ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ

ଯାଜପୁର/ଭଣ୍ଡାରିପୋଖରୀ: ଆକସ୍ମିକ ବଜ୍ରପାତ ଲୋକଙ୍କୁ ଡରାଉଛି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଦୁଇ ଜଣ ଯୁବକଙ୍କର ଜୀବନ ଯାଇଛି। ମୃତକମାନେ ହେଲେ ରମାକାନ୍ତ ସାହୁ(୪୨) ଓ ସୁଜିତ କୁମାର ନାୟକ (୩୮)। ସୂଚନା ଅନୁସାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଭବାନୀପୁର ପଞ୍ଚାୟତ ଭୁବନ ଗ୍ରାମର ଯୁବଚାଷୀ ରମାକାନ୍ତ ସାହୁ ଘର ନିକଟ ଧାନବିଲରେ କାମ କରୁଥିବା ବେଳେ ଅପରାହ୍ଣ ପ୍ରାୟ ୨ଟାରେ ବଜ୍ରାଘାତର ସମ୍ମୁଖୀନ ହୋଇଥିଲେ। ନିକଟରେ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ନେଇ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ଗ୍ରାମର ଯୁବଚାଷୀ ସୁଜିତ କୁମାର ନାୟକଙ୍କର ଆଜି ବଜ୍ରାଘାତରେ ଶୋଚନୀୟ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ସୁଜିତ ଚାଷ ଜମିକୁ କାମ କରିବାକୁ ଯାଇଥିଲେ। ଆଜି ଦିନ ପ୍ରାୟ ୨. ୩୦ମିନିଟ ସମୟରେ ଆକାଶରେ ଘୋଟି ଆସିଥିଲା କଳା ବାଦଲ। ତା ସାଙ୍ଗକୁ ବିଜୁଳି ଘଡଘଡି ଏତେ ମାତ୍ରାରେ ଥିଲା ଯେ ସେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ଯୋଗୁ ସେ ଚାଷ ଜମିରେ ଟଳି ପଡ଼ିଥିଲେ। ବିଲରେ ଥିବା ଅନ୍ୟ ଚାଷୀ ଭାଇ ମାନେ ତାଙ୍କୁ ସଂଗେ ସଂଗେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ଯୁବ ଚାଷୀଙ୍କ ବିୟୋଗରେ ଗ୍ରାମ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସୂଚନାଯୋଗ୍ୟ ଗତକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହୋଇଥିଲା। ବିଶେଷ ଭା‌ବରେ ଉତ୍ତର-ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଥିଲା। ମୋଟ୍‌ ୯ ଜଣ ଚାଷୀ ବଜ୍ରପାତରେ ପ୍ରାଣ ହାରିଥିଲେ। ପ୍ରାୟ ୧୫ ଜଣ ଆହତ ହୋଇଥିଲେ।

Spread the love