ବିଜେପି ରଣନୀତି ନେଇ ଦ୍ବନ୍ଦ୍ବରେ କର୍ମୀ: ବିଜେଡିର ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି

ବାରିପଦା: ୨୦୧୯ ନିର୍ବାଚନରେ ରାଜ୍ୟର ସବୁ ଆଡେ ବିଜେଡି ବାଜିମାତ୍‌ କରିଥିବା ବେଳେ ମୟୂରଭଞ୍ଜରେ ଦଳ ଝୁଣ୍ଟିଥିଲା। ତେଣୁ ୨୦୨୪ ନିର୍ବାଚନ ପାଇଁ ଦଳ ଏଥର ଅଧିକ ଫୋକସ୍ କରିଛି। ଲୋକସଭା ସହ ସମସ୍ତ ୯ଟି ବିଧାନସଭା ଆସନକୁ ପୋଛି ନେବ ବୋଲି ଦଳୀୟ ନେତାମାନେ ଏବେଠୁ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେପଟେ ୨୦୨୪ ପାଇଁ ବିଜେପିର ରଣନୀତି କଣ ରହିବ, ତାହା କେହି ଜାଣି ପାରୁନାହାନ୍ତି। ୨୦୧୯ ନିର୍ବାଚନରେ ବିଜେପି ଲୋକସଭା ଆସନରେ ବିଜୟୀ ହେବା ସହ ୯ଟି ବିଧାନସଭା ଆସନରୁ ୬ଟିରେ ବାଜିମାତ୍‌ କରିଥିଲା। ବିଜେଡିକୁ ମିଳିଥିଲା ମାତ୍ର ୩ଟି ବିଧାନସଭା ଆସନ। ମାତ୍ର ପଞ୍ଚାୟତ ଓ ପୌର ନିର୍ବାଚନରେ ଏହାର ମଧୁର ପ୍ରତିଶୋଧ ନେଇଥିଲା ବିଜେଡି। ୫୬ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ଗୋଟିଏ ଆସନରେ ବି ଜିତି ପାରିନଥିଲା। ଅପରପକ୍ଷେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ୩ଟି ଆସନ ହାତେଇବାରେ ସଫଳ ହୋଇଥିବା ବେଳେ ବିଜେଡି ସର୍ବାଧିକ ୫୩ଟି ଆସନ ପାଇ ଜିଲ୍ଲା ପରିଷଦ ଗଠନ କରିଥିଲା। ପୌର ନିର୍ବାଚନରେ ବି ବିଜେପିକୁ ମାତ୍ ଦେଇଥିଲା ବିଜେଡି। ଉଦଳା ଏନ୍‌ଏନସିକୁ ବହୁ କଷ୍ଟରେ ବିଜେପି ଅକ୍ତିଆର କରିଥିବା ବେଳେ ବାରିପଦା, ରାଇରଙ୍ଗପୁର ପୌର ପରିଷଦ ଓ କରଞ୍ଜିଆ ଏନଏସିକୁ ବିଜେଡି କବ୍‌ଜା କରି ନେଇଥିଲା।

ଏବେ ଜନସମ୍ପର୍କ ପଦଯାତ୍ରା ହେଉ କି ଜୀବନବିନ୍ଦୁ କାର୍ଯ୍ୟକ୍ରମ; କାହାର ଜନ୍ମଦିନ ହେଉ କି କାହାର ଏକାଦଶାହ; ସବୁଠି ବିଜେଡି ନେତା ଓ କର୍ମୀଙ୍କୁ ଦେଖିବାକୁ ମିଳୁଛି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ମୁଦୁଲି ପ୍ରାୟ ୫ ମାସ ହେଲା ମୟୂରଭଞ୍ଜ ଗସ୍ତରେ ଆସିନ‌ାହାନ୍ତି। ତଥାପି ସହପର୍ଯ୍ୟବେକ୍ଷକ ‌ଜନ୍ମେଜୟ ଲେଙ୍କା ଓ ସୁବ୍ରତ ଛାଟୋଇ ବିଭିନ୍ନ ଅଞ୍ଚଳ ଗସ୍ତ କରି ଦଳର ନେତା ଓ କର୍ମୀଙ୍କୁ ଭେଟି ରଣନୀତି ପ୍ରସ୍ତୁତି ଚଳାଇଛନ୍ତି। ଜିଲ୍ଲା ସଭାପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ମଧ୍ୟ ମୟୂରଭଞ୍ଜରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ତେବେ ଲୋକସଭାକୁ ବାଦ୍ ଦେ‌ଇ ସମସ୍ତ ବିଧାନସଭା ଆସନରେ ଏକାଧିକ ଅଶାୟୀ ଟିକେଟ୍‌ ଦୌଡ଼ରେ ରହିଛନ୍ତି। ବିଶେଷ କରି ଜିଲ୍ଲାର ଏକ ମାତ୍ର ଅଣସଂରକ୍ଷିତ ଆସନ ମୋରଡା ନିର୍ବାଚନମଣ୍ଡଳୀରେ ଆଶାୟୀଙ୍କ ସଂଖ୍ୟା ୧୫ ପାର୍ ହୋଇଗଲାଣି। ଅନ୍ୟପଟେ ୨୦୧୯ ନିର୍ବାଚନ ଭଳି ବିଜେପିର ପ୍ରସ୍ତୁତି ୨୦୨୪ ପୂର୍ବରୁ ଦେଖିବାକୁ ମିଳୁନ‌ାହିଁ। ଆଗାମୀ ନିର୍ବାଚନରେ ଦଳର କିଏ ନେତୃତ୍ବ ନେବ, ତାହା ବି ସ୍ପଷ୍ଟ ହୋଇନାହିଁ। କୌଣସି ରଣନୀତି ନ ଥାଇ କେବଳ ଏହି ମାଟିର ଝିଅ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ନାଁରେ ୨୪ ନିର୍ବାଚନ ପାର୍‌ ହୋଇଯିବ ବୋଲି ବିଜେପି ଆଶାବାନ୍ଧି ବସିଥିବା ବେଳେ ଏହା ‌ସେତେଟା ସହଜ ହେବନାହିଁ ବୋଲି ମତପ୍ରକାଶ ପାଉଛି। ସେପଟେ କଂଗ୍ରେସର ସ୍ବରଶବ୍ଦ ନଥିବା ବେଳେ ପୂର୍ବ ସ୍ଥିତି ଫେରି ପାଇବାକୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା କସରତ ଚଳାଇଛି। ୨୦୨୪ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ମହାଲଢେଇ ହେବାକୁ ଯାଉଥିବା ବେଳେ ଏଥିରେ ଜେଏମ୍‌ଏମ୍‌ ନିର୍ଣ୍ଣାୟକ ଭୂମିକା ନେଇପାରେ ବୋଲି ଆଶା କରାଯାଉଛି।

Spread the love