ଗ୍ୟାଙ୍ଗଷ୍ଟରଠାରୁ ଜବତ ଜମିରେ ନିର୍ମାଣ ହୋଇଥିବା ଘର ଗରିବଙ୍କୁ ଦେଲେ ଯୋଗୀ

ଲଖନଉ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଠାରୁ ଜବତ ହୋଇଥିବା ଜମିରେ ନିର୍ମାଣ ହୋଇଥିବା ୭୬ଟି ଫ୍ଲାଟର ଚାବି ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି | ମିଳିଥିବା ସୂଚନା ମୁତାବକ ଯୋଗୀ ଶୁକ୍ରବାର ସକାଳେ ପ୍ରୟାଗରାଜରେ ପହଞ୍ଚିଥିଲେ। ପ୍ରଥମେ ସେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କଠାରୁ ଜବତ ହୋଇଥିବା ଜମିରେ ନିର୍ମିତ ଫ୍ଲାଟକୁ ଯାଞ୍ଚ କରିଥିଲେ। ଏହା ପରେ ଯୋଗୀ ଏହି ସବୁ ଫ୍ଲାଟ ଉଦଘାଟନ କରି ହିତାଧିକାରୀଙ୍କୁ ଚାବି ହସ୍ତାନ୍ତର କରିଥିଲେ। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋୖର୍ଯ୍ୟ ଏବଂ ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତା ନନ୍ଦୀ ମଧ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ବିଜେପି ବିଧାୟକ ସିଦ୍ଧାର୍ଥ ନାଥ ସିଂ, ଫୁଲପୁର ସାଂସଦ କେଶରୀ ଦେବୀ ପଟେଲ, ସାଂସଦ ରୀତା ବହୁଗୁନା ଯୋଶୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ଲୁକରଗଞ୍ଜ ଜମିକୁ ସେପ୍ଟେମ୍ବର ୨୦୨୦ରେ ରାଜ୍ୟ ସରକାର ନିଜ ଅଧୀନକୁ ଆଣିଥିଲେ | ଏହାପରେ ୨୦୨୧ ମସିହାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଜମିରେ ଗରିବଙ୍କ ପାଇଁ ଫ୍ଲାଟ ନିର୍ମାଣ କରିବାକୁ ଘୋଷଣା କରିଥିଲେ | ୨୬ ଡିସେମ୍ବର ୨୦୨୧ରେ, ଯୋଗୀ ଏହାର ଭୁମି ପୂଜନ କରିଥିଲେ | ଏହା ପରେ ପ୍ରୟାଗରାଜ ବିକାଶ ପ୍ରାଧିକରଣ ଏହି ଯୋଜନା କାର୍ଯ୍ୟକାରୀ କରିବା ଆରମ୍ଭ କଲା | ବର୍ତ୍ତମାନ ଦେଢ଼ ବର୍ଷ ମଧ୍ୟରେ ୭୬ଟି ଫ୍ଲାଟ ନିର୍ମାଣ କରାଯାଇଛି | ହିତାଧିକାରୀଙ୍କୁ ମାତ୍ର ସାଢ଼େ ତିନି ଲକ୍ଷ ଟଙ୍କାରେ ଦୁଇ କୋଠରୀ ବିଶିଷ୍ଟ ଫ୍ଲାଟ ଦିଆଯିବ। ଏହି ୭୬ଟି ଫ୍ଲାଟ ପାଇଁ ୬୦୦୦ରୁ ଅଧିକ ଲୋକ ଆବେଦନ କରିଥିଲେ। ତେବେ ଲଟେରୀ ମାଧ୍ୟମରେ ଚୟନ ହୋଇଥିବା ହିତାଧିକାରୀଙ୍କୁ ଫ୍ଲାଟ ବଣ୍ଟନ କରାଯାଇଛି |

Spread the love