ସରିଲା କେନ୍ଦ୍ରୀୟ କର୍ମଚାରୀଙ୍କ ଓ୍ଵାର୍କ ଫ୍ରମ ହୋମ, ସୋମବାରଠୁ ଅଫିସ ଆସିବାକୁ ପଡିବ

ନୂଆଦିଲ୍ଲୀ ୦୬।୦୨: କମିଲା କରୋନା କେସ୍। ହ୍ରାସ ହେଲା ଓମିକ୍ରନ ଭାରିଆଣ୍ଟର ପ୍ରକୋପ। ଫଳରେ ସରିଛି ଓ୍ଵାର୍କ ଫ୍ରମ ହୋମ ବ୍ୟବସ୍ଥା। ସୋମବାରଠୁ ସମସ୍ତ କେନ୍ଦ୍ରୀୟ କର୍ମଚାରୀ କାର୍ଯ୍ୟାଳୟ ଯାଇ କାମ କରିବେ। କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, କରୋନା ଭାଇରସ୍ ପ୍ରକୋପ କମିବା ପରେ ରବିବାର ଏହି ନିଷ୍ପତ୍ତି ନିଆଯାଇଛି।

କାର୍ମିକ ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ମହାମାରୀ ସ୍ଥିତିକୁ  ନେଇ ରବିବାର ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ସ୍ଥିତିରେ ସୁଧାର ଆସିବାରୁ ଓ୍ଵାର୍କ ଫ୍ରମ ହୋମ ବ୍ୟବସ୍ଥା ବନ୍ଦ କରାଯାଇଛି ଏବଂ ସୋମବାରଠୁ କାର୍ଯ୍ୟାଳୟ ଆସିବାକୁ ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କୁ କୁହାଯାଇଛି। ଫେବୃଆରୀ ୭ ଅର୍ଥାତ ଆସନ୍ତାକାଲିଠୁ ନିୟମିତ ଆଧାରରେ ସମସ୍ତ କର୍ମଚାରୀ କାର୍ଯ୍ୟାଳୟ ଆସିବେ।

ସେ କହିଛନ୍ତି, ବିଭାଗର ପ୍ରମୁଖ ଏହା ସୁନିଶ୍ଚିତ କରିବେ, କର୍ମଚାରୀ କାର୍ଯ୍ୟାଳୟରେ ମାସ୍କ ପିନ୍ଧିବେ ଏବଂ କରୋନା ଗାଇଡଲାଇନ୍ ପାଳନ କରିବେ। ସୋମବାରଠୁ କୌଣସି ସରକାରୀ କର୍ମଚାରୀ ଓ୍ଵାର୍କ ଫ୍ରମ କରି ପାରିବେ ନାହିଁ। କାର୍ମିକ ମନ୍ତ୍ରଣାଳୟ  ଜାନୁଆରୀ ୩ରେ ନିଜର ଆଦେଶରେ, ସଚିବ ସ୍ତରରୁ କମ ୫୦ ପ୍ରତିଶତ କର୍ମଚାରୀଙ୍କୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିବା ପରେ ଏହି ବ୍ୟବସ୍ଥାକୁ ହଟାଇ ଦିଆଯାଇଛି।

Spread the love