ଅଟୋ ଧକ୍କାରେ ଯୁବତୀଙ୍କ ମୃତ୍ୟୁ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥ ରାଣୀବନ୍ଧ ନିକଟରେ ଏକ ଅଟୋ ଧକ୍କାରେ  ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀ ହେଲେ ସୁମିତ୍ରା ମହାନ୍ତ(୨୦)।

ରାଇରଙ୍ଗପୁର ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ସାକିଲାଡ଼ିହିର ସୁମିତ୍ରା ମହାନ୍ତ କେନ୍ଦୁଝରରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିଲେ। ପୂଜା ଛୁଟି ପରେ  ସେ ଆଜି ସ୍କୁଟିରେ ଘରକୁ ଫେରୁଥିଲେ। ଭାଲୁବସା ନିକଟସ୍ଥ ରାଣୀବନ୍ଧ ନିକଟରେ  ରାଇରଙ୍ଗପୁର ଆଡୁ ହାଟବାଦତା ଅଭିମୁଖେ ଯାଉଥିବା ଏକ ଅଟୋ ସହିତ ତାଙ୍କର ଧକ୍କା ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଟୋ ଓ ସ୍କୁଟିକୁ ପୁଲିସ ଜବତ କରିଛନ୍ତି।
ସୂଚନାଯୋଗ୍ୟ ଯେ ସୁମିତ୍ର ପିଲାଟି ଦିନରୁ ମା’ଙ୍କୁ ହରାଇଥିଲେ। ଗତବର୍ଷ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି।
Spread the love