ନିଖୋଜ ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

୩ ଦିନ ହେଲା ନିଖୋଜ ଥିବା ମହିଳା କ୍ରିକେଟରଙ୍କ ଝୁଲନ୍ତା ମୃତଦେହ ଆଜି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ସୁବାଷି ରିଜର୍ଭ ଫରେଷ୍ଟରୁ ମିଳିଛି। ମୃତଦେହଟି ରାଜଶ୍ରୀଙ୍କର ବୋଲି ମଙ୍ଗଳାବାଗ ଥାନା ପୁଲିସ ସ୍ପଷ୍ଟ କରିଛି। ତେବେ ରାଜଶ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ସେ ନେଇ ସ୍ପଷ୍ଟ ହୋଇ ନାହିଁ। ପ୍ରଥମେ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ୍‌ ସୁବାଷି ରିଜର୍ଭ ଫରେଷ୍ଟ ନିକଟରୁ ମିଳିଥିଲା। ଖୋଜାଖୋଜି କରିବା ପରେ ସ୍କୁଟି ଓ ହେଲମେଟ୍‌ ମିଳିଥିବା ସ୍ଥାନଠାରୁ ପ୍ରାୟ ୨୦୦ ମିଟର ଦୂରରେ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଗଛରେ ଏକ ଓଢ଼ଣୀରେ ତାଙ୍କ ମୃତଦେହ ଝୁଲି ରହିଥିଲା। ମୃତଦେହ ପାଖରେ ତାଙ୍କ ଚପଲ ପଡ଼ିଥିଲା। ମଙ୍ଗଳବାଗ ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ଯାଞ୍ଚ କରିଛି। ରାଜଶ୍ରୀଙ୍କ ଘର ପୁରୀ ଜିଲ୍ଲାର କୋଣାର୍କର ରାମଚଣ୍ଡୀ ଥାନା ଅନ୍ତର୍ଗତ ଭୂଆଁରେ ଅଞ୍ଚଳରେ। ରାଜଶ୍ରୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ବାପା ମା’ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଯଦି ରାଜଶ୍ରୀ ଆତ୍ମହତ୍ୟା କରିଥାନ୍ତି, ତା’ହେଲେ ସେଥିପାଇଁ ଓସିଏ (ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌) ଓ କୋଚ୍‌ ପୁଷ୍ପାଞ୍ଜଳି ବାନାର୍ଜୀ ଦାୟୀ ବୋଲି ତାଙ୍କ ଭଉଣୀ ଜୟଶ୍ରୀ କହିଛନ୍ତି।

ରାଜଶ୍ରୀଙ୍କ ବାପା କହିଛନ୍ତି ଯେ ଓସିଏବାଲା ତାଙ୍କ ଝିଅଙ୍କୁ ମାରି ଟାଙ୍ଗି ଦେଇଛନ୍ତି। ରାଜଶ୍ରୀଙ୍କ ଜଣେ ସମ୍ପର୍କୀୟ ଭାଇ କହିଛନ୍ତି, ରାଜଶ୍ରୀ ଆତ୍ମହତ୍ୟା କରିବା ପିଲା ନୁହେଁ। ତାକୁ ହତ୍ୟା କରାଯାଇଛି। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ। ଆମକୁ ନ୍ୟାୟ ଦରକାର। ନିକଟରେ ଚୟନ ହୋଇଥିବା ଟିମ୍‌ରେ ରାଜଶ୍ରୀଙ୍କ ନାଁ ନଥିବାରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇ ଥାଇପାରିଥା’ନ୍ତି ବୋଲି କୁହାଯାଉଥିବା ବେଳେ କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ କହିଛନ୍ତି, ରାଜଶ୍ରୀ ଖୁସମିଜାଜ ଝିଅ ଥିଲେ। ସେ ରାଗିବାର ମୁଁ କେବେ ଦେଖି ନାହିଁ। ଦଳ ଚୟନରେ କିଛି ଅନିୟମିତତା ହୋଇ ନାହିଁ।

ସେହିପରି ଓସିଏ ସିଇଓ ସୁବ୍ରତ ବେହେରା କହିଛନ୍ତି, ଖେଳାଳି ଚୟନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ। ଚୟନ କମିଟି ଖେଳାଳି ଚୟନ କରିଥାଏ। ଏଥିରେ ଆଉ କାହାର ଭୂମିକା ନାହିଁ। ରାଜଶ୍ରୀଙ୍କ ଠାରୁ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଚୟନ ହୋଇଛନ୍ତି। ଯାହା ଘଟିଛି ଦୁଃଖଦାୟକ। କେହି ଏପରି ପଦକ୍ଷେପ ନିଅନ୍ତୁ ନାହିଁ। ଓଡ଼ିଶା ମହିଳା ସିନିୟର ଦଳରେ ରାଜଶ୍ରୀ ଖେଳୁଥିଲେ। ଆସନ୍ତା ୧୮ ଜାନୁଆରୀରୁ ପୁଡ଼ୁଚେରୀରେ ବିସିସିଆଇ ସିନିଅର ମହିଳା ଦିନିକିଆ ଟ୍ରଫି ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ତିନିଟି ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ୨୫ ଜଣିଆ ସମ୍ଭାବ୍ୟ ସ୍କ୍ୱାଡ ଘୋଷଣା କରାଯାଇଥିଲା। ରାଜଶ୍ରୀ ଏଥିରେ ସ୍ଥାନ ପାଇଥିଲେ। ଏଥିସହ ସେ ସ୍କ୍ୱାଡର ଅନ୍ୟ ଖେଳାଳିଙ୍କ ସହ କଟକର ବଜ୍ରକବାଟିରେ ଥିବା ଏକ ହୋଟେଲରେ ରହି ନିୟମିତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଉଥିଲେ। ତେବେ ୧୦ ତାରିଖ ସନ୍ଧ୍ୟାରେ ବାହାରିଥିବା ୧୬ ଜଣିଆ ଚୂଡ଼ାନ୍ତ ତାଲିକାରେ ତାଙ୍କ ନାଁ ନଥିଲା। ସେଥିପାଇଁ ସେ କୁଆଡ଼େ ଖୁବ୍ ଅସନ୍ତୁଷ୍ଟ ଥିଲେ। ରାଜଶ୍ରୀଙ୍କ ମା’ ବି ସମାନ କଥା କହିଛନ୍ତି। ଚୂଡ଼ାନ୍ତ ତାଲିକାରେ ନାଁ ନଥିବାରୁ ତାଙ୍କୁ ଭଲ ଲାଗୁ ନଥିବା ନେଇ ସେ ତାଙ୍କ ମା’ଙ୍କୁ ଫୋନ୍ କରି କହିଥିଲେ। ଏପରିକି ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ତାଙ୍କ ମା’ ଅଭିଯୋଗ କରିଥିଲେ।

୧୦ ତାରିଖ ସନ୍ଧ୍ୟାରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ୧୧ ତାରିଖରେ ରାଜଶ୍ରୀ ଘରକୁ ଯିବା ପାଇଁ କୋଚ୍‌ ପୁଷ୍ପାଞ୍ଜଳି ବାନାର୍ଜୀଙ୍କୁ ଅନୁମତି ମାଗିଥିଲେ। କୋଚ୍ ତାଙ୍କୁ ଘରକୁ ଯିବାକୁ ଅନୁମତି ଦେଇଥିଲେ। ଆଉ ଚୂଡ଼ାନ୍ତ ତାଲିକାକୁ ମନୋନୀତ ଖେଳାଳିଙ୍କୁ ଧରି କୋଚ୍ ଅଭ୍ୟାସ କରିବାକୁ ଯାଇଥିଲେ। ତେବେ ସେହିଦିନ ସନ୍ଧ୍ୟାରେ ରାଜଶ୍ରୀଙ୍କ ଘରୁ କୋଚ୍‌ଙ୍କ ନିକଟକୁ ଫୋନ୍ ଆସିଥିଲା। ରାଜଶ୍ରୀ ଘରକୁ ଫେରି ନଥିବା ତାଙ୍କୁ କୁହାଯାଇଥିଲା। ଏହାକୁ ନେଇ କୋଚ୍‌ ଚିନ୍ତିତ ହେବା ସହ ରାଜଶ୍ରୀଙ୍କୁ ଫୋନ୍‌ କରିଥିଲେ। ତେବେ ତାଙ୍କ ଫୋନ୍‌ ଲାଗି ନଥିଲା। ତା’ପରେ ସେ ଅନ୍ୟମାନଙ୍କ ସହ ମିଶି ରାଜଶ୍ରୀଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର ପତ୍ତା ମିଳି ନଥିଲା। ଶେଷରେ କୌଣସି ଉପାୟ ନପାଇ କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଅନ୍ୟପକ୍ଷରେ ଝିଅକୁ ଖୋଜି ଆଣିବା ପାଇଁ କ୍ରୀଡ଼ାମନ୍ତ୍ରୀଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଆଜି ରାଜଶ୍ରୀଙ୍କ ବାପା ମା’ ପହଞ୍ଚିଥିଲେ। ହେଲେ କ୍ରୀଡ଼ାମନ୍ତ୍ରୀ ବାସଭବନରେ ନଥିବାରୁ ସେମାନେ ନିଜର ଅଭିଯୋଗ ତାଙ୍କୁ ନ ଜଣାଇ ପାରି ନିରାଶ ହୋଇ ଫେରିଥିଲେ। ତାଙ୍କ ଝିଅ ପ୍ରତି ଅନ୍ୟାୟ ହୋଇଥିବା ସେମାନେ ଅଭିଯୋଗ କରିଥିଲେ।
Spread the love