ଡିସେମ୍ବର ମାସରେ କରୋନା ସଂକ୍ରମଣରେ ବିଶ୍ୱରେ ୧୦ ହଜାର ଲୋକଙ୍କର ମୃତ୍ୟୁ
କରୋନା ସଂକ୍ରମଣ ସାରା ବିଶ୍ୱରେ ପୁଣି ବ୍ୟାପିବାରେ ଲାଗିଛି । ବିଶେଷ ଭାବେ କରୋନାର ନୂଆ ଭାରିଆଣ୍ଟ କାରଣରୁ ଅନେକ ଦେଶର ସ୍ଥିତି ଏବେ ବେହାଲ ହୋଇପଡିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ମୁତାବକ ସିଂଗାପୁର ଓ ଆମେରିକାରେ ସଂକ୍ରମଣର ଆଉ ଏକ ଲହରୀ ଆସିପାରେ । ଭାରତରେ ମଧ୍ୟ କରୋନା ସଂକ୍ରମଣ ୪୦-୫୦ ଦିନ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସଂଯୁକ୍ତ ରାଷ୍ଟ୍ର ସ୍ୱାସ୍ଥ୍ୟ ଏଜେନ୍ସିର ମୁଖ୍ୟ କହିଛନ୍ତି କି, ଡିସେମ୍ବର ମାସରେ ବଡଦିନ ଓ ନୂଆବର୍ଷ ପାଳନ କରିବାକୁ ବିଭିନ୍ନ ସ୍ଥାନରେ ଲୋକମାନେ ଏକାଠି ହେବା କାରଣରୁ ବିଶ୍ୱରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ କହିଛନ୍ତି କି ଡିସେମ୍ବର ମାସରେ କରୋନା ସଂକ୍ରମଣରେ ବିଶ୍ୱରେ ୧୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ପାଖାପାଖି ୫୦ ଟି ଦେଶର ତଥ୍ୟର ଏହି ସୂଚନା ମିଳିଛି ।
ଏହାସହ କରୋନା ସଂକ୍ରମଣରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୪୨ ପ୍ରତିଶତ ବୃଦ୍ଧି ପାଇଛି । ୟୁରୋପୀୟ ଦେଶଗୁଡିକରେ କରୋନା ସଂକ୍ରମଣ ପାଇଁ ପରିସ୍ଥିତି ବିଗିଡିବାରେ ଲାଗିଛି । କରୋନା ସଂକ୍ରମଣ ମାମଲାରେ ଭାରତରେ ମଧ୍ୟ ବୃଦ୍ଧି ପାଇଛି । ଗତ ୧ ସପ୍ତାହର ପରିସଂଖ୍ୟାନକୁ ଦେଖିଲେ ଦୈନିକ ୫୦୦ ରୁ ୬୦୦ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କରୋନା ସଂକ୍ରମଣରେ ଦେଶରେ ଦୈନିକ ୫-୬ ଜଣ ଲୋକଙ୍କର ମୃତ୍ୟୁ ହେଉଛି ।