ଦୋଳ ମେଳଣ ଦେଖି ଫେରୁଥିଲେ ମହିଳା: ଘରକୁ ପହଞ୍ଚିବାର ୧୦୦ ମିଟର ପୂର୍ବରୁ ଦୁର୍ଘଟଣାରେ ମୃତ୍ୟୁ

ସୋର: ଦୋଳ ମେଳଣ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଜଣେ ମହିଳା। ବାଲେଶ୍ବର ଜିଲ୍ଲା ସୋର ଥାନା ସୋର-କୁପାରୀ ରାସ୍ତା କାନପୁର ପୋଲ ନିକଟରେ ଆଜି ଅପରାହ୍ନରେ ଏକ ପିକ୍‌ଅପ୍‌ ଡିଜିକୁ ଟାଣି ଟାଣି ନେଉଥିବା ବେଳେ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କ ଉପରେ ଓଲଟି ପଡିଛି। ଫଳରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମହିଳାଙ୍କ ନାମ ଉର୍ମିଳା ଦାସ। ସେ ନିଜ ଘରକୁ ପଞ୍ଚିବାର ୧୦୦ ମିଟର ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଛନ୍ତି।  ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ପିକ୍‌ଅପ୍‌କୁ ଓଲଟାଇ ନିଆଁ ଲଗାଇଦେବା ସହ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

ସୋର ଅଗ୍ନିଶମ ବିଭାଗର ଏକ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଛ। ସୋର ଥାନା ଆଇଆଇସି ସୁଜାତା ଖମାରୀ ସଦଳବଳେ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିବା ଦେଖିବାକୁ ମିଳିଛି। ମୃତ ମହିଳା ଜଣଙ୍କ ସ୍ଥାନୀୟ କାନପୁର ଗ୍ରାମର ଉର୍ମିଳା ଦାସ ହୋଇଥିବା ବେଳେ ସେ କୁଡେ଼ଇ ଗ୍ରାମରେ ହେଉଥିବା ଦୋଳ ମେଳଣ ଦେଖି ଘରକୁ ଫେରୁଥିଲେ। ତାଙ୍କ ଘର ଠାରୁ ମାତ୍ର ଶହେ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।

Spread the love