ଆସିଲା ଫୋନ୍ କଲ୍: ଟଳିପଡ଼ିଲେ ଶ୍ରମିକ

ବୈପାରିଗୁଡା: ମୃତ୍ୟୁ କେତେବେଳେ କେଉଁଠି ଆସିବ କେହି ଜାଣିପାରନ୍ତି ନାହିଁ। ଏଭଳି ଏକ ଦୁଃଖଦ ଘଟଣା ବୈପାରିଗୁଡା ସହରରେ ଘଟିଛି। ବୈପାରିଗୁଡା ବ୍ଲକର ଡିଶାରିଗୁଡା ଗ୍ରାମର ଭାଗିରଥୀ ଭେମିଣ୍ଡି (୩୮) ଟାଟା ପାୱାର କମ୍ପାନିରେ ନିୟୋଜିତ ହୋଇଥିବା ଅଣକୁଶଳୀ ଶ୍ରମିକ ଭାବେ କାମ କରୁଥିଲେ। ବୈପାରିଗୁଡାରୁ ଦିଗାପୁର ରାସ୍ତାରେ ପୋଲ ପୋତିବା କାମ ଚାଲିଥିଲା। ତେବେ ଭାଗିରଥୀ ବୈପାରିଗୁଡାର ତହସିଲ ନିକଟରେ ଏକ ଜଳଖିଆ ଦୋକାନରେ ଜଳଖିଆ ଖାଇବା ପାଇଁ ତରବର ହେଉଥିଲେ। ଏହି ସମୟରେ ତାଙ୍କ ନିକଟକୁ ଫୋନ୍ କଲ୍ ଆସିଥିଲା।ଫୋନରେ କଥା ହେଉଥିବା ବେଳେ ହଠାତ ସେ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଭାଗିରଥୀଙ୍କୁ ମେଡିକାଲକୁ ନେଇଥିଲେ। ତେବେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଇଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଡିଶାରିଗୁଡାରେ ଶୋକର ଛାୟା ଖେଳିଯାଇଛି।

Spread the love