T20 World Cup 2021: ଭାରତୀୟ ଦଳରେ କେଉଁ ୧୫ ଜଣ ଖେଳାଳିଙ୍କ ହେବ ଚୟନ ? ଜାଣନ୍ତୁ ସମ୍ଭାବ୍ୟ ଟିମ୍

ନୂଆଦିଲ୍ଲୀ ୦୧।୦୯: ଭାରତୀୟ କ୍ରିକେଟ୍ ଦଳ ସଂପ୍ରତି ଇଂଲଣ୍ଡ ଗସ୍ତରେ ଅଛନ୍ତି। ଆସନ୍ତାକାଲି ଇଂଲଣ୍ଡ ଓ ଭାରତ ମଧ୍ୟରେ ଓଭାଲରେ ଚତୁର୍ଥ ଟେଷ୍ଟ ଖେଳାଯିବ। ଏହା ମଧ୍ୟରେ ବଡ ଖବର ଆସିଛି ଯେ, ଏହି ଟେଷ୍ଟ ପରେ ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ। ମିଡିଆ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୭ରେ ଭାରତୀୟ ଦଳ ଘୋଷଣା କରାଯିବ। କେଉଁ କେଉଁ ଖେଳାଳିଙ୍କୁ ନେଇ ଦଳ ବିଶ୍ଵ କପକୁ ଓହ୍ଲାଇବ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। କାରଣ ଭାରତୀୟ ଦଳ ପାଖରେ ପ୍ରତିଭାବାନ ଏବଂ ଦକ୍ଷ ଖେଳାଳିଙ୍କ ଅଭାବ ନାହିଁ। କିନ୍ତୁ ଦଳରେ ୧୫ ଜଣ ଖେଳାଳିଙ୍କ ଚୟନ ହେବ। ଖବର ଅନୁଯାୟୀ, ୩ ଖେଳାଳିଙ୍କୁ ଦଳରେ ରିଜର୍ଭ ଖେଳାଳି ଭାବେ ରଖାଯିବ।

ଟି-୨୦ ବିଶ୍ଵ କପରେ ରହିବେ ୫ ସ୍ପେଶାଲିଷ୍ଟ ବ୍ୟାଟସମ୍ୟାନ

ଟି-୨୦ ବିଶ୍ଵ କପ୍‌ରେ ଭାରତୀୟ ଦଳ ୫ ବିଶେଷଜ୍ଞ ବ୍ୟାଟସମ୍ୟାନଙ୍କୁ ସ୍ଥାନ ଦେଇପାରେ। ବିରାଟ କୋହଲି, ରୋହିତ ଶର୍ମାଙ୍କ ବ୍ୟତୀତ କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟସ ଆୟରଙ୍କୁ ଦଳରେ ସ୍ଥାନ ମିଳିପାରେ।

ଜାଡେଜା-ପାଣ୍ଡ୍ୟା ହେବେ ଅଲରାଉଣ୍ଡର

ଟି-୨୦ ବିଶ୍ଵ କପ୍‌ରେ ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା ଦୁଇ ଜଣ ଅଲରାଉଣ୍ଡର ରହିବେ। ପାଣ୍ଡ୍ୟା ଆହତ କାରଣରୁ ଅଧିକ ବୋଲିଂ କରିନଥିଲେ ବି ଭାରତୀୟ ଦଳରେ ତାଙ୍କୁ ସୁଯୋଗ ଦିଆଯାଇପାରେ।

ଦ୍ରୁତ ବୋଲର ଉପରେ ନଜର ପକାଇଲେ ଟି-୨୦ ବିଶ୍ଵ କପରେ ଯଶପ୍ରୀତ ବୁମରା, ମହମ୍ମଦ ଶାମି, ଦୀପକ ଚହର, ଭୁବନେଶ୍ଵର କୁମାରଙ୍କୁ ଜାଗା ମିଳିପାରେ। ମହମ୍ମଦ ସିରାଜଙ୍କୁ ମଧ୍ୟ ଟି-୨୦ ସ୍କ୍ଵାର୍ଡରେ ସୁଯୋଗ ମିଳିପାରେ। ସ୍ପିନର ୟୁଜବେନ୍ଦ୍ର ଚହଲ ଖେଳିବା ପ୍ରାୟତଃ ନିଶ୍ଚିତ ଲାଗୁଛି। ଅନ୍ୟପଟେ ବରୁଣ ଚକ୍ରବର୍ତ୍ତୀ, ଓ୍ଵାଶିଂଟନ ସୁନ୍ଦର, ରାହୁଲ ଚହର ଓ ରବିଚନ୍ଦ୍ରନ ଅଶ୍ଵିନଙ୍କ ମଧ୍ୟରୁ କୌଣସି ଜଣେଙ୍କୁ ସୁଯୋଗ ମିଳିପାରେ।

ଖବର ଅନୁଯାୟୀ, ଭାରତୀୟ ଦଳ ୩ ରିଜର୍ଭ ଖେଳାଳି ସହ ୟୁଏଇ ଯାତ୍ରା କରିବ। ଏଥିରେ ପୃଥ୍ଵୀ ଶ, ଇଶାନ କିଶନ ଓ ଅନ୍ୟ ଜଣେ ବୋଲର ସାମିଲ।

ଟି-୨୦ ବିଶ୍ଵ କପ୍ ପାଇଁ ସମ୍ଭାବିତ ଭାରତୀୟ ଦଳ

ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ଭୁବନେଶ୍ଵର କୁମାର, ଦୀପକ ଚହର, ମହମ୍ମଦ ସିରାଜ, ଶ୍ରେୟସ ଆୟର, ବରୁଣ ଚକ୍ରବର୍ତ୍ତୀ/ରାହୁଲ ଚହର/ଓ୍ଵାଶିଂଟନ ସୁନ୍ଦର/ଆର ଅଶ୍ଵିନ।

କାହା ସହିତ ରହିଛି ଦଳର ମୁକାବିଲା

ଭାରତୀୟ ଦଳ ଅକ୍ଟୋବର ୨୪ରେ ନିଜର ଟି-୨୦ ବିଶ୍ଵ କପ୍ ଅଭିଯାନ ଆରମ୍ଭ କରିବ। ଭାରତ ପ୍ରଥମ ମ୍ୟାଚ୍‌ରେ ନିଜର ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଭେଟିବ। ଏହା ପରେ ଅକ୍ଟୋବର ୩୧ରେ ନ୍ୟୁଜିଲାଣ୍ଡ, ନଭେମ୍ଵର ୩ରେ ଆଫଗାନିସ୍ତାନ ଓ ନଭେମ୍ବର ୫ରେ ସୁପର ୧୨ରେ ଯୋଗ୍ୟତାଅର୍ଜନ କରିଥିବା ଦଳ ସହ ଖେଳିବ।

Spread the love