ୱିଜ୍‌ଡେନ ପୁରସ୍କାର ପାଇବେ ରୋହିତ ଓ ବୁମ୍‌ରା

ଲଣ୍ଡନ :  ୱିଜ୍‌ଡେନ କ୍ରିକେଟର ଅଫ ଦି ଇୟର ପୁରସ୍କାର-୨୦୨୨ ତାଲିକାରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା   ସ୍ଥାନ ପାଇଛନ୍ତି। ଗତବର୍ଷର ପ୍ରଦର୍ଶନ ଆଧାରରେ ଉଭୟଙ୍କୁ କ୍ରିକେଟର ଅଫ ଦି ଇୟର ସମ୍ମାନ ଲାଗି ମନୋନୀତ କରାଯାଇଛି। ୱିଜ୍‌ଡେନ କ୍ରିକେଟର ଅଫ ଦି ଇୟର ପୁରସ୍କାର ଲାଗି ୫ଜଣ କ୍ରିକେଟରଙ୍କୁ ମନୋନୀତ କରାଯାଇଛି। ରୋହିତ ଓ ବୁମ୍‌ରାଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡର ବ୍ୟାଟ୍‌ସମ୍ୟାନ ଡିଭନ କନ୍‌ୱେ, ଇଂଲଣ୍ଡର ଦ୍ରୁତ ବୋଲର ଓଲି ରବିନସନ ଓ ଦକ୍ଷିଣ ଆଫ୍ରିକାର ଷ୍ଟାର ମହିଳା କ୍ରିକେଟର ଡାନେ ଭାନ୍ ନିଇକେରକ ରହିଛନ୍ତି।ଅନ୍ୟ ପକ୍ଷରେ ଜୋ ରୁଟ୍‌ ବିଶ୍ବର ଶ୍ରେଷ୍ଠ କ୍ରିକେଟର ମାନ୍ୟତା ପାଇଛନ୍ତି। ମହିଳା ବର୍ଗରେ ଏହି ସମ୍ମାନ ପାଇଁ ଦକ୍ଷିଣ ଆଫ୍ରିକାର ଲିଜିଲ ଲି ମନୋନୀତ ହୋଇଛନ୍ତି। ସେହିପରି ପାକିସ୍ତାନର ମହମ୍ମଦ ରିଜ୍‌ୱାନଙ୍କୁ ଅଗ୍ରଣୀ ଟ୍ବେଣ୍ଟି୨୦ କ୍ରିକେଟର ଭାବେ ମନୋନୀତ କରାଯାଇଛି। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଗତବର୍ଷ ଜୁନ -ଜୁଲାଇରେ ଇଂଲଣ୍ଡ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଲଡ୍‌ର୍ସ ଓ ଓଭାଲରେ ଭାରତ ପାଇଁ ମ୍ୟାଚ ବିଜୟୀ ବୋଲିଂ ପ୍ରଦର୍ଶନ କରିଥିଲେ। ଉକ୍ତ ଶୃଙ୍ଖଳା​‌େ​‌ର ଭାରତ ୨-୧ରେ ଆଗୁଆ ରହିଥିବାବେଳେ କରୋନା ପାଇଁ ଶେଷ ଟେଷ୍ଟ ମ୍ୟାଚ ସ୍ଥଗିତ ରହିଛି। ଉକ୍ତ ମ୍ୟାଚ ଚଳିତ ବର୍ଷ ଜୁଲାଇରେ ଖେଳାଯିବ। ଉକ୍ତ ଶୃଙ୍ଖଳାରେ ରୋହିତ ଶର୍ମା ୪ଟି ଟେଷ୍ଟ ମ୍ୟାଚ ଖେଳି ୫୨.୫୭ ପ୍ରତିଶତ ହାରରେ ୩୬୮ରନ ସଂଗ୍ରହ କରିଥିଲେ। ସେ ଓଭାଲରେ ୧୨୭ରନର ଇନିଂସ ଖେଳିଥିଲେ।ଏହା ଥିଲା ବିଦେଶ ମାଟିରେ ରୋହିତଙ୍କ ପ୍ରଥମ ଟେଷ୍ଟ ଶତକ। ବିଶ୍ବର ଶ୍ରେଷ୍ଠ କ୍ରିକେଟର ଆଖ୍ୟା ପାଇଥିବା ଇଂଲଣ୍ଡ ଟେଷ୍ଟ ଦଳର ପୂର୍ବତନ ଅଧିନାୟକ ଜୋ ରୁଟ୍‌ ଗତବର୍ଷ ଟେଷ୍ଟ କ୍ରିକେଟରେ ଐତିହାସିକ ସଫଳତା ପାଇଥିଲେ। ସେ ଏକ କ୍ରିକେଟ ବର୍ଷରେ ଟେଷ୍ଟ କ୍ରିକେଟରେ ୧୭୦୮ରନ କରିଥିଲେ। ଏହା ଥିଲା କ୍ରିକେଟ ବର୍ଷରେ ତୃତୀୟ ସର୍ବାଧିକ ବ୍ୟକ୍ତିଗତ ରନ୍ । ୨୦୨୧ରେ ଲିଜିଲ୍‌ ଲି ମହିଳା କ୍ରିକେଟରେ ସର୍ବାଧିକ ରନ କରିବାରେ ସଫଳ ହୋଇଥିଲେ। ୯୦.୯୨ ପ୍ରତିଶତ ହାରରେ ରନ ସ୍କୋର କରିଥିଲେ।ଭାରତ ବିପକ୍ଷ ଶୃଙ୍ଖଳାରେ ୨୮୮ରନ କରିଥିଲେ। ଯେଉଁଥି ପାଇଁ ତାଙ୍କୁ ବିଶ୍ବର ଶ୍ରେଷ୍ଠ ମହିଳା କ୍ରିକେଟର ମାନ୍ୟତା ପାଇଛନ୍ତି। ପାକିସ୍ତାନର ୱିକେଟରକ୍ଷକ ବ୍ୟାଟ୍‌ସମ୍ୟାନ ମହମ୍ମଦ ରିଜ୍‌ୱାନଙ୍କ ପାଇଁ ୨୦୨୧ ଥିଲା ଶ୍ରେଷ୍ଠ ବର୍ଷ। ସେ ଉକ୍ତ ବର୍ଷ ୨୭ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ୭୨.୮୮ ପ୍ରତିଶତ ହାରରେ ୧୩୨୯ରନ କରିଥିଲେ। ଯେଉଁଥିରେ ଗୋଟିଏ ଶତକ ଓ ୧୧ଟି ଅର୍ଦ୍ଧଶତକ ରହିଥିଲା। ଏକ କ୍ରିକେଟ ବର୍ଷରେ ଟ୍ବେଣ୍ଟି୨୦ରେ ୧୦୦୦ରନ ପୂରଣ କରିବାରେ ମଧ୍ୟ ରିଜ୍‌ୱାନ ବିଶ୍ବର ପ୍ରଥମ କ୍ରିକେଟର ରହିଛନ୍ତି।

Spread the love