ଜଜ୍ ସାହେବ୍, ମୋ’ମନ୍ତବ୍ୟରେ କିଛି ଭୁଲ୍ ନାହିଁ : ମମତା

କୋଲକାତା: ପଶ୍ଚିମବଙ୍ଗର ରାଜ୍ୟପାଳଙ୍କ ସହ ଜଡ଼ିତ ମାନହାନୀ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ମୋ’ମନ୍ତବ୍ୟରେ ମାନହାନୀ କଲା ଭଳି କିଛି ଭୁଲ୍ ହୋଇନାହିଁ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ତାଙ୍କ ମନ୍ତବ୍ୟକୁ ଦୃଢ଼ ଭାବେ ସମର୍ଥନ କରିଛନ୍ତି। କୋଲକାତାର ରାଜଭବନକୁ ଯିବାକୁ ମହିଳାମାନେ ଭୟଭୀତ ହେଉଛନ୍ତି ଏଥିରେ କିଛି ଭୁଲ୍ କାହିଁ। ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ଟିଏମସି ନେତାଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ପାଇଁ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ତରଫରୁ କଲିକତା ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ମମତା ବାନାର୍ଜୀ ମଧ୍ୟ ବିରୋଧ କରିଛନ୍ତି।

ମମତା ବାନାର୍ଜୀଙ୍କ ଆଇନଜୀବୀ ଏସ.ଏନ୍ ମୁଖାର୍ଜୀ ଜଷ୍ଟିସ କୃଷ୍ଣ ରାଓଙ୍କ ଆଗରେ ଯୁକ୍ତି ବାଢ଼ିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଜନସାଧାରଣଙ୍କ ସ୍ୱାର୍ଥ ପ୍ରସଙ୍ଗରେ ଉଚିତ ମନ୍ତବ୍ୟ ଏବଂ ଏହା କାହାର ମାନହାନୀ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ସମର୍ଥନ କରି ମୁଖାର୍ଜୀ ଯୁକ୍ତି କରିଛନ୍ତି ଯେ ରାଜ ଭବନରେ ହୋଇଥିବା କିଛି କାର୍ଯ୍ୟକଳାପକୁ ନେଇ ମୁଖ୍ୟମନ୍ତ୍ରୀ କେବଳ ମହିଳାଙ୍କ ଭୟର ପ୍ରତିବାଦ କରିଛନ୍ତି।

ମମତାଙ୍କ ଓକିଲ ଏସ.ଏନ୍ ମୁଖାର୍ଜୀ କହିଛନ୍ତି ସେ ଏପରି ମହିଳାଙ୍କ ନାମ ଦେବାକୁ ପ୍ରସ୍ତୁତ ଅଛନ୍ତି ଯେଉଁମାନେ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି। ବାସ୍ତବରେ, ମେ’ ୨ ରେ ରାଜଭବନରେ କାର୍ଯ୍ୟ କରୁଥିବା ଜଣେ ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ରାଜ୍ୟପାଳ ବୋଷ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ, ଏହା ପରେ କୋଲକାତା ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ସମ୍ବିଧାନର ଧାରା ୩୬୧ ଅନୁଯାୟୀ, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜଣେ ରାଜ୍ୟପାଳଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଆରମ୍ଭ ହୋଇପାରିବ ନାହିଁ।

ବାସ୍ତବରେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ମମତା ବାନାର୍ଜୀଙ୍କ ବିରୋଧରେ ଜୁନ୍ ୨୮ରେ ମାନହାନୀ ମକଦ୍ଦମା ଦାୟର କରିଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ମମତା ବାନାର୍ଜୀ ଦାବି କରିଥିଲେ ଯେ ରାଜଭବନକୁ ଯିବାକୁ ଡରୁଥିବା ମହିଳାମାନେ ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଜଷ୍ଟିସ କୃଷ୍ଣ ରାଓ ସୋମବାର ଏହି ମାମଲାର ଶୁଣାଣି କରିଛନ୍ତି।

Spread the love