ମହିଳା ପ୍ରିମିୟର ଲିଗ୍‌: ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ବିଜେତା

ମୁମ୍ବାଇ : ପ୍ରଥମ ଥର ଲାଗି ଆୟୋଜିତ ମହିଳା ପ୍ରିମିୟର ଲିଗ୍‌ (ଡବ୍‌ଲ୍ୟୁପିଏଲ୍‌)ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜେତା ହୋଇଛି। ରବିବାର ଫାଇନାଲ୍‌ରେ ଏହି ଦଳ ୭ ୱିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଡବ୍‌ଲ୍ୟୁପିଏଲ୍‌ ପ୍ରଥମ ସଂସ୍କରଣ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି। ୧୩୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ପ୍ରଥମ ୱିକେଟ୍‌ ଭା‌ବେ ୧୩ ରନ୍‌ରେ ଓପନର୍‌ ୟାସ୍ତିକ ଭାଟିଆ (୪)ଙ୍କୁ ହରାଇଥିଲା। ଏହାପରେ ଦଳୀୟ ସ୍କୋର୍‌ ୨୩ ରନ୍‌ରେ ହାଲି ମାଥ୍ୟୁସ (୧୩)ଙ୍କୁ ହରାଇ ସଂକଟରେ ପଡ଼ିଥିଲା। ହେଲେ ତୃତୀୟ ୱିକେଟ୍‌ରେ ଅଧିନାୟିକା ହର୍ମନପ୍ରୀତ କୌର (୩୭ ରନ୍‌, ୩୯ ବଲ୍‌, ୫‌ ଚୌକା) ଓ ନାଟ୍‌ ଶ୍ଚିଭର ବ୍ରଣ୍ଟ ୭୨ ରନ୍‌ ଯୋଡ଼ି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ୧୬.୧ ଓଭରରେ ଦଳୀୟ ସ୍କୋର୍‌ ୯୫ ଥିଲା ବେଳେ ହର୍ମନପ୍ରୀତ ରନ୍‌ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ। ହେଲେ ବ୍ରଣ୍ଟ (୬୦* ରନ୍‌, ୫୫ ବଲ୍‌‌, ୭ ଚୌକା) ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ଅମେଲିଆ କେର୍‌ (୧୪*, ୮ ବଲ୍‌, ୨ ଚୌକା)ଙ୍କୁ ସାଥୀ କରି ଦଳକୁ ୩ ବଲ୍‌ ପୂର୍ବରୁ ବିଜୟ ଭେଟି ଦେଇଥିଲେ।

ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ଦୁଇ ଓଭର ମଧ୍ୟରେ ୧୨ ରନ୍‌ରେ ଶେଫାଳି ବର୍ମା (୧୧) ଓ ଆଲିସେ କ୍ୟାପ୍ସି (୦)ଙ୍କୁ ହରାଇଥିଲା। ‌ଅଧିନାୟିକା ମେଗ୍‌ ଲାନିଙ୍ଗ ତୃତୀୟ ୱିକେଟ୍‌ରେ ୨୫ ରନ୍‌ ଯୋଡ଼ି ଆଗକୁ ବଢ଼ୁଥିଲା ବେଳେ ଜେମିମା ରଡ୍ରିଗୁଏଜ (୯) ଆଉଟ୍‌ ହୋଇଥିଲେ। ଲାନିଙ୍ଗ ଓ ମାରିଜାନ୍‌ କାପ୍‌ (୧୮) ଚତୁର୍ଥ ୱିକେଟ୍‌ରେ ୩୮ ରନ୍‌ ଯୋଡ଼ିଥିଲେ। କାପ୍‌ ଓ ଲାନିଙ୍ଗ (୩୫, ରନ୍‌ ଆଉଟ୍‌) ଗୋଟିଏ ରନ୍‌ ବ୍ୟବଧାନରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଥିଲା। ଏପରିକି ୧୬ ଓଭରରେ ୯ ୱିକେଟ୍‌ ହରାଇ ମାତ୍ର ୭୯ କରିଥିଲା। ହାଲି ମାଥ୍ୟୁସ, ଇସ୍‌ ୱଙ୍ଗ ୩ ଲେଖାଏଁ ଏବଂ କେର ୨ ୱିକେଟ୍‌ ନେଇ ଦିଲ୍ଲୀକୁ ବଡ଼ ସ୍କୋର୍‌ରୁ ଅଟକାଇଥିଲେ। ତେବେ ଶେଷ ୪ ଓଭରରେ ଶିଖା ପାଣ୍ଡେ (୨୭*, ୧୭ ବଲ୍‌, ୩ ଚୌକା, ୧ ଛକା) ଏବଂ ରାଧା ଯାଦବ (୨୭*, ୧୨ ବଲ୍‌, ୨ ଚୌକା, ୨ ଛକା) ବିସ୍ଫୋରକ ପାଳି ଖେଳି ଦଶମ ୱିକେଟ୍‌ରେ ଅବିଭାଜିତ ୫୪ ରନ୍‌ର ଭାଗୀଦାରି ଗଢ଼ି ଦଳୀୟ ସ୍କୋର୍‌ ୧୩୧ରେ ପହଞ୍ଚାଇ ଦେଇଥିଲେ।

Spread the love