ବିଶ୍ୱ ଶିଶୁ ଦିବସରେ ରେଡିଓ ଜକିଙ୍କ ଭୂମିକା ନିଭାଇଲେ ଶିଶୁ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଶନିବାର ବିଶ୍ୱ ଶିଶୁ ଦିବସ ପାଳନ ଅବସରରେ ଶିଶୁମାନେ ବିଭିନ୍ନ ପ୍ରଶ୍ନ ପଚାରିବା ଓ ଆଲୋଚନାରେ ଭାଗ ନେଇ ଗୋଟିଏ ଦିନ ପାଇଁ ରେଡିଓ ଜକିଙ୍କ ଭୂମିକା ନିଭାଇଛନ୍ତି । ଭୁବନେଶ୍ୱର ସ୍ଥିତ ଗାଇଡାନ୍ସ ଇଂଲିଶ ମିଡିୟମ୍ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସୁଯୋଗ ପାଇଥିବାରୁ ବେଶ ଉତ୍ସାହିତ ହେବା ସହ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବ୍ୟକ୍ତିମାନଙ୍କୁ ପ୍ରଶ୍ନ ପଚାରିଥିଲେ । ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ କ୍ଲାସ ସମ୍ପର୍କରେ ନିଜର ଅନୁଭୂତି ଆଲୋଚନା କରିବା ସହ ଧ୍ୟାନ, ସୁସ୍ଥ ଜୀବନଶୈଳୀ, ଯୋଗ ଏବଂ ମହାମାରୀ ଯୋଗୁଁ ଦୀର୍ଘଦିନ ଧରି ସ୍କୁଲ୍ ବନ୍ଦ ରହିବା କାରଣରୁ ଘରେ ରହିବା ସମ୍ପର୍କରେ ନିଜର ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମକୁ ସୋଆ କମ୍ୟୁନିଟି ରେଡିଓ ଏବଂ ୟୁନିସେଫ୍ ଓ କମ୍ୟୁନିଟି ରେଡିଓ ଆସୋସିଏସନ୍ ଅଫ୍ ଓଡ଼ିଶା(ସିଆର୍‌ଏଓ)ର ମିଳିତ ସହଭାଗିତାରେ ଆୟୋଜନ କରାଯାଇଥିଲା । ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ଶ୍ରୀମତି ମୋନିକା ନେଲ୍‌ସନ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଶୁମାନଙ୍କ ସହିତ ଓ ସୋଆ ରେଡିଓ କ୍ଳବ୍‌ର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ ।
ସୋଆ କମ୍ୟୁନିଟି ରେଡିଓ ସବୁବେଳେ ଯୁବକ ଏବଂ ଶିଶୁମାନଙ୍କୁ ଅଗ୍ରାଧିକାର ଦେଇଥାଏ । ପୋଷଣ, ମାନସିକ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଅନେକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ଏହି ଅବସରରେ ସୋଆ କମ୍ୟୁନିଟି ରେଡିଓର ଅଫିସର ଇନ୍ ଚାର୍ଜ ଶ୍ରୀମତି ହନି ପଟ୍ଟନାୟକ କହିଛନ୍ତି । ଗାଇଡାନ୍ସ ଇଂଲିଶ ମିଡିୟମ୍ ସ୍କୁଲ୍‌ର ଶିକ୍ଷୟତ୍ରୀ ଶ୍ରୀମତି ସୁକାନ୍ତି ରଥ କହିଥିଲେ ଯେ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ପ୍ରଥମ ଥର ପାଇଁ ଏଭଳି ସୁଯୋଗ ପାଇଛନ୍ତି ଏବଂ ଏହାକୁ ନେଇ ସେମାନେ ବେଶ ଉତ୍ସାହିତ । ପ୍ରତ୍ୟେକ ବର୍ଷ ନଭେମ୍ବର ୨୦ ତାରିଖରେ ବିଶ୍ୱ ଶିଶୁ ଦିବସ ପାଳନ କରାଯାଏ । ଶିଶୁମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇବା ଏହି ଦିବସ ପାଳନ କରିବାର ପ୍ରମୁଖ ଉଦ୍ଦେଶ୍ୟ । ଚଳିତବର୍ଷର ଥିମ୍ ଥିଲା “ପ୍ରତ୍ୟେକ
ଶିଶୁ ପାଇଁ ଏକ ସୁନ୍ଦର ଭବିଷ୍ୟତ” ।

Spread the love