ଆମ୍ବୁଲାନ୍‌ସ ନ ମିଳିବାରୁ ରେଳ ଷ୍ଟେସନରେ ଚାଲିଗଲା ମହିଳାଙ୍କ ପ୍ରାଣ

ବର୍ଦ୍ଧମାନ: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଏକ ରେଳ ଷ୍ଟେସନରେ ଜଣେ ମହିଳାଙ୍କୁ ଏକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ଆମ୍ବୁଲାନ୍‌ସ ନ ମିଳିବାରୁ ତାଙ୍କର ମୃତ୍ୟୁ ଘଟିଛି। ଭତର ରେଳ ଷ୍ଟେସନରେ ଏହି ଘଟଣା ଘଟିଛି; ଯେଉଁଠାରେ ୫୦ ବର୍ଷୀୟା ମେନକା କୋଡା ଏବଂ ତାଙ୍କ ସ୍ୱାମୀ ଅସିତ ବର୍ଦ୍ଧମାନ ଯିବାକୁ ଟ୍ରେନ ପାଇଁ ଅପେକ୍ଷା କରିଥିଲେ।

ରିପୋର୍ଟରୁ ପ୍ରକାଶ, କାଚିଗୋରିଆ ଗାଁରେ ଦିନ ମଜୁରିଆ ଭାବେ ସ୍ୱାମୀଙ୍କ ସହ କ୍ଷେତରେ କାମ କରୁଥିବା ବେଳେ ମେନକା କୋଡା ଗ୍ରୀଷ୍ମପ୍ରବାହରେ ପୀଡ଼ିତ ହୋଇଥିଲେ। ତାଙ୍କ ସ୍ୱାମୀ ତାଙ୍କୁ ଭତର ଡାକ୍ତରଖାନାକୁ ଆଣିଥିଲେ, ଯେଉଁଠାରେ ତାଙ୍କୁ ଦୁଇଟି ବୋତଲ ସାଲାଇନ୍‌ ଦିଆଯାଇଥିଲା ଏବଂ ତାଙ୍କୁ ବର୍ଦ୍ଧମାନ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଥିଲା। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଆମ୍ବୁଲାନ୍‌ସ ଯୋଗାଇ ନଦେବାରୁ ତାଙ୍କ ସ୍ୱାମୀଙ୍କୁ ଏକ ଘରୋଇ ଗାଡ଼ିରେ ବର୍ଦ୍ଧମାନ ନେବାକୁ କହିଥିଲେ, ଯେଉଁଥିପାଇଁ ସେମାନଙ୍କ ପାଖରେ ଟଙ୍କା ନଥିଲା। ଅନ୍ୟ କୌଣସି ବିକଳ୍ପ ନଥିବାରୁ ଅସିତ କୋଡ଼ା ତାଙ୍କୁ ଟ୍ରେନ୍‌ ଯୋଗେ ବର୍ଦ୍ଧମାନ ନେବାକୁ ସ୍ଥିର କଲେ ଏବଂ ତାଙ୍କୁ ଏକ ଇ-ରିକ୍ସାରେ ରେଳ ଷ୍ଟେସନକୁ ନେଇଯାଇଥିଲେ। ଗୁରୁବାର ଟ୍ରେନ୍‌କୁ ଅପେକ୍ଷା କରିବା ବେଳେ ଏକ ଗଛ ମୂଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଉଦାସୀନତା ଅଭିଯୋଗ ହୋଇଛି। ତେବେ ସେମାନଙ୍କ ଆମ୍ବୁଲାନ୍‌ସ ଖରାପ ହୋଇ ମରାମତି କରାଯାଉଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି।

Spread the love