ବିଶ୍ବକପ୍‌ ମୁକାବିଲା: ୫ ଥର ମୁହାଁମୁହିଁ ‌ହୋଇଛନ୍ତି ଭାରତ-ଦକ୍ଷିଣ ଆଫ୍ରିକା

କୋଲ୍‌କାତା: ସେମିଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରି ସାରିଥିବା ଭାରତ ରବିବାର ନିଜର ପରବର୍ତ୍ତୀ ମ୍ୟାଚ୍‌ ଖେଳିବ ଅନ୍ୟତମ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ। କୋଲ୍‌କାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯିବ ଏହି ମୁକାବିଲା। ଦିନିକିଆ ବିଶ୍ବକପ୍‌ର ଇତିହାସ ଦେଖିଲେ ମାତ୍ର ୫ ଥର ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଦେଶ। ଭାରତ ଏଥିରେ ୨-୩ରେ ପଛୁଆ ରହିଛି। ଭାରତ-ଦକ୍ଷିଣ ଆଫ୍ରିକା ବିଶ୍ବକପ୍‌ ମୁକାବିଲା ମଧ୍ୟରୁ ସର୍ବୋଚ୍ଚ ଦଳଗତ ସ୍କୋର୍‌ ଭାରତ (୩୦୭) ନାମରେ ରହିଛି। ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଦଳଗତ ସ୍କୋର୍‌ ହେଉଛି ୩୦୦। ସର୍ବନିମ୍ନ ମୋଟ ଭାରତର ୧୮୦ ଏବଂ ଦକ୍ଷିଣ ଆଫ୍ରିକାର ୧୭୭ ରହିଛି। ବର୍ଣ୍ଣବୈଷମ୍ୟ ବାସନ୍ଦାଦେଶରୁ ବାହାରିବା ପରେ ଦୁଇ ଦେଶ ମଧ୍ୟରେ ୩ ଦଶନ୍ଧି ଭିତରେ ମୋଟ ୯୦ ଥର ଦିନିକିଆ ଅନ୍ତର୍ଜାତୀୟ ଖେଳାଯାଇଛି। ଦକ୍ଷିଣ ଆଫ୍ରିକା ମଧ୍ୟ ୫୦-୩୭ରେ ଆଗୁଆ ରହିଛି। ଏହା ମଧ୍ୟରେ ଭାରତ ସ୍ବଦେଶରେ ୧୭-୨୫, ବିଦେଶରେ ୧୦-୧୪ ଏବଂ ନିରପେକ୍ଷ ସ୍ଥାନରେ ୧୦-୧୧ରେ ପଛୁଆ ରହିଛି। ଏବେ ବିଶ୍ବକପ୍‌ ମଇଦାନରେ ଷଷ୍ଠ ମୁକାବିଲା ପୂର୍ବରୁ ଆସନ୍ତୁ ନଜର ପକାଇଦେବା ବିଗତ ୫ ମୁକାବିଲା ଉପରେ।

୧୯୯୨ ବେନ୍‌ସନ୍ ହେଜେସ୍ ବିଶ୍ବକପ୍‌ରେ ହୋଇଥିବା ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍‌ରେ ବିଜୟୀ ହୋଇଥିଲା। ଆଡିଲେଡ୍‌ ଓଭାଲରେ ଖେଳାଯାଇଥିବା ୩୦ ଓଭରିଆ ଏହି ମ୍ୟାଚ୍‌ରେ ଭାରତ ୧୮୦/୬‌ରେ ସୀମିତ ରହିଥିଲା। ମହମ୍ମଦ ଆଝାରୁଦ୍ଦିନ୍ (୭୯) ଏବଂ କପିଳ ଦେବ (୪୨) ଭଲ ବ୍ୟାଟିଂ କରିଥିଲେ। ଜବାବରେ କିନ୍ତୁ ଆଣ୍ଡ୍ରିଉ ହଡସନ୍ (୫୩) ଓ ପିଟର୍ କର୍ଷ୍ଟେନ୍‌ (୮୪)ଙ୍କ ସହାୟତାରେ ୨୯.୧ ଓଭରରେ ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ହରାଇ ୧୮୧ ରନ୍‌ ସଂଗ୍ରହ କରି ନେଇଥିଲା। ୭ ବର୍ଷ ପରେ ହୋଇଥିବା ଦ୍ବିତୀୟ ମୁକାବିଲାକୁ ମଧ୍ୟ ଦକ୍ଷିଣ ଆଫ୍ରିକା ବାଜି ମାରି ନେଇଥିଲା। ଇଂଲଣ୍ଡ ହୋଭ୍‌ର କାଉଣ୍ଟି ଗ୍ରାଉଣ୍ଡ୍‌ରେ ସୌରଭ ଗାଙ୍ଗୁଲି (୯୭) ଏବଂ ରାହୁଲ ଦ୍ରାବିଡ଼(୫୪)ଙ୍କ ବଳରେ ଭାରତ ୫୦ ଓଭରରେ ୫ ୱିକେଟ୍‌ ବିନିମୟରେ ୨୫୩ ରନ୍‌ ସଂଗ୍ରହ କରିଥିଲା। ଲାନ୍ସ କ୍ଲୁଜନର୍ ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଜ୍ୟାକ୍ କାଲିସ୍ (୯୬) ଏବଂ ଜଣ୍ଟି ରୋଡ୍ସ (୩୯*)ଙ୍କ ପାଳି ବଳରେ ଦକ୍ଷିଣ ଆଫ୍ରିକା ୪୭.୨ ଓଭରରେ ୬ ୱିକେଟ୍ ହରାଇ ୨୫୪ ରନ୍ ସଂଗ୍ରହ କରି ନେଇଥିଲା। ୨୦୧୧ରେ ଭାରତ ବିଜେତା‌ ହୋଇଥିଲେ ମଧ୍ୟ ଗ୍ରୁପ୍‌ ପର୍ଯ୍ୟାୟରେ ଏକମାତ୍ର ଦଳ ଦକ୍ଷିଣ ଆଫ୍ରିକାଠାରୁ ହାରିଯାଇଥିଲା। ଏଥି ସହିତ ଭାରତ ବିପକ୍ଷରେ ବିଶ୍ବକପ୍‌ ବିଜୟ ଧାରାକୁ ଜାରି ରଖି ହ୍ୟାଟ୍ରିକ୍ ଅର୍ଜନ କରିଥିଲା। ନାଗପୁରର ଭିସିଏ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସଚିନ ତେନ୍ଦୁଲକରଙ୍କ ଶତକ (୧୧୧) ଏବଂ ବୀରେନ୍ଦ୍ର ସେହବାଗ (୭୩) ଓ ଗୌତମ ଗମ୍ଭୀର (୬୯)ଙ୍କ ସହାୟତାରେ ଭାରତ ୨୯୬ ରନ୍‌ କରିଥିଲା। ଡେଲ୍ ଷ୍ଟେନ୍‌ଙ୍କ ୫ ୱିକେଟ୍‌ ଦଖଲ କାରଣରୁ ଭାରତ ୮ ବଲ୍‌ ପୂର୍ବରୁ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା। ଜବାବରେ ଜ୍ୟାକ୍ କାଲିସ୍ (୬୯), ହାସିମ୍ ଆମଲା (୬୧) ଏବଂ ଏବି ଡି’ଭିଲିୟର୍ସ (୫୨)ଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୨ ବଲ୍ ପୂର୍ବରୁ ୭ ୱିକେଟ୍ ହରାଇ ୩୦୦ ରନ୍ ସଂଗ୍ରହ କରି ନେଇଥିଲା। ହରଭଜନ ସିଂହ ୩ ଏବଂ ମୁନାଫ ପଟେଲ୍‌ ୨ ୱିକେଟ୍ ଅକ୍ତିଆର କରିଥିଲେ ବି ଦକ୍ଷିଣ ଆଫ୍ରିକାକୁ ରୋକିବାକୁ ଏହା ଯଥେଷ୍ଟ ହୋଇ ନଥିଲା।

ବିଶ୍ବକପ୍‌ ମଇଦାନରେ ହ୍ୟାଟ୍ରିକ୍ ପରାଜୟ ବରଣ ପରେ କିନ୍ତୁ ପରବର୍ତ୍ତୀ ୨ ସଂସ୍କରଣରେ ଭାରତ ବାଜିମାରି ନେଇଛି। ୨୦୧୫ରେ ମେଲବର୍ଣ୍ଣରେ ଭାରତ ୧୩୦ ରନ୍‌ରେ ଜିତିଥିଲା। ଶିଖର ଧାୱନ (୧୩୭), ଅଜିଙ୍କ୍ୟ ରାହାଣେ (୭୯), ବିରାଟ କୋହଲି (୪୬)ଙ୍କ ପାଳି ସହାୟତାରେ ଭାରତ ୭ ୱିକେଟ୍ ହରାଇ ୩୦୭ ରନ୍‌ ସଂଗ୍ରହ କରିଥିଲା। ପ୍ରତ୍ୟୁତ୍ତରରେ ଦକ୍ଷିଣ ଆଫ୍ରିକା ୪୦.୨ ଓଭରରେ ମାତ୍ର ୧୭୭ ରନ୍‌ କରି ସମସ୍ତ ୱିକେଟ୍ ହରାଇଥିଲା। ଆର୍‌ ଅଶ୍ବିନ୍ ୩, ମହମ୍ମଦ ସାମି-ମୋହିତ ଶର୍ମା ୨-୨ ଏବଂ ରବୀନ୍ଦ୍ର ଜାଡ଼େଜା ୧ ୱିକେଟ୍‌ ନେଇ ଭାରତକୁ ବଡ଼ ବିଜୟ ଦେଇଥିଲେ। ୨୦୧୯ ସଂସ୍କରଣରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ସାଉଥାମ୍ପଟନ୍‌ରେ ୬ ୱିକେଟ୍‌ରେ ବିଜୟୀ ହୋଇଥିଲା। ୟୁଝବେନ୍ଦ୍ର ଚହଲ (୪/୫୧)ଙ୍କ ସ୍ପିନ୍ ଯାଦୁ ପୂର୍ବରୁ ଭୁବନେଶ୍ବର କୁମାର ଏବଂ ଯଶ୍ରପୀତ୍ ବୁମରା ୨-୨ ୱିକେଟ୍ ଅକ୍ତିଆର କରିଥିଲେ। କୁଲଦୀପ ଯାଦବ ମଧ୍ୟ ଗୋଟିଏ ୱିକେଟ୍‌ ନେଇଥିଲେ। ଦକ୍ଷିଣ ଆଫ୍ରିକା ୨୨୭/୯ରେ ସୀମିତ ରହିବା ପରେ ରୋହିତ ଶର୍ମା (୧୨୨)ଙ୍କ ଶତକ ବଳରେ ଭାରତ ୧୫ ବଲ୍‌ ପୂର୍ବରୁ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ରୋହିତ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Spread the love