ରାୟଗଡ଼ାରେ ଯୁବକଙ୍କୁ ହତ୍ୟା

ରାୟଗଡା: ରାୟଗଡା ସହରରେ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକକୁ ତିନି ଜଣ ଯୁବକ ଅତର୍କିତ ଆକ୍ରମଣ କରି ହତ୍ୟା କରିବା ଘଟଣା ରାୟଗଡା ସମତେ ସାରା ଜିଲ୍ଲାକୁ ଥରାଇ ଦେଇଛି। ପ୍ରେମିକାର ଭାଇର ଚେତାବନୀକୁ ଅଣଦେଖା କରି ଛାତ୍ର ଜଣକ ଜୀବନ ହାରିଛନ୍ତି। ମାମୁଁ ଝିଅ ଭଉଣୀକୁ ସ୍କୁଲ ଛାଡ଼ି ଯାଉଥିବା ବେଳେ ଯୁକ୍ତ ୩ କଲେଜ ଛାତ୍ରକୁ ତିନି ଅଭିଯୁକ୍ତ ଛୁରିରେ ଅତର୍କିତ ଆକ୍ରମଣ ଜୀବନ ନେଇଛନ୍ତି। ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।

ତେବେ ଏହି ହତ୍ୟାକାଣ୍ଡ ଘଟାଇବା ନେଇ ହତ୍ୟାକାରୀମାନେ ଗତ ୧୦ ଦିନ ତଳେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ପ୍ରମୋଦ କଲକା ରାୟଗଡା ମହାବିଦ୍ୟାଳୟର ଯୁକ୍ତ ତିନିର ତୃତୀୟ ବର୍ଷର ଛାତ୍ର। ସେ ସେହି ଶ୍ରେଣୀର ଜନୈକା ଝିଅକୁ ଭଲ ପାଉଥିଲେ। ଏହି ପ୍ରେମ କାହାଣୀ ଦୀର୍ଘ ଚାରି ବର୍ଷର।ତେବେ ଝିଅର ପରିବାର ଲୋକେ ଯେତେବେଳେ ଏସବୁ ଜାଣିଲେ ଝିଅକୁ ତାଗିଦ କରିବା ସହ ପୁଅକୁ ମଧ୍ୟ ଏଭଳି ସଂପର୍କ ଆଗକୁ ନବଢାଇବା ପାଇଁ ସତର୍କ କରାଇଥିଲେ।କିନ୍ତୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଏତେ ନିବିଡ଼ ଥିଲା ଯେ କେହି କାହାରିକୁ ଛାଡିବା ମୁସକିଲ ଥିଲା। ତେଣୁ ପରିବାର ଲୋକେ ଆହୁରି ଡରିଯାଇଥିଲେ। ଏପରିକି ଦୁହେଁ ବିବାହ କରିବାକୁ ମଧ୍ୟ ସ୍ଥିର କରିସାରିଥିଲେ ବୋଲି ଜଣାପଡିଛି। ଝିଅର ଭାଇ ଦୀପନ ହିମିରିକା ପ୍ରମୋଦକୁ ତା ଭଉଣୀ ପଛରେ ନପଡ଼ିବା ସହ ତା ନିକଟରେ ଥିବା ସମସ୍ତ ଫଟୋକୁ ଉଡ଼ାଇ ଦେବାକୁ କହିଥିଲା। ଆଗକୁ ଯଦି ଭଉଣୀ ସହ ସଂପର୍କ ରଖେ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ପୂର୍ବରୁ ବହୁବାର ଚେତାବନୀ ଦେଇସାରିଥିଲା। କିନ୍ତୁ ପ୍ରେମ ସଂପର୍କ ଏତେ ବଢ଼ିଯାଇଥିଲା ଯେ ଦୁହିଁଙ୍କ ମଧ୍ୟରେ କେହି କାହାରିକୁ ନଦେଖିଲେ ରହିପାରୁନଥିଲେ।

ତେବେ ଗତ ୧୦ ଦିନ ତଳେ ଭାଇ ଦୀପନ ଏବଂ ତାର ଦୁଇ ସାଂଗ ଆର୍ଯ୍ୟ ଓ ରାଜୁ ମିଶି ପ୍ରମୋଦକୁ ରାସ୍ତାରୁ ହଟାଇବା ନେଇ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏହା ପୂର୍ବରୁ ଶେଷ ଚେତାବନୀ ଦେବା ନେଇ ସ୍ଥିର କରିଥିଲେ। ହତ୍ୟାର ତିନି ଦିନ ପୂର୍ବରୁ ଫୋନ ଯୋଗେ ଦୀପନ ପ୍ରମୋଦକୁ ଭଉଣୀ ସହ ନମିଶିବା ଏବଂ ଫଟୋ ଡିଲିଟ କରିବା ନେଇ ତାଗିଦ କରିଥିଲା। ଯଦି ପୁଣି ହୁଏ ତେବେ ତୋତେ ଜୀବନରେ ମାରିଦେବୁ ବୋଲି ଧମକ ମଧ୍ୟ ଦେଇଥିଲା। ଏନେଇ ପ୍ରମୋଦ ତାଂକ ମାମୁଁ ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଂଗାଧର ପୁଆଲାଙ୍କୁ କହିଥିଲେ। ଗଂଗାଧର କିନ୍ତୁ ଏହାକୁ ହାଲକା ଭାବେ ନେଇ ପୁଲିସକୁ ଖବର ଦେଇନଥିଲେ।

ଶୁକ୍ରବାର ହତ୍ୟା କରିବା ପୂର୍ବରୁ ଏମାନେ ବଜାରରୁ ଏକ ଧାରୁଆ ଛୁରି କିଣିଥିଲେ। ପୂର୍ବାହ୍‌ଣ ସାଢେ ଦଶଟା ବେଳେ ପ୍ରମୋଦ ଗଂଗାଧର ପୁଆଲାଙ୍କ ଝିଅକୁ ସ୍କୁଲକୁ ପ୍ରତିଦିନ ଭଳି ଛାଡିବାକୁ ଯାଉଥିବା ଏମାନେ ଦେଖିଥିଲେ। ଅନ୍ୟ ସମୟରେ ମାରିବା କଷ୍ଟ ହେବ ଭାବି ଏହି ସମୟକୁ ସେମାନେ ଉପଯୁକ୍ତ ବାଛିଥିଲେ। ସ୍କୁଟିରେ ପ୍ରମୋଦ ସ୍କୁଲ ଯାଉଥିବା ବେଳେ ରାଣୀଗୁଡ଼ା ଫାର୍ମ ଅଂଚଳର ଗୌତମ ନଗର ନିକଟରେ ଦୀପନ ଓ ତାର ଦୁଇ ସାଂଗ ଏକ ମଟର ସାଇକେଲରେ ଆସି ପ୍ରମୋଦକୁ ଛାତିରେ ଛୁରି ଭୁସି ଦେଇଥିଲେ। ଘଟଣାସ୍ଥଳରେ ହିଁ ପ୍ରମୋଦ ଛଟପଟ ହେଉଥିଲେ। କିନ୍ତୁ କେହି ମଧ୍ୟ ତାକୁ ମେଡିକାଲ ନେବାକୁ ସାହସ କରିନଥିଲେ। ସାଂଗରେ ଥିବା ଛୋଟ ଝିଅ ଏସବୁ ଦେଖି ହତବାକ ହୋଇଯିବା ସହ କାନ୍ଦିବାକୁ ଲାଗିଥିଲା। ଘଟଣା ପରେ ପୁଲିସକୁ ଖବର ଯିବାରୁ ପୁଲିସ ପହ଼ଞ୍ଚି ତଦନ୍ତ କରିଥିଲା। ଏସପି ବିବେକାନନ୍ଦ ଶର୍ମା ମଧ୍ୟ ଆସି ଘଟଣାର ଅନୁଧ୍ୟାନ କରିଥିଲେ। ପୁଲିସ ତିନି ଜଣ ହତ୍ୟାକାରୀକୁ ଗିରଫ କରି ତଦନ୍ତ ଆରମ୍ଭ କରୁଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରଶ୍ମୀ ସେନାପତି, ଆଇଆଇସି କେକେବିକେ କଅଁର ପ୍ରକାଶ କରିଛନ୍ତି।

ଏହି ଘଟଣା ପରେ ପୁଲିସ ଉପରେ ପୁଣି ଅଙ୍ଗୁଳି ଉଠିଛି। ପୁଲିସର ପାରିବା ପଣିଆକୁ ଲୋକେ ସମାଲୋଚନା କରିଛନ୍ତି। ଜିଲ୍ଲାରେ ଚୋରି, ରାହାଜାନି, ଲୁଟ ସମେତ ହତ୍ୟା ହେଉଥିବାରୁ ପୁଲିସ କଣ କରୁଛି ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି।

Spread the love