ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ରାଇରଙ୍ଗପୁର/ବିଶୋଇ: ଜାଳେଣୀ କାଠ ସଂଗ୍ରହ କରିବାକୁ ଜଙ୍ଗଲ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜନୈକ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ ଅନ୍ତର୍ଗତ ବାଢୁଣିଆ ଗ୍ରାମ ନିକଟସ୍ଥ କିତାବେଡା ସଂରକ୍ଷିତ ଜଙ୍ଗଲରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁତର ବ୍ୟକ୍ତି ହେଲେ ରେଙ୍ଗା ପିଙ୍ଗୁଆ (୪୫)।

ମଣଦା ରେଞ୍ଜ ଅନ୍ତର୍ଗତ ବାଢୁଣିଆ ଗ୍ରାମର ରେଙ୍ଗା ପିଙ୍ଗୁଆ  ଘର ପାଇଁ ଜାଳେଣି କାଠ ଆଣିବା ପାଇଁ ଗ୍ରାମ ନିକଟସ୍ଥ କିତାବେଡା ସଂରକ୍ଷିତ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ବର୍ତ୍ତମାନ ଗହ୍ମା ପର୍ବ ଚାଲୁଥିବା ହେତୁ ଗାଁରେ କୌଣସି ଲୋକଙ୍କୁ ନ ପାଇ ସେ ସନ୍ଧ୍ୟା ସମୟରେ ନିକଟସ୍ଥ କିତାବେଡା ସଂରକ୍ଷିତ ଜଙ୍ଗଲକୁ ଏକୁଟିଆ ଯାଇଥିବା ସମୟରେ ଜଙ୍ଗଲ ଭିତରେ ଏକ ଭାଲୁ ହାବୁଡରେ ପଡି  ଯାଇଥିଲେ। ଭାଲୁ ଆକ୍ରମଣରେ ରେଙ୍ଗା ପିଙ୍ଗୁଆ ଗୁରୁତର ଭାବେ ଆହତ ହୋଇଥିଲେ। ଭାଲୁ ଟି ରେଙ୍ଗା ଙ୍କ ଦୁଇଟି ହାତ ଓ ବାହୁ କୁ କାମୁଡି ଓ ରାମ୍ପୁଡି ଦେବା ଫଳରେ ରକ୍ତାକ୍ତ ଅବସ୍ଥାରେ ହିଁ କୌଣସି ମତେ ସେ ଜଙ୍ଗଲରୁ ଖସି ପଳାଇ ଆସି ନିଜ ଗାଁ କୁ ପହଞ୍ଚିଥିଲେ। ତେବେ ପରିବାର ଲୋକେ ତାଙ୍କୁ ତୁରନ୍ତ ବିଶୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ ଡାକ୍ତର। ତେବେ ଉକ୍ତ ଘଟଣା ସମ୍ବନ୍ଧରେ ମଣଦା ରେଞ୍ଜ ଅଫିସରଙ୍କୁ ଯୋଗାଯୋଗ କରିବାରୁ ସେ ଗୁରୁତର  ଆହତଙ୍କ ପରିବାର ସହିତ ଯୋଗାଯୋଗ କରି କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି।

Spread the love