୍ଣ ହେବ ବୋଲି କୁହାଯାଇଛି ।
