ଏସପ୍ଲାନେଡ୍ ମଲର ଦାଦାଗିରି: ମହିଳା ସାମ୍ବାଦିକାଙ୍କୁ ମାଡ଼

ଏସପ୍ଲାନେଡ୍ ମଲ କର୍ମଚାରୀଙ୍କ ଗୁଣ୍ଡାଗିରି ଯୋଗୁ ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକା ଓ କ୍ୟାମେରାମ୍ୟାନ ଆହତ ହୋଇଛନ୍ତି। ମଲରେ ବେଆଇନ ପାର୍କିଂ ଫି’ ଆଦାୟ ଖବର ପ୍ରସାରଣ କରିବାକୁ ଯାଇଥିବା ଏକ ଘରୋଇ ୱେବଚ୍ୟାନେଲ ‘ଅର୍ଗସ’ର ମହିଳା ସାମ୍ବାଦିକା ସ୍ୱାତୀ ଜେନା ଓ କ୍ୟାମେରାମ୍ୟାନ ପ୍ରମୋଦ କୁମାର ମହାପାତ୍ରଙ୍କୁ ଏସପ୍ଲାନେଡ୍ ମଲ୍ ସିକ୍ୟୁରିଟି ଓ କର୍ମଚାରୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ସାମ୍ବାଦିକାଙ୍କ ପକ୍ଷରୁ ସ୍ଥାନୀୟ ଶହୀଦନଗର ଥାନାରେ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଡିଏ ପକ୍ଷରୁ ସମସ୍ତ ସପିଂ ମଲ୍ ଓ ହସ୍ପିଟାଲରେ ପାର୍କିଂ ଫି’ ଆଦାୟ ଉପରେ କଟକଣା ଜାରି କରାଯାଇଥିବାବେଳେ ରସୁଲଗଡ଼ସ୍ଥିତ ଏସପ୍ଲାନେଡ୍ ମଲଠାରେ ପାର୍କିଂ ଫି’ ଆଦାୟ ହେଉଥିବା ସୂଚନା ପାଇଁ ଅର୍ଗସ ଟିମ୍ ସାମ୍ବାଦିକା ଓ କ୍ୟାମେରାମ୍ୟାନ ଏହି ଖବର ପ୍ରସାରଣ କରିବା ନିମନ୍ତେ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ସେମାନେ ବେଆଇନ ଫି’ ଆଦାୟ କରୁଥିବା କର୍ମଚାରୀ ଓ ସାଧାରଣ ଲୋକଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରୁଥିବାବେଳେ ମଲର ଜଣେ ଉଚ୍ଚପଦସ୍ଥ ମହିଳା ଅଧିକାରୀ ସାମ୍ବାଦିକାଙ୍କୁ ଧମକ ଦେଇଥିଲେ। ଅଭିଯୋଗ ଅନୁସାରେ, ଏହି ସମୟରେ ସେଠାରେ ଥିବା ସିକ୍ୟୁରିଟି କର୍ମଚାରୀମାନେ ଅଚାନକ କ୍ୟାମେରାମ୍ୟାନ ଶ୍ରୀ ମହାପାତ୍ରଙ୍କୁ ଆକ୍ରମଣ କରି ତାଙ୍କ କ୍ୟାମେରା ଛଡ଼ାଇ ନେବାକୁ ପ୍ରୟାସ କରିଥିଲେ। ଏପରିକି ମହିଳା ସାମ୍ବାଦିକା ସ୍ୱାତୀ ଜେନାଙ୍କୁ ଆକ୍ରମଣ କରିବାକୁ ସିକ୍ୟୁରିଟି କର୍ମଚାରୀମାନେ ପଛାଇ ନଥିଲେ।

Spread the love