ୟେସ୍ ବ୍ୟାଙ୍କରୁ କାଲି ଫେରିବ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା

ଭୁବନେଶ୍ୱର,୧୮/୦୩: ୟେସ୍ ବ୍ୟାଙ୍କରେଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଆସନ୍ତାକାଲି ଫେରିବ। ୟେସ୍ ବ୍ୟାଙ୍କରୁ ଉଠାଇ ଏହି ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରେ ରଖାଯିବ। ଇ-ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ଫେରିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା। ଆଜି ସଂଧ୍ୟା ୬ଟାରେ ପୁନଃ କାର୍ଯ୍ୟକ୍ଷମ ହେଉଛି ୟେସ୍ ବ୍ୟାଙ୍କ। ଗତବର୍ଷ ମାର୍ଚ୍ଚ ୧୯ ତାରିଖରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଏ ସଂକ୍ରାନ୍ତରେ ଲିଖିତ ଉତ୍ତର ଦେଇଥିଲେ। ତାଙ୍କ ବିବୃତି ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମୋଟ ପାଣ୍ଠିର ପରିମାଣ ୬୨୬ କୋଟି ୪୪ ଲକ୍ଷ ୭୮ ହଜାର ୪୪୪ ଟଙ୍କା। ଗତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କର ୫୯୨ କୋଟି ଟଙ୍କା ଜମା ଥିଲା।

ସ୍ଥାୟୀ ଜମାରେ ୫୪୫ କୋଟି ଓ ଫ୍ଲେକ୍ସି ଜମାରେ ୪୭ କୋଟି ଟଙ୍କା ରହିଥିଲା। ଏହା ମଧ୍ୟରେ ୪୭ କୋଟିର ଫ୍ଲେକ୍ସି ଜମା ୟେସ୍ ବ୍ୟାଙ୍କରୁ ପ୍ରତ୍ୟାହାର ହୋଇଛି। ବାକି ୫୪୫ କୋଟି ଟଙ୍କା ଆସନ୍ତା ମାର୍ଚ୍ଚ ୧୯ ଓ ୩୦ ତାରିଖରେ ଉଠାଯାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯିବ ବୋଲି ମନ୍ତ୍ରୀ ଗୃହରେ ଜଣାଇଥିଲେ।

Spread the love