ମହିଳା ହେଉଛନ୍ତି ପରିବାରର ଅଦୃଶ୍ୟ ଶକ୍ତି: କୁଳପତି

ବ୍ରହ୍ମପୁର: ଘରଣୀ ବିନା ଘର ପରିପୂର୍ଣ୍ଣ ନୁହେଁ। ପ୍ରତ୍ୟେକ ମହିଳା ଜଣେ ଜଣେ ସଫଳ ନେତ୍ରୀ। ସେମାନେ ନିଜ ପରିବାରକୁ ଦେଖିବା ସହିତ ନିଜେ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଯାହାକି ସେମାନଙ୍କ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସହଯୋଗ କରୁଛି। ଏଣୁ ମହିଳାମାନେ ହେଉଛନ୍ତି ପରିବାରର ଅଦୃଶ୍ୟ ଶକ୍ତି ବୋଲି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହିଛନ୍ତି। ମହିଳାମାନେ ଆଗକୁ ବଢ଼ିବା ପାଇଁ ହେଲେ ସେମାନଙ୍କୁ ସଶକ୍ତ ହେବାକୁ ପଡ଼ିବ। ସଶକ୍ତୀକରଣ ଅର୍ଥାତ, ଯେଉଁଠି କ୍ଷମତାର ସୁବିନିଯୋଗ, ନିଜ ବିଷୟରେ ନିଜେ ଫଇସଲା ନେବାର ସ୍ବାଧୀନତା, ଅବାଧ ବିଚରଣ, ମୁକ୍ତ ଚେତନା, ସ୍ବାବଲମ୍ବୀ, ପାରିପାର୍ଶିକ ସ୍ଥିତିରେ ଯୋଗଦାନ ଏବଂ ଯେଉଁଠି ଅର୍ଥନୈତିକ କାର୍ଯ୍ୟକଳାପରେ ମହିଳାଙ୍କ ସହାୟତା ରହିଛି, ସେଠି ମହିଳା ସଶକ୍ତୀକରଣ ସମ୍ଭବ ହେବ ବୋଲି କୁଳପତି ପ୍ରଫେସର ଦାଶ ମତବ୍ୟକ୍ତ କରିଛନ୍ତି।

ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦାଶ, ସମ୍ମାନିତ ଅତିଥି ଭାବେ ମହିଳା ଉଦ୍ୟୋଗୀ ତଥା ସମାଜସେବୀ ଆରତି ଦେବୀ ଯୋଗ ଦେଇଥିଲେ। ‘ସମ୍ବାଦ ଗ୍ରୁପ୍‌’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ବାର୍ତ୍ତା ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ ମଧ୍ୟ ମଞ୍ଚାସୀନ ଥିଲେ। ମୁଖ୍ୟଅତିଥି କୁଳପତି ପ୍ରଫେସର ଦାଶ ତାଙ୍କ ବକ୍ତବ୍ୟରେ ଜାତିସଂଘର ରିପୋର୍ଟ ଅନୁସାରେ ପୃଥିବୀରେ ଯାହା ବି କାମ ହେଉଛି ତା’ର ଦୁଇ ତୃତୀୟାଂଶ କାମ ମହିଳା କରୁଛନ୍ତି। କିନ୍ତୁ ମହିଳାଙ୍କୁ ମାତ୍ର ୧ ପ୍ରତିଶତ ସ୍ଥାୟୀ ମାଲିକାନାସତ୍ତ୍ବ ମିଳିଛି। କ୍ରମଶଃ ଏଥିରେ ସୁଧାର ଆସୁଥିବା ଲକ୍ଷ୍ୟ କରାଯାଉଛି। ଓଡ଼ିଶାର ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଗ୍ରାମୀଣ ମହିଳାଙ୍କ ବିକାଶ ପାଇଁ ଗୁରୁତ୍ବ ଦିଆଯାଉଛି। ଏଣୁ ମହିଳାମାନେ ନିଜେ ନିଜର ନିଷ୍ପତ୍ତି ନିଅନ୍ତୁ ଏବଂ ଆଗକୁ ବଢ଼ନ୍ତୁ ବୋଲି ପ୍ରଫେସର ଦାଶ ଉପସ୍ଥିତ ମହିଳାଙ୍କୁ ଆହ୍ବାନ କରିଥିଲେ। ଗ୍ରାମୀଣ ଅର୍ଥନୀତିରେ ସୁଧାର ଆଣିବା ପାଇଁ ଏବେ ଏସ୍‌ଏଚ୍‌ଜିଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଶିକ୍ଷାକ୍ଷେତ୍ରରେ ମଧ୍ୟ ନିଜକୁ ସୁଦୃଢ଼ କରିବାକୁ ହେବ। ନେପୋଲିଆନ୍‌ କହିଥିଲେ, ‘ମୋତେ ଶିକ୍ଷିତ ମା’ ଦିଅନ୍ତୁ, ମୁଁ ଏକ ବିକଶିତ ଦେଶ ଦେବି’। ଏଥିରୁ ସ୍ପଷ୍ଟ ହେଉଛି ଯେ ଆମେ ଯେତିକି ଶିକ୍ଷିତ ହେବା ସେତେ ଅଧିକ ସଶକ୍ତ ହୋଇପାରିବା। ମା’ ହେଉଛି ପିଲାଙ୍କ ପ୍ରଥମ ଶିକ୍ଷକ। ମା’ ଶିକ୍ଷିତ ହେଲେ ପରିବାର ଶିକ୍ଷିତ ହେବ। ପରିବାର ଶିକ୍ଷିତ ହେଲେ ସମାଜ ଶିକ୍ଷିତ ହେବ ବୋଲି କୁଳପତି କହିଥିଲେ।

ସମ୍ମାନିତ ଅତିଥି ସମାଜସେବୀ ଆରତି ଦେବୀ ତାଙ୍କ ବକ୍ତବ୍ୟରେ ଏକ କିମ୍ବା ଏକାଧିକ ମହିଳା ମିଳିତ ଭାବେ କାମ କରି ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ ହେବା ହେଉଛି ମହିଳା ସଶକ୍ତୀକରଣ। ମହିଳା ସଶକ୍ତୀକରଣ ପାଇଁ ଅର୍ଥନୈତିକ ବିକାଶ ସହିତ ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ ମଧ୍ୟ ଆବଶ୍ୟକ। ସେ ନିଜର ଉଦାହରଣ ଦେଇ କହିଲେ, ବ୍ୟାଙ୍କ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ। ପୋଲସରା ବ୍ଲକ୍‌ ଢୁଙ୍କାପଡ଼ା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ରାଜ୍ୟରେ ପ୍ରଥମ ମହିଳା ଗ୍ରାମସଭା କରିଥିଲେ। ସେହି ଗ୍ରାମସଭାରେ ମହିଳାଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳ ହେବା ପାଇଁ ବହୁ ପ୍ରତିଭା ରହିଥିବା ଦେଖିବାକୁ ପାଇଥିଲେ। ଏଣୁ ସେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ ବୋଲି ସେ ସୂଚନା ଦେଇଥିଲେ। ଉଦ୍ୟୋଗ କରିବା ବଡ଼ କଥା ନୁହେଁ, ପ୍ରଥମେ ତା’ର ମାର୍କେଟିଂ ବ୍ୟବସ୍ଥା ଦେଖିବାର ଅଛି। ଯଦି ସାମଗ୍ରୀ ବିକ୍ର ହେବ ନାହିଁ, ତେବେ ଉଦ୍ୟୋଗ ବଞ୍ଚିବ କେମିତି ବୋଲି ସେ କହିଥିଲେ। ମହିଳା ସଶକ୍ତୀକରଣ ଦ୍ବାରା ଆର୍ଥିକ ଅଭିବୃଦ୍ଧି ସହିତ ସାମାଜିକ ବିକାଶ ସମ୍ଭବ ହୋଇପାରୁଛି। ଆଜି ଯେଉଁ ମହିଳାମାନେ ଏସ୍‌ଏଚ୍‌ଜି ଜରିଆରେ ଉଦ୍ୟୋଗ ପ୍ରତିଷ୍ଠା କରିଛନ୍ତି, ଆଗାମୀ ଦିନରେ ସେମାନେ ଶିଳ୍ପାୟନ ପ୍ରତି ଅଗ୍ରସର ହୁଅନ୍ତି ବୋଲି ସମାଜସେବୀ ଆରତୀ କହିଥିଲେ।

Spread the love