ବାଲେଶ୍ବର: ଗାଁକୁ ନାହିଁ ରାସ୍ତା, ଦେଢ଼ କିମି ଚାଲିଲେ ଗର୍ଭବତୀ ମହିଳା

ନୀଳଗିରି: ବିକାଶର ଡେଙ୍ଗୁରା ପିଟୁଥିବା ସରକାର ଅସଲ ବିକାଶ ଏବେ ପଦାରେ ପଡ଼ିଛି। ଗାଁକୁ ରାସ୍ତା ନଥିବାରୁ ଦେଢ଼ କିମି ଚାଲି ଚାଲି ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ଆସିଲେ ଗର୍ଭବତୀ। ଏଭଳି ଏକ ଅଭାବନୀୟ ଘଟଣା ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ମହାପାତ୍ରୀଆଣି ଗ୍ରାମରେ ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ମହେଶ୍ବର ବେହେରାଙ୍କ ଝିଅ ସୀମା ନାୟକ ବାପ ଘରକୁ ବୁଲିବା ପାଇଁ ଆସିଥିଲେ। ହେଲେ ହଠାତ ତାଙ୍କର ଗର୍ଭଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ପରିବାର ବର୍ଗ । ହେଲେ ରାସ୍ତା ଅଣଓସାରିଆ ଓ କାଦୁଅ ପଚପଚ ହୋଇଥିବାରୁ କେବେ ବି ଉକ୍ତ ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ। ଫଳରେ ଉକ୍ତ କାଦୁଆ ବିଲ ହିଡ଼ ରାସ୍ତାରେ ଗର୍ଭ ଯନ୍ତ୍ରଣାକୁ ସହି ହିଡ ରାସ୍ତାରେ ଚାଲି ଚାଲି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସିଥିଲେ ସୀମା। ପରେ ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡିକାଲରେ ଭର୍ତ୍ତି ହୋଇ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ସୀମା।

ହେଲେ ସବୁଠାରୁ ବଡ ପ୍ରଶ୍ନବାଚୀ ଯେ ୨୩ ବର୍ଷ ପର୍ଯ୍ୟନ୍ତ ଶାସନ ଭାର ସମ୍ଭାଳିଥିଲେ ମଧ୍ୟ ଗାଁକୁ ଖଣ୍ଡିଏ ରାସ୍ତା ପ୍ରସ୍ତୁତ କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ଫଳରେ ଆମ୍ବୁଲାନ୍ସ, ଅଗ୍ନିଶମ ଭଳି ଜରୁରୀକାଳୀନ ସେବା ଉକ୍ତ ଗାଁ ପାଇଁ ସାତ ସପନ।ଉକ୍ତ ଗ୍ରାମବାସୀ। ଏ ଯାବତ ଗାଁକୁ ଆମ୍ବୁଲାନ୍ସ ଗାଡି ଟିଏ ଆସିବାର ଦେଖିପାରିଲେ ନାହିଁ। ସମସ୍ତ ଜରୁରୀକାଳୀନ ସେବାର ଗାଡ଼ି ଗାଁ ଠାରୁ ଦେଢ କିମି ଦୂର ବାଉଁଶବଣିଆ ଛକରେ ଛିଡ଼ା ହୋଇ ରୋଗୀକୁ ଅପେକ୍ଷା କରିବାକୁ ପଡ଼ିଥାଏ। କିଛି ଦିନ ପୂର୍ବେ ୫ଟି ସଚିବ ଔପଦା, ନୀଳଗିରି ଗସ୍ତରେ ଆସିଥିଲେ ହେଲେ ସେ କେମିତି ବିକାଶ କରିଛନ୍ତି ତାହା ସ୍ପଷ୍ଟ ବାରିହେଉଛି। ୨୦ରୁ ଊର୍ଦ୍ଧ୍ବ ପରିବାର ଦୀର୍ଘ ବର୍ଷ ହେବ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲେ ମଧ୍ୟ ନା ସ୍ଥାନୀୟ ପ୍ରସାଶନ ନା କୌଣସି ରାଜନେତା ଏ ପ୍ରତି ଦୃଷ୍ଟି ନିକ୍ଷେପ କରିଛନ୍ତି। ଗାଁ କୁ ଖଣ୍ଡିଏ ରାସ୍ତା ପାଇଁ ଦାବି ଜିଲ୍ଲାପାଳ ଦୃଷ୍ଟି ନିକ୍ଷେପ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

Spread the love