‘ୟସ୍‌’ : ଏହି ବାତ୍ୟାର ନାଁ କିଏ ଦେଲା ଓ ଏହାର ଅର୍ଥ କଣ, ଜାଣନ୍ତୁ

ବାରମ୍ବାର ବାତ୍ୟା ଆସିବା ଦ୍ୱାରା ସାରା ବିଶ୍ୱରେ ଅନେକ ବିପର୍ଯ୍ୟୟ ଓ କ୍ଷୟକ୍ଷତି ଘଟୁଛି । ତେବେ ଲୋକେ ମଧ୍ୟ ଏହା ସହ ବଞ୍ଚିବା ଶିଖି ଗଲେଣି । ସମୟ ଥିଲା ବାତ୍ୟାର ପୂର୍ବାନୁମାନ କରାଯାଇ ପାରୁନଥିଲା । ହେଲେ ଏବେ ପାଣିପାଗ ବିଜ୍ଞାନର ଅଗ୍ରଗତି ସହ ବାତ୍ୟା ଆସିବାର ଅନେକ ପୂର୍ବରୁ ଏହାର ଆକଳନ କରାଯାଇ ପାରୁଛି । ଏହାର ପ୍ରଭାବ କେତେ ରହିବ ଏବଂ କେଉଁ ଦିଗ ଦେଇ ଯିବ ତାହା ମଧ୍ୟ କୁହାଯାଇ ପାରୁଛି । ଏସବୁ ଭିତରେ ବେଶ୍‌ କିଛି ବର୍ଷ ହେଲା ବାତ୍ୟାଗୁଡ଼ିକର ନାମ କରଣ ମଧ୍ୟ କରାଯାଇ ଆସୁଛି । ତେଣୁ ଲୋକେ ଆଉ ବାତ୍ୟା ନୁହେଁ ଏହାର ନାଁ ଧରି ଆଲୋଚନା କରୁଛନ୍ତି । ଏବେ ଓଡ଼ିଶାକୁ ଆସୁଛି ବାତ୍ୟା ‘ୟସ୍‌’ । ତାକୁ ନେଇ ରାଜ୍ୟ ସରକାର ପୂରା ଦମ୍‌ରେ ପ୍ରସ୍ତୁତିରେ ଲାଗିଛନ୍ତି । ଆସନ୍ତୁ ଜାଣିବା କାହିଁକି ଏହି ବାତ୍ୟାର ନାମକରଣ ‘ୟସ୍‌’ କରାଯାଇଛି ।ଏକଥା ସମସ୍ତଙ୍କୁ ଜଣା ଯେ କ୍ରମ ଅନୁସାରେ ବିଭିନ୍ନ ଦେଶ ଦ୍ୱାରା ପୂର୍ବରୁ ବାତ୍ୟାଗୁଡ଼ିକର ନାମକରଣ କରାଯାଇ ସାରିଛି । ସେପଟେ ସମୁଦ୍ରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ବାତ୍ୟାର ରୂପ ନେଲେ ଆପେ ଆପେ ତାର ନାମକରଣ ହୋଇଯାଏ । ସେହିଭଳି ‘ୟସ୍‌’ର ନାମକରଣ କରିଛି ଓମାନ୍‌ । ଏହା ହେଉଛି ଏକ ଗଛର ନାଁ । ଓମାନ୍‌ରେ ଦେଖା ଯାଉଥିବା ଏହି ଗଛର ଫୁଲ ଭାରି ସୁଗନ୍ଧିତ ।

ମାତ୍ର ସପ୍ତାହକ ତଳେ ଆସିଥିବା ବାତ୍ୟା ‘ତୌ-ତେ’ର ନାମକରଣ କରିଥିଲା ମିୟାଁମାର । ଏହାର ଅର୍ଥ ଏକପ୍ରକାର ଝିଟିପିଟି । ସୂଚନା ଥାଉ କି ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ଝଡ଼ ସବୁର ନାମକରଣ ପାଇଁ ୮ଟି ଏସୀୟ ଦେଶକୁ ଦାୟିତ୍ୱ ଦିଆଯାଇଛି । ଏମାନେ ହେଉଛନ୍ତି ଭାରତ, ବାଂଲାଦେଶ, ମାଲଡିଭସ୍‌, ପାକିସ୍ତାନ, ମିୟାଁମାର, ଓମାନ୍‌, ଶ୍ରୀଲଙ୍କା ଓ ଥଇଲାଣ୍ଡ । ଏମାନେ ପୂର୍ବରୁ ନାଁ ଗୁଡ଼ିକ ପଠାଇଥାନ୍ତି ।

ଅବଶ୍ୟ ନାମକରଣ ନେଇ କିଛି ନିୟମ କାନୁନ ରହିଛି । ଯେମିତି କି ନାଁଗୁଡ଼ିକ ସମ୍ପୂର୍ଣ୍ଣ ନିରପେକ୍ଷ ହେବ । କୌଣସି ଧାର୍ମିକ, ରାଜନୈତିକ, ସାଂସ୍କୃତିକ ଏବଂ ଲିଙ୍ଗଗତ ବର୍ଗ ସହ ସଂପୃକ୍ତ ନଥିବ । ନାଁଟି ଭୟଙ୍କର ଶୁଭୁନଥିବ, କହିବାରେ ସହଜ ହେଉଥିବ, ୮ଟି ଅକ୍ଷର ଭିତରେ ସୀମିତ ରହୁଥିବ ।

Spread the love