ୟୁକ୍ରେନ ଡେଲିଗେସନ ଟିମ୍‌ ସଦସ୍ୟଙ୍କ ମୃତ୍ୟୁ, ଋଷିଆ ପାଇଁ କରୁଥିଲେ ଗୁଇନ୍ଦାଗିରି, ଗିରଫ ଉଦ୍ୟମ ବେଳେ ଫୁଟିଲା ଗୁଳି

କିଭ ୫।୩: ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଶନିବାର ୧୦ମ ଦିନରେ ପହଞ୍ଚିଛି। ଋଷ ସୈନ୍ୟ ସାରା ଦେଶରେ ବିନାଶ ଲିଳା ଚଳାଇଥିବା ବେଳେ ୟୁକ୍ରେନ ନିଜ ଡେଲିଗେସନ ଟିମ୍‌ର ଜନୈକ ସଦସ୍ୟଙ୍କୁ ହତ୍ୟା କରିଥିବାର ଏବେ ଖବର ଆସୁଛି। ୟୁକ୍ରେନକୁ ଇତିମଧ୍ୟରେ ଋଷିଆ ଦୁଇ ଥର ଟେବୁଲକୁ ଡାକିସାରିଲାଣି। ହେଲେ ଦୁଇ ଥର ଜାକ ୟୁକ୍ରେନକୁ ନିରାଶ ହେବାକୁ ପଡିଛି। ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ୟୁକ୍ରେନ ଡେଲିଗେସନ ଟିମରେ ଋଷିଆର ଗୋଇନ୍ଦା ଥିବାର ଶନିବାର ଜଣାପଡିବା ପରେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ କରିଥିଲେ। 

ୟୁକ୍ରେନ ମିଡିଆ ଏଜେନ୍ସୀ କିଭ ଇଣ୍ଡିପେଣ୍ଡଣ୍ଟ ଏ ନେଇ ସୂଚନା ସାର୍ବଜନିକ କରିଛନ୍ତି। ଉକ୍ରେନସ୍କା ପ୍ରାବଦା ଏଜେନ୍ସୀ ଆଧାରରେ ପ୍ରକାଶିତ ରିପୋର୍ଟରେ ଦେଶର ବାର୍ତ୍ତା ପ୍ରତିନିଧି ମଣ୍ଡଳର ସଦସ୍ୟ ଋଷିୟ ପ୍ରତିନିଧିଙ୍କ ସହ ସମ୍ପର୍କରେ ଥିଲେ। ୟୁକ୍ରେନର ଏହି ସଦସ୍ୟ ଜଣକ ହେଉଛନ୍ତି ଓସଚେଡ ବ୍ୟାଙ୍କର ପୂର୍ବତନ ଡେପୁଟି ଚେୟାରମ୍ୟାନ ଡେନିଶ କିରିଏଭ। ସିକ୍ୟୁରିଟି ସର୍ଭିସେଜ ଅଫ ୟୁକ୍ରେନ ଅଫିସର୍ସ (ଏସବିୟୁ) ତାଙ୍କୁ ଗିରଫ ଉଦ୍ୟମ କରିବା ବେଳେ ଗୁଳି ଚଳିବାରୁ ତାଙ୍କର ମୃତ୍ୟୁ ହୋଇଛି।  

ଡେନିସ୍ କିରିଏଭ ଋଷ ସହ ହୋଇଥିବା ଦୁଇଟି ଜାକ କଥାବାର୍ତ୍ତାରେ ୟୁକ୍ରେନ ପକ୍ଷରୁ ପ୍ରତିନିଧି ଥିଲେ ଓ ଆଲୋଚନାକୁ ଯିବା ପୂର୍ବରୁ ୟୁକ୍ରେନର ସୂଚନା ଋଷିଆକୁ ଲିକ୍ କରୁଥିଲେ। ଘଟଣା ଜଣାପଡିବାରୁ ଏସବିୟୁ ତାଙ୍କୁ ହେପାଜତକୁ ନେବାକୁ ଉଦ୍ୟମ କରିଥିବା ବେଳେ ଅଘଟଣ ଘଟିଥିଲା। ଶନିବାର ଦିନଟି ୟୁକ୍ରେନ ଲାଗି ଏତେଟା ଭଲ ନଥିଲା। ଏହି ଘଟଣାର କିଛି ସମୟ ପୂର୍ବରୁ ଋଷୀୟ ସେନା ଗୁଳିରେ ୟୁକ୍ରେନର ହିରୋ ମନେ କରାଯାଉଥିବା କ୍ୟାପ୍ଟେନ୍ ଚିବିନେଭ୍ ପ୍ରାଣ ହରାଇଥିବାର ଖବର ଆସିଛି।

୩୪ ବର୍ଷିୟ ଚେବିନେଭଙ୍କ ଶହିଦ ହେବା ଏବେ ୟୁକ୍ରେନ ଲାଗି ଶକ୍ତ ଝଟକା ମନେ କରାଯାଉଛି। ଋଷିଆ ଭଳି ଏକ ଶକ୍ତିଶାଳୀ ଦେଶ ଯଦି ଏପର୍ଯ୍ୟନ୍ତ ୟୁକ୍ରେନ ସେନାକୁ ଝୁକାଇ ପାରି ନାହିଁ ତାହା କେବଳ କ୍ୟାପ୍ଟେନ ଚେବିନୋଭଙ୍କ ରଣନୀତି ଯୋଗୁ ବୋଲି କୁହାଯାଇଛି। ତେବେ କ୍ୟାପ୍ଟେନ୍ ଚେବିନୋଭ ଗତ ୩ ତାରିଖ ଦିନ ସହିଦ ହୋଇଥିଲେ ହେଁ ଦେଶର ସୁରକ୍ଷା ଦୃଷ୍ଟିରୁ ସାର୍ବଜନିକ କରାଯାଇ ନଥିଲା। ହେଲେ ଶନିବାର ଏହା ପୁଷ୍ଟି କରିଦିଆଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ମାର୍ଚ୍ଚ ୩ ତାରିଖରେ କ୍ୟାପ୍ଟେନ ଚେବିନୋଭଙ୍କ ଜନ୍ମଦିନ ମଧ୍ୟ ଥିଲା।

Spread the love