ଯୋଗ ପାଇଁ କରିବାକୁ ପଡ଼ିଲାନି ମା’ଙ୍କ ଓପନ ହାର୍ଟ ସର୍ଜରୀ : କଙ୍ଗନା

ମୁମ୍ବାଇ ୨୦/୦୬ : ଆନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ କଙ୍ଗନା ରଣାୱତ ତାଙ୍କ ପିତାମାତାଙ୍କର ଯୋଗ କରୁଥିବା ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ସହିତ ସେ ଯୋଗର କାହାଣୀ ସେୟାର କରିଛନ୍ତି। କଙ୍ଗନା କହିଛନ୍ତି ଯେ ତାଙ୍କ ମା’ଙ୍କର ଓପନ ହାର୍ଟ ସର୍ଜରୀ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ କିନ୍ତୁ ସେ ଯୋଗ ସାହାଯ୍ୟରେ ମା’ଙ୍କ ଚିକିତ୍ସା କରାଇବାକୁ ନିଷ୍ପତ୍ତି ନେଇଥିଲେ।

କଙ୍ଗନା ଏହି ପୋଷ୍ଟରେ ଲେଖିଛନ୍ତି – ଆସନ୍ତାକାଲି ଆନ୍ତର୍ଜାତୀୟ ଯୋଗ ଦିବସ। ମୁଁ ମୋର ଯୋଗ କାହାଣୀ ସେୟାର କରୁଛି। ସମସ୍ତେ ଜାଣିଛନ୍ତି ମୁଁ କେବେ ଏବଂ କିପରି ଯୋଗ ଆରମ୍ଭ କରିଥିଲି କିନ୍ତୁ ମୁଁ କିପରି ମୋର ପରିବାରକୁ ଯୋଗ ଶିକ୍ଷା ଦେଲି ତାହା କେହି ଜାଣିନାହାନ୍ତି।

କଙ୍ଗନା କହିଛନ୍ତି,”କେହି କେହି ବିରୋଧ କରିଥିଲେ ତ କିଏ ସମୟ ମାଗିଥିଲେ। କିଛି ବର୍ଷ ପୂର୍ବରୁ ମା’ଙ୍କୁ ମଧୁମେହ, ଥାଇରଏଡ ଓ ହାଇ ଲେଭଲ କୋଲେଷ୍ଟ୍ରୋଲ ବାହାରିଥିଲା। ଡାକ୍ତର ମା’ଙ୍କ ଓପନ ହାର୍ଟ ସର୍ଜରୀ କରିବାକୁ କହିଥିଲେ କାରଣ ହାର୍ଟ ବ୍ଳକେଜ ହେବାର ସମ୍ଭାବନା ଥିଲା। ସେତେବେଳେ ମୁଁ ମା’ଙ୍କୁ କାନ୍ଦି କାନ୍ଦି ତାଙ୍କ ଜୀବନର ୨ ମାସ ଦେବାକୁ କହିଥିଲି। କାରଣ ମୁଁ ଚାହୁଁନଥିଲି ତାଙ୍କର ଓପନ ହାର୍ଟ ସର୍ଜରୀ ହେଉ। ମା’ ମୋ ଉପରେ ଭରସା କରିଥିଲେ ଓ ଶେଷରେ ମୁଁ ମୋ ପ୍ରଚେଷ୍ଟାରେ ସଫଳ ହୋଇଥିଲି। ଆଜି ମା’ଙ୍କୁ କୌଣସି ଔଷଧ ଖାଇବାକୁ ପଡୁନି। ତାଙ୍କୁ କୌଣସି ରୋଗ ନାହିଁ। ପରିବାରରେ ସେ ସମସ୍ତଙ୍କ ଠାରୁ ସୁସ୍ଥ ଏବଂ ଫିଟ। ଅଧିକ କାମ ପାଇଁ ବାପାଙ୍କର ଆଣ୍ଠୁ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ସେତେବେଳେ ମୋତେ ମଉକା ମିଳିଥିଲା ବାପାଙ୍କୁ ଯୋଗାଭ୍ୟାସ କରାଇବାକୁ। ବାପା ଏବେ ଜଗିଂଗ ମଧ୍ୟ କରୁଛନ୍ତି। ଆଜି ମୁଁ ଗର୍ବର ସହ କହିପାରିବି ଯେ ମୁଁ ମୋ ପରିବାରକୁ ଯେଉଁ ସବୁଠାରୁ ବଡ ଉପହାର ଦେଇଛି ତାହା ହେଲା ଯୋଗ।”

ଏକ ହସଖୁସିର ପରିବାର ମାଗଣାରେ ମିଳେନାହିଁ। ଏଥିପାଇଁ ପରିଶ୍ରମ କରିବାକୁ ପଡିଥାଏ। ସବୁଦିନ ସକାଳେ ବାପା-ମା’ଙ୍କୁ ଫୋନ କରି ମୁଁ ବାସ ଗୋଟିଏ ପ୍ରଶ୍ନ ପଚାରେ, ଯୋଗ କଲ ? ବାପା-ମା’ ସବୁଦିନ ଯୋଗ କରନ୍ତି ଏବଂ ଯୋଗ ପାଇଁ ସମସ୍ତେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି କଙ୍ଗନା।

Spread the love