ଆଜି ବିଶ୍ୱ କିଡ୍ନୀ ଦିବସ
2006ରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମାର୍ଚ୍ଚ ମାସର ଦ୍ବିତୀୟ ଗୁରୁବାରକୁ ‘ବିଶ୍ୱ କିଡ୍ନି ଦିବସ’ ଭାବେ ପାଳନ କରୁଛନ୍ତି। 14 ବର୍ଷ ହେଲା ପାଳନ ହେଉଛି ଏହି ଦିବସ। ତେବେ ଓଡିଶାରେ ଦିନକୁ ଦିନ ବଢୁଛି କିଡ୍ନି ରୋଗୀଙ୍କ ସଂଖ୍ୟା। ବିଶ୍ୱରେ ପ୍ରାୟ 9 କୋଟି ଲୋକ ଓ ଭାରତରେ1 କୋଟି ଲୋକ କିଡ୍ନି ଜନିତ ରୋଗରେ ଆକ୍ରାନ୍ତ। ହେଲେ ଓଡିଶାରେ ମଧ୍ୟ ଏହି ରୋଗର ସ୍ଥିତି ଉଦ୍ବେଗଜନକ। ଓଡ଼ିଶାରେ ପ୍ରାୟ 2ଲକ୍ଷ 10ହଜାର କିଡ୍ନି ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି। କଟକର ବଡ଼ମ୍ବା, ନରସିଂହପୁର, ଯାଜପୁରର ସୁକିନ୍ଦା, ନୟାଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବଉଦ, ଫୁଲବାଣୀ ଓ ମାଲକାନାଗିରିର ବିଭିନ୍ନ ଅଞ୍ଚଳରେ ଏକ ବିଚିତ୍ର ପ୍ରକାରର କିଡ୍ନି ରୋଗ ଦେଖାଦେଉଛି। ଏହାର କାରଣ ମଧ୍ୟ ଜଣାପଡୁନାହିଁ।
ନେଫ୍ରୋଲୋଜି ବିଭାଗ ବରିଷ୍ଠ ପ୍ରଫେସର ଡାକ୍ତର ଚିତ୍ତରଂଜନ କରଙ୍କ ତତ୍ତ୍ବାବଧାନରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଭାରତୀୟ ଭେଷଜ ଗବେଷଣା ପରିଷଦ ସହାୟତାରେ ଏହାକୁ ନେଇ ଗବେଷଣା କରାଯାଉଛି। ଅନ୍ୟାନ୍ୟ ସଂସ୍ଥା, କେନ୍ଦ୍ର ସରକାର ଓ ବିଶେଷ ଭାବେ ରାଜ୍ୟ ସରକାର ଏ ସଂପର୍କରେ ଏଭଳି ଗବେଷଣାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି। ନିକଟ ଅତୀତରେ ରାଜ୍ୟ ସରକାରଙ୍କର ଆନୁକୂଲ୍ୟରେ ଦେଶର ସର୍ବପ୍ରଥମ ଗ୍ରାମୀଣ ଡାଇଲିସିସ୍ ସେବା କେନ୍ଦ୍ର ନରସିଂହପୁରଠାରେ ସ୍ଥାପନ କରାଯାଇଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦେଖାଯାଉଥିବା ଏହି ବିଚିତ୍ର ପ୍ରକାରର କିଡ୍ନି ରୋଗକୁ ନେଇ ସରକାରଙ୍କ ପକ୍ଷରୁ ପ୍ରଫେସର ଡାକ୍ତର କର ମଧ୍ୟ ଗବେଷଣା ଚଳାଇଛନ୍ତି। ଶ୍ରୀଲଙ୍କା, ଭିଏତ୍ନାମ ଓ ଦକ୍ଷିଣ ଆମେରିକାର ରାଷ୍ଟ୍ରରେ ଏହି ରୋଗ ସେ ଦେଶର ସରକାରମାନଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ରୋଗକୁ ପ୍ରତିହତ କରିବା ପାଇଁ ଯୋଜନା ସହିତ ବ୍ୟାପକ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ଡାକ୍ତର କର ମତ ଦେଇଛନ୍ତି।