ତରବରିଆ ଭାବେ ଖାଇଲା ବେଳେ ତଣ୍ଟି ଭିତରେ ଲାଖିଲା ଗୁଲୁଗୁଲା, ଅଣନିଶ୍ବାସୀ ହୋଇ ଯୁବକଙ୍କ ମୃତ୍ୟୁ

ବେତନଟୀ ସଦର: ଚ୍ୟାଲେଞ୍ଜ ମାନସିକତା ନେଇ ଖାଇବା ବେଳେ ଘଟିଛି ଅଘଟଣ। ତରବରିଆ ଭାବେ ଗୁଲୁଗୁଲା ଖାଉଖାଉ ଏହା ତଣ୍ଟିରେ ଲାଗିଯାଇଛି। ଫଳରେ ଜଣେ ଯୁବକଙ୍କୁ ଅଣନିଶ୍ୱାସୀ ହୋଇ ଜୀବନ ହରାଇବାକୁ ପଡ଼ିଛି। ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବଡ଼ଜାମବଣି ଫାଣ୍ଡି ଅର୍ନ୍ତଗତ ଦାନ୍ତିଆମୁହାଁ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ହେଲେ ଶିରୀଶ ଚନ୍ଦ୍ର ମହାନାୟକ (୪୨)।

ଦାନ୍ତିଆମୁହାଁ ଗ୍ରାମର ସ୍ବର୍ଗତ ବିଦ୍ୟାଧର ମହାନାୟକଙ୍କ ପୁଅ ଶିରୀଶ ଚନ୍ଦ୍ର ମହାନାୟକ ଦାନ୍ତିଆମୁହାଁ ସାପ୍ତାହିକ ହାଟକୁ ଜଳଖିଆ ଖାଇବା ପାଇଁ ଯାଇଥିଲେ। ସେଠାରେ ସେ ସାଙ୍ଗସାଥୀମାନଙ୍କୁ ଭେଟିଥିଲେ। ଜଳଖିଆ ଦୋକାନରେ ଗୁଲୁଗୁଲା ଖାଇବା ନେଇ ଅନ୍ୟ ସାଙ୍ଗମାନେ ଶିରୀଶ ଚନ୍ଦ୍ରଙ୍କ ସହିତ ଚ୍ୟାଲେଞ୍ଜ କରିଥିଲେ। ଚ୍ୟାଲେଞ୍ଜ ଅନୁସାରେ ଥରକେ ଚାରିଗୋଟି ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଏକସଙ୍ଗେ ପାଟିରେ ପୁରାଇ ଖାଇବାକୁ ଆରମ୍ଭ କରିଥିବା ବେଳେ ଏହା ତଣ୍ଟିରେ ଲାଗି ଅଟକି ରହିଯାଇଥିଲା। ଫଳରେ ଅଣନିଶ୍ୱାସୀ ହୋଇ ଶିରୀଶ ଗୁରୁତର ହୋଇପଡ଼ିଥିବା ବେଳେ ପାଖରେ ଥିବା ଲୋକ ତାଙ୍କୁ ପାଣି ପିଆଇଥିଲେ।

ତେବେ ପାଣି ନାକ ପଟୁ ବାହାରି ଆସିଥିବା ବେଳେ ଶିରୀଶ ଛଟପଟ ହୋଇ ତଳେ ପଡ଼ିଯିବା ସହିତ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାରକରି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ଡାକ୍ତରଖାନା ନେଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ଶିରୀଶଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସୋମବାର ମୃତକଙ୍କ ପରିବାରଲୋକଙ୍କ ଏତଲାକ୍ରମେ ବଡଜାମବଣି ଫାଣ୍ଡି ଅଧିକାରୀ ଏଏସଆଇ ଲମ୍ବୋଦର ମହାନ୍ତ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ସହିତ ଶବବ୍ୟବଚ୍ଛେଦ କରାଇଛନ୍ତି। ତେବେ ଚ୍ୟାଲେଞ୍ଜରେ ସାମାନ୍ୟ ଗୁଲୁଗୁଲା ଖାଇବାକୁ ନେଇ ଜଣେ ୪୨ ବର୍ଷୀୟ ଯୁବକଙ୍କ ମୃତ୍ୟୁକୁ ନେଇ ଦାନ୍ତିଆମୁହାଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Spread the love