ଗୋଟିଏ ଗାଁରୁ ୩ ମହିଳା ପ୍ରାର୍ଥୀ

ଜଗତସିଂହପୁର: ନାଉଗାଁ ବ୍ଲକ ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ଗୋଟିଏ ଗାଁରୁ ତିନି ପ୍ରମୁଖ ରାଜନୈତିକ ଦଳରୁ ୩ ଜଣ ମହିଳା ପ୍ରାର୍ଥୀ ହେବାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ତିନି ମହିଳାଙ୍କ ଘର ଏହି ଜିଲ୍ଲା ପରିଷଦ ଜୋନ୍‌ ଅନ୍ତର୍ଗତ କୋରୁଅ ପଞ୍ଚାୟତର କୋରୁଅ ଗ୍ରାମରେ ବୋଲି ସୂଚନା ମିଳିଛି ତେବେ ଏହି ତିନି ମହିଳା ରାଜନୀତିରେ ସମ୍ପୂର୍ଣ୍ଣ ଭାବେ ନୂଆ ହୋଇଥିଲେ ମଧ୍ୟ ପ୍ରଚାରକୁ ଜୋର୍ଦାର କରିଥିବା ଜଣାପଡ଼ିଛି ଏହି ଜୋନ୍‌ରେ ଚଳିତ ନିର୍ବାଚନରେ ତ୍ରିକୋଣୀୟ ପ୍ରତିଦ୍ବନ୍ଦିତା ହେବ ବୋଲି ପ୍ରାର୍ଥୀଙ୍କ ପ୍ରଚାରରୁ ସ୍ଥିତି ସ୍ପଷ୍ଟ ହେବାରେ ଲାଗିଛି ।

ନାଉଗାଁ ବ୍ଲକ ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ମୋଟ ୮ଟି ପଞ୍ଚାୟତକୁ ନେଇ ଗଠିତ ଏହି ଜୋନ୍‌ରେ ଶାସକ ବିଜେଡି ଦଳରୁ ମମତା ପରିଡ଼ା ପ୍ରାର୍ଥୀ ହୋଇଛନ୍ତି । ସେହିପରି କଂଗ୍ରେସରୁ ଗୀତାଞ୍ଜଳି ବେହେରା ଓ ବିଜେପି ସମର୍ଥନରେ ସୀତାଲତା ସ୍ବାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ତେବେ ଦୁଇ ମହିଳା ପ୍ରାର୍ଥୀଙ୍କ ପରିବାରର ସଦସ୍ୟଙ୍କ ବ୍ଲକ ରାଜନୈତିକ ସଂଗଠନରେ ପ୍ରଭାବ ରହିଥିବା ସୂଚନା ମିଳିଛି। ମମତାଙ୍କ ଦିଅର ବ୍ଲକ ଯୁବ ବିଜେଡିର ସଭାପତି ରହିଥିବାବେଳେ ତାଙ୍କୁ ଏହି ନିର୍ବାଚନରେ ଟକ୍କର ଦେଉଥିବା କଂଗ୍ରେସ ପ୍ରାର୍ଥୀ ଗୀତାଞ୍ଜଳିଙ୍କ ଶଶୁର ନାଉଗାଁ ବ୍ଲକ କଂଗ୍ରେସ କମିଟି ଉପସଭାପତି ଅଛନ୍ତି। ଏକ ପକ୍ଷରେ ମମତାଙ୍କ ପାଇଁ ତାଙ୍କ ଦିଅର ପ୍ରଚାରର ମଙ୍ଗ ଧରିଥିବାବେଳେ ଅନ୍ୟପକ୍ଷରେ ଗୀତାଞ୍ଜଳିଙ୍କ ଲାଗି ତାଙ୍କ ଶଶୁର ନିର୍ବାଚନରେ ବୋହୂ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ଗୀତାଞ୍ଜଳି ଉଚ୍ଚଶିକ୍ଷିତା ହୋଇଥିବାବେଳେ ବୈଷୟିକ ଶିକ୍ଷାରେ ସେ ହୋଟେଲ ମ୍ୟାନେଜମେଣ୍ଟରେ ଡିଗ୍ରୀଧାରୀ ଥିବା ଜଣାପଡ଼ିଛି। ଏହି ଜୋନ୍‌ରେ ଥିବା ୮ଟି ପଞ୍ଚାୟତର ୩୫,୮୯୧ ଭୋଟର ଏହି ତିନି ପ୍ରାର୍ଥୀଙ୍କ ମଧ୍ୟରୁ କାହା ମୁଣ୍ଡରେ ଶିରିପା ବାନ୍ଧିବେ, ତାହା ଆଗାମୀ ନିର୍ବାଚନରେ ସ୍ପଷ୍ଟ ହେବ ।

Spread the love