ବିଶ୍ବକପ୍ ମୁକାବିଲା: ଦେଖିବାକୁ ମିଳିବ କଡ଼ା ଟକ୍କର, ଚାପମୁକ୍ତ ହୋଇ ଖେଳିଲେ ଅପରାଜେୟ ରହିବ ଭାରତ

ଆଜି ବିଶ୍ବକପ୍‌ ଫାଇନାଲ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ‌ହେବେ। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଅପରାହ୍ଣ ୨ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ଅପରାଜେୟ ଥିବା ଭାରତ ସବୁଠୁ ଅଧିକ ପସନ୍ଦର ଦଳ ହୋଇଥିଲା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଦୁଇ ମ୍ୟାଚ୍‌ରେ ପରାସ୍ତ ହେବା ପରେ ଆଉ ପଛକୁ ଚାହି ନାହିଁ। କିନ୍ତୁ ଭାରତ ଏବେ ଯେଉଁ ଲୟ ଦେଇ ଗତି କରୁଛି, ଏହି ଦଳକୁ ରୋକିବା ଅଷ୍ଟ୍ରେଲିଆ ପାଇଁ ସହଜ ହେବ ନାହିଁ। ଏବେ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା ନ କରିବାକୁ ଭାରତୀୟ ଦଳ ପୂରା ଶକ୍ତି ଲଗାଇ ଦେଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆକୁ ‌ଦୁର୍ବଳ ଭାବିବା ମଧ୍ୟ ବୋକାମି ହୋଇପାରେ। ଆସନ୍ତୁ ଜାଣିବା ଏ ସଂପର୍କରେ କ’ଣ କହୁଛନ୍ତି ଓଡ଼ିଶାର ଆଗଧାଡ଼ିର କ୍ରିକେଟ ବ୍ୟକ୍ତିତ୍ବ।
ଉଭୟ ଦଳଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ
ଭାରତ ଏଥର ବହୁତ ଭଲ ଖେଳ ପ୍ରଦର୍ଶନ କରିଛି। ସେମିରେ ବି ଭାରତ ଭଲ ଖେଳିଥିଲା। ୨ଟି ମ୍ୟାଚ୍‌ ହାରିବା ପରେ ଅଷ୍ଟ୍ରେଲିଆ ଦଳ ବି ଭଲ ଖେଳୁଛି। ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରି ଆସିଛି। ଟ୍ରଫି ପାଇଁ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ଶ୍ରୀ ଜଗନ୍ନାଥ, ମା’ ସମଲେଶ୍ବରୀଙ୍କ ପାଖରେ ପ୍ରାର୍ଥନା କରୁଛି, ଭାରତୀୟ ଦଳକୁ ଭାଗ୍ୟ ସାଥ୍‌ ଦେବ ଏବଂ ଦଳ ବିଶ୍ବକପ୍‌ ଜିତିବ।

ନଟରାଜ ବେହେରା, ଓଡ଼ିଶା କନିଷ୍ଠ ଦଳର ମୁଖ୍ୟ ପ୍ରଶିକ୍ଷକ

ସାମିଙ୍କ ଘାତକ ବୋଲିଂ ପୁଣି ଥରେ ଦେଖିବାକୁ ମିଳିବ
ଫାଇନାଲ୍‌ ମ୍ୟାଚ୍‌ର ଚାପ ଉଭୟ ଦଳର ଖେଳାଳିଙ୍କ ଉପରେ ରହିବ। ଭାରତର ଅପରାଜେୟ ପ୍ରଦର୍ଶନ ଅଷ୍ଟ୍ରେଲିଆ ଉପରେ ଅଧିକ ଚାପ ପକାଇବ। ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଦଳ ଅଲଗାପ୍ରକାର ଖେଳ ଦେଖାଏ, ସେ କଥା ଭାରତୀୟ ଦଳ ଭଲଭାବେ ଜାଣିଛି। ଭାରତର ସବୁ ବୋଲର୍‌ ଭଲ ଫର୍ମରେ ଅଛନ୍ତି। ସାମିଙ୍କ ଘାତକ ବୋଲିଂ ଫାଇନାଲ୍‌ରେ ବି ଦେଖିବାକୁ ମିଳିବ ବୋଲି ଆଶା ଅଛି। ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

ବସନ୍ତ ମହାନ୍ତି, ଓଡ଼ିଶା କନିଷ୍ଠ ଦଳର ବୋଲିଂ ପ୍ରଶିକ୍ଷକ

ଚାପମୁକ୍ତ ହୋଇ ଖେଳିଲେ ଭାରତ ଅପରାଜେୟ ରହିବ
ଭାରତ ଏବେ ଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛି। ରବିବାର ଫାଇନାଲରେ ମଧ୍ୟ ଭଲ ପ୍ରଦର୍ଶନ କରିବ। ଏହା ପୂର୍ବରୁ ଭାରତ ଲଗାତାର ୧୦ଟି ମ୍ୟାଚରେ ବିଜୟୀ ହୋଇ ସାରିଲାଣି। ଏହା କେବଳ ଚାପମୁକ୍ତ ଖେଳ ପାଇଁ ସମ୍ଭବ ହୋଇପାରିଛି। ଫାଇନାଲ ମ୍ୟାଚ୍‌କୁ ଚାପରେ ନ ଖେଳି ଅନ୍ୟ ଲିଗ୍ ବା ସାଧାରଣ ମ୍ୟାଚ୍ ଭଳି ଚାପମୁକ୍ତ ହୋଇ ଖେଳିଲେ ଭାରତ ପୁଣି ଥରେ ବିଜୟ ଧାରା ଅବ୍ୟାହତ ରଖିବ ଏଥିରେ ସନ୍ଦେହ ନାହିଁ। ଦ୍ବିତୀୟରେ ଭାରତ ଟସ୍ ଜିତିଲେ ପ୍ରଥମେ ବ୍ୟାଂଟି ନେବା ଉଚିତ, କାରଣ ବଡ଼ ସ୍କୋର କଲେ ଅଷ୍ଟ୍ରେଲିଆ ଏହାକୁ ଅତିକ୍ରମ କରିବା କଷ୍ଟକର ହେବ। ଭାରତ ଏଥର ବିଶ୍ବକପ୍ ଜିତିବ ବୋଲି ଆମେ ଆଶାବାଦୀ।

ରଶ୍ମିରଂଜନ ପରିଡ଼ା, ପୂର୍ବତନ ରଣଜୀ କ୍ରିକେଟର

ଭାରତ ପାଇଁ ସ୍ଥିତି ଅନୁକୂଳ ରହିଛିl ଭାରତର ସମସ୍ତ ବ୍ୟାଟର୍‌ ଓ ବୋଲର ଏବେ ଭଲ ଫର୍ମରେ ଅଛନ୍ତି। ଭାରତ ପ୍ରାୟ ସମସ୍ତ ଦଳକୁ ଏକତରଫା ହରାଇ ସାରିଛି। ଅଷ୍ଟ୍ରେଲିଆକୁ ମଧ୍ୟ ହରାଇଛି। ସବୁ ଦୃଷ୍ଟିରୁ ଭାରତ ପାଇଁ ସ୍ଥିତି ଅନୁକୂଳ ରହିଛି। ଭାରତ ଟସ୍ ଜିତି ବ୍ୟାଟିଂ ନେବା ଉଚିତ। ଭାରତ ୩୫୦ ପାଖାପାଖି ସ୍କୋର୍ କଲେ ଅଷ୍ଟ୍ରେଲିଆ ଏହାର ପିଛା କରିବା ସହଜ ହେବ ନାହିଁ। ଯଦି ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ ନିଏ ତେବେ ଆମ ବୋଲରମାନେ ତାଙ୍କୁ ୨୫୦ ଭିତରେ ଅଟକାଇଲେ ଭାରତ ପାଇଁ ଏହା ଭଲ ହେବ।

କୁଳମଣି ପରିଡ଼ା, ପୂର୍ବତନ ରଣଜୀ କ୍ରିକେଟର୍‌

Spread the love